ରାଉରକେଲା: ଖୋଲିଲା ସ୍କୁଲ, କଲେଜ; ପ୍ରଥମ ଦିନରେ ସ୍କୁଲକୁ ଆସିଲେ ୩୦% ଛାତ୍ରଛାତ୍ରୀ

Advertisment
ରାଉରକେଲା: ଖୋଲିଲା ସ୍କୁଲ, କଲେଜ; ପ୍ରଥମ ଦିନରେ ସ୍କୁଲକୁ ଆସିଲେ ୩୦% ଛାତ୍ରଛାତ୍ରୀ

ରାଉରକେଲା: ଶେଷରେ ପ୍ରତୀକ୍ଷାର ଅନ୍ତ ହେଲା। ସୋମବାରଠାରୁ ସ୍କୁଲ, କଲେଜ ଖୋଲିଛି। ଦୀର୍ଘ ଦିନପରେ ଦଶମ ଓ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀ ସୋମବାର ସ୍କୁଲରେ ପାଦ ଥାପିଥିଲେ। ତେବେ କରୋନା ମହାମାରୀ ସଂକ୍ରମଣ ଜନିତ ଭୟ କିନ୍ତୁ ଛାତ୍ରଛାତ୍ରୀଙ୍କ ମୁହଁରେ ସ୍ପଷ୍ଟ ବାରି ହୋଇପଡ଼ିଥିଲା। ଇସ୍ପାତ ସହରର ବିଭିନ୍ନ ସ୍କୁଲରେ ସୋମବାର ପ୍ରଥମ ଦିନରେ ଉଭୟ ସ୍କୁଲ ଓ କଲେଜରେ ମାତ୍ର ୩୦ ପ୍ରତିଶତ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା।

publive-image

ପ୍ରାୟ ସବୁ ସ୍କୁଲରେ ଶିକ୍ଷା ବିଭାଗ ଦ୍ବାରା ଜାରି ପରିଚାଳନାଗତ ନିର୍ଦ୍ଦେଶାବଳୀର କଡ଼ା ପାଳନ କରାଯାଇଥିଲା। ନିର୍ଦ୍ଦେଶ ମୁତାବକ ବ୍ୟାପକ ବିଶୋଧନ, ସଫାସୁତରା ଆଦି କରାଯାଇଥିଲା। ଶିକ୍ଷକ ଶିକ୍ଷୟିତ୍ରୀ ପ୍ରାୟ ୯ଟା ସୁଦ୍ଧା ସ୍କୁଲରେ ପହଞ୍ଚିଯାଇଥିଲେ। ପ୍ରାୟ ସାଢ଼େ ୯ଟାରେ ଛାତ୍ରଛାତ୍ରୀ ଅନୁଷ୍ଠାନକୁ ଆସିଥିଲେ। ସମସ୍ତ ଛାତ୍ରଛାତ୍ରୀଙ୍କୁ ହାତ ଧୋଇବାକୁ ନିର୍ଦ୍ଦେଶ ଦିଆଯିବା ସହ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଥିଲା। ସେହିଭଳି ଶ୍ରେଣୀ ଗୃହରେ ମଧ୍ୟ ସାମାଜିକ ଦୂରତ୍ବ ବଜାୟ ରଖି ଗୋଟିଏ ବେଞ୍ଚ୍‌ରେ ଦୁଇ ଜଣଙ୍କୁ ବସାଯାଇଥିଲା। ପିଲାମାନେ ନିଜେ ଘରୁ ଆଣିଥିବା ପାଣି ବୋତଲ, ଖାଦ୍ୟ ହିଁ ବ୍ୟବହାର କରିଥିଲେ। ପାଠ୍ୟ ସାମଗ୍ରୀ, ଖାଦ୍ୟ ଆଦିର ଆଦାନ ପ୍ରଦାନକୁ ବାରଣ କରାଯାଇଥିଲା।

publive-image

ପ୍ରଥମ ଦିନରେ କିନ୍ତୁ ଆଶାନୁରୂପକଭାବେ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ଦେଖିବାକୁ ମିଳିନଥିଲା। ଉଭୟ ଦଶମ ଓ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ସଂଖ୍ୟା ଉତ୍ସାହଜନକ ନ ଥିଲା। ତେବେ ଆଗାମୀ ଦିନରେ ଉପସ୍ଥିତି ସଂଖ୍ୟାରେ ବୃଦ୍ଧି ଘଟିବବୋଲି ସ୍କୁଲ କର୍ତୃପକ୍ଷ ଆଶାପୋ‌ଷଣ କରିଛନ୍ତି। ଏନେଇ ଏନ୍‌ଏସିଏସ୍‌ଟି ସରକାରୀ ନୋଡାଲ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କବିତା ଭୂୟାଁ କହିଛନ୍ତି, ସରକାରଙ୍କ ନିର୍ଦ୍ଦେଶ ମୁତାବକ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଯେଭଳି ନିୟମର ସାମାନ୍ୟତମ ଅବହେଳା ନ ହୁଏ, ସେଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଥିଲା। ତେବେ ପ୍ରଥମ ଦିନରେ ଉପସ୍ଥିତି କମ୍‌ ରହିଥିଲା। ଆଗାମୀ ଦିନରେ ସଂଖ୍ୟାରେ ବୃଦ୍ଧି ହେବବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe