ଆଜିଠୁ ଖୋଲିବ ସ୍କୁଲ-କଲେଜ

Advertisment

ଅଷ୍ଟମରୁ ଉପର ଶ୍ରେଣୀ ପିଲାଙ୍କ ପାଠପଢ଼ା, ୧୪ରୁ କେଜିରୁ ୭ମ ଶ୍ରେଣୀ ଖୋଲିବ

ଅଷ୍ଟମରୁ ଉପର ଶ୍ରେଣୀ ପିଲାଙ୍କ ପାଠପଢ଼ା, ୧୪ରୁ କେଜିରୁ ୭ମ ଶ୍ରେଣୀ ଖୋଲିବ

ଓଡ଼ିଆରେ ଦୁର୍ବଳ ଓଡ଼ିଆ ପିଲା, ମାତୃଭାଷାରେ ପଛୁଆ ଦଶମ ପିଲା

ଭୁବନେଶ୍ବର : ସୋମବାରଠାରୁ ରାଜ୍ୟର ସବୁ ସରକାରୀ ଓ ଘରୋଇ ସ୍କୁଲର ୮ମ ଶ୍ରେଣୀରୁ ଉପରକୁ ସମସ୍ତ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଫ୍‌ଲାଇନ୍‌ ପାଠପଢ଼ା ଆରମ୍ଭ ହେବ। ଏଥିସହ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ସମେତ ଅନ୍ୟାନ୍ୟ ବୈଷୟିକ ଓ ପ୍ରଫେସନାଲ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଖୋଲିବ। ତା’ପୂର୍ବରୁ ଆଜି ଶିକ୍ଷାନୁଷ୍ଠାନଗୁଡ଼ିକରେ ଥିବା ସମସ୍ତ ହଷ୍ଟେଲଗୁଡ଼ିକ ଖୋଲାଯାଇଛି। କ୍ୟାମ୍ପସକୁ ବିଶୋଧନ କରାଯିବା ସହ କ୍ଲାସରୁମ୍‌ରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କିଭଳି ସାମାଜିକ ଦୂରତା ରହିବ ସେନେଇ ବ୍ୟବସ୍ଥା ହୋଇଛି। ସିଟ୍‌ଗୁଡ଼ିକ ମଧ୍ୟରେ ଯଥା ସମ୍ଭବ ଦୂରତା ରକ୍ଷା କରାଯାଇଛି।

ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଏସ୍‌ଆରସିଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ପରେ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଓ ବୈଷୟିକ ଶିକ୍ଷା ବିଭାଗ ଅଲଗା ଅଲଗା ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ସମସ୍ତ ବିଭାଗ ପୂର୍ବରୁ ଜାରି କରିଥିବା ଗାଇଡ୍‌ଲାଇନ୍‌କୁ ପ୍ରାୟତଃ ସମାନ ରଖିଛନ୍ତି। ସେଭଳି କୌଣସି ପରିବର୍ତନ କରି ନାହାନ୍ତି। ଫେବ୍ରୁଆରି ୧୪ରୁ କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଅଫ୍‌ଲାଇନ୍‌ କ୍ଲାସ ହେବ। ତାହାକୁ ନଜରରେ ରଖି ପାଠପଢ଼ା ସମୟ ସାରଣୀରେ ସାମାନ୍ୟ ପରିବର୍ତନ କରାଯାଇଛି। ୯ମରୁ ଯୁକ୍ତ୨ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ପାଠପଢ଼ା ୧୦ଟାରୁ ୪ଟା ପର୍ଯ୍ୟନ୍ତ ହେବ। ଏହି ଅନୁସାରେ ରୁଟିନ୍‌ ପ୍ରସ୍ତୁତ ସହ ଶିକ୍ଷକମାନେ କ୍ଲାସ କରିବେ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସକାଳ ୧୦ଟାରୁ ୧ଟା ପର୍ଯ୍ୟନ୍ତ ସ୍କୁଲ ଖୋଲା ରହିବ। ମଧ୍ୟାହ୍ନ ଭୋଜନ ପାଇଁ ପୂର୍ବଭଳି ଛାତ୍ରଛାତ୍ରୀଙ୍କୁ ସୁଖିଲା ରାସନ ଦିଆଯିବ।

ପାଠ ପଢ଼ିବା ନେଇ ପିଲାମାନଙ୍କ ପାଖରେ ବିକଳ୍ପ ବ୍ୟବସ୍ଥା ରହିବ। ସେମାନେ ଚାହିଁଲେ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ର ବିକଳ୍ପ ବାଛି ପାରିବେ। କେଜିରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ପ୍ରମୋସନ ପରୀକ୍ଷା ହେବ। ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଲାଗି ପୂର୍ବରୁ ଜାରି ହୋଇଥିବା ଗାଇଡଲାଇନ ଅନୁସାରେ ହିଁ ଅନୁଷ୍ଠିତ ହେବ। ପ୍ରଥମରୁ ୫ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଦୁଇ ବର୍ଷ ହେଲା ବନ୍ଦ ରହିଥିବାରୁ ଶିକ୍ଷକମାନେ ପିଲା ଓ ଅଭିଭାବକଙ୍କୁ ସହଯୋଗ କରିବେ। ଦରକାର ପଡ଼ିଲେ ଖରା ଛୁଟିକୁ ହ୍ରାସ କରାଯିବ।

ସୂଚନାଯୋଗ୍ୟ ଯେ ରାଜ୍ୟରେ କରୋନାର ୩ୟ ଲହର ପ୍ରଭାବ ପଡ଼ିବାରୁ ଜାନୁଆରି ପ୍ରଥମ ସପ୍ତାହରେ ସ୍କୁଲ-କଲେଜଗୁଡ଼ିକୁ ବନ୍ଦ କରାଯାଇଥିଲା। ଅଫ୍‌ଲାଇନ୍‌ ପାଠପଢ଼ା ବନ୍ଦ ସହ ଅନ୍‌ଲାଇନ୍‌ କ୍ଲାସ ଚାଲିଥିଲା। ମାତ୍ର ଏବେ କରୋନା ସଂକ୍ରମଣ କମିଛି। ଏହି ଲହରରେ ମେଡିକାଲରେ ଲୋକେ କମ୍‌ ସଂଖ୍ୟାରେ ଭର୍ତ୍ତି ହେଉଛନ୍ତି। ସ୍ଥିତି ନିୟନ୍ତ୍ରଣକୁ ଆସିଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ କମ୍‌ ରହୁଛି। ଏଥିସହ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ କରୋନା ଟିକା ଦିଆଯାଉଛି। ତେଣୁ ଛାତ୍ରଛାତ୍ରୀଙ୍କ ବୃହତ୍ତ ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ସରକାର ସ୍କୁଲ-କଲେଜ ଖୋଲିବାକୁ ଗତ ସପ୍ତାହରେ ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe