ଖୋଲିଲା ପ୍ରାଥମିକ ସ୍କୁଲ, ସରକାରୀ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ଆସିଲେ

Advertisment
ସକାଳୁଆ ସ୍କୁଲରେ ଉପସ୍ଥାନ ୭୦%; ଅନୁଗୁଳରେ ସର୍ବାଧିକ, ଗଜପତିରେ ସର୍ବନିମ୍ନ

Image Courtesy of India.com

ଅର୍ଧାଧିକ ଘରୋଇ ସ୍କୁଲ ଖୋଲିଲା, ଉପସ୍ଥାନ କମ୍‌
ପ୍ଲେ ସ୍କୁଲରେ ପାଠପଢ଼ା, କଟକଣା ମାନିଲେନି

ଭୁବନେଶ୍ବର : କରୋନା ସଂକ୍ରମଣ କମିଥିବାରୁ ସୋମବାରଠାରୁ ପ୍ରଥମରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିଛି। ସରକାରୀ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ଆସି ନାହାନ୍ତି। କେବଳ ଶିକ୍ଷକ/ଶିକ୍ଷୟିତ୍ରୀ ଓ କର୍ମଚାରୀ ବିଦ୍ୟାଳୟ ଆସିବା ସହ ସ୍ବଚ୍ଛତା, ପରିମଳ ଓ ବିଶୋଧନର ତଦାରଖ କରିଛନ୍ତି। ୧୬ ତାରିଖରେ ଯେଉଁ ସବୁ ବ୍ଲକରେ ନିର୍ବାଚନ ରହିଛି ସେଠାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥାନ କମ୍‌ ରହିଥିଲା। ସେମାନେ ପୁଲିଂ ପାର୍ଟି ସହ ଭୋଟ ଗ୍ରହଣ କେନ୍ଦ୍ରକୁ ଯାଉଥିବାରୁ କ୍ୟାମ୍ପସକୁ ଆସି ନ ଥିଲେ। ଯେଉଁମାନେ ବିଦ୍ୟାଳୟ ଆସିଥିଲେ ସେମାନେ ପିଲାଙ୍କ ଅନ୍‌ଲାଇନ୍‌ ପାଠପଢ଼ା ଉପରେ ଗୁରୁତ୍ବ ଦେଇଥିଲେ। ଘରେ ରହି ପିଲାମାନେ କିଭଳି ଶିକ୍ଷା ଗ୍ରହଣ କରୁଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ ସେନେଇ ଅଭିଭାବକଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଚଳିତ ମାସ ୨୮ ତାରିଖଠାରୁ ସମସ୍ତ ଛାତ୍ରଛାତ୍ରୀ ବିଦ୍ୟାଳୟ ଆସିବେ ଏବଂ ଶ୍ରେଣୀଗୃହ ଶିକ୍ଷାଦାନ ସ୍ବାଭାବିକ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆଶା ପ୍ରକଟ କରିଛି।

ସେପଟେ ଘରୋଇ ସ୍କୁଲ ଖୋଲିବ କି ନାହିଁ ସେନେଇ ରାଜ୍ୟ ସରକାର କିମ୍ବା ଗଣଶିକ୍ଷା ବିଭାଗ କିଛି ସ୍ପଷ୍ଟ ସୂଚନା ଦେଇ ନ ଥିବାରୁ ଆଜି ବି ଦ୍ବନ୍ଦ୍ବ ଲାଗିରହିଥିଲା। ଅଧିକାଂଶ ଘରୋଇ ବିଦ୍ୟାଳୟ କର୍ତୃପକ୍ଷ ଆଜିଠାରୁ ସ୍କୁଲ ଖୋଲିଛନ୍ତି ଏବଂ ପିଲାଙ୍କ ପାଠପଢ଼ା ଆରମ୍ଭ କରିଛନ୍ତି। ଘରୋଇ ବିଦ୍ୟାଳୟଗୁଡ଼ିକରେ ପ୍ରଥମରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ଉପସ୍ଥାନ ୪୦ ପ୍ରତିଶତ ମଧ୍ୟରେ ରହିଥିଲା। ଅଧିକାଂଶ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀର ପିଲା ସ୍କୁଲ ଆସି ନ ଥିବା ଦେଖିବାକୁ ମିଳିଥିଲା। ଦୁଇ ବର୍ଷ ହେଲା ବିଦ୍ୟାଳୟ କ୍ୟାମ୍ପସ ଦେଖି ନ ଥିବା ଦ୍ବିତୀୟ ଓ ତୃତୀୟ ଶ୍ରେଣୀର ପିଲାମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପ୍ରଥମ ଦିନ ହୋଇଥିବାରୁ କ୍ଲା‌ସରୁମ୍‌ରେ ନୂଆ କିଛି ପଢ଼ାଯାଇ ନ ଥିଲା। ବରଂ ପୁରୁଣା ପାଠର ପୁନରାବୃତ୍ତି ହୋଇଥିଲା। ପିଲାମାନେ ପୂର୍ବ ଶ୍ରେଣୀ ପାଠକୁ କେତେ ମନେ ରଖିଛନ୍ତି, ଅନ୍‌ଲାଇନ୍‌ରେ ଯେଉଁ ଶିକ୍ଷା ପାଇଥିଲେ ତାହା ମନେ ରଖିଛନ୍ତି କି ନାହିଁ ଆଦି ବିଷୟରେ ଶିକ୍ଷକ ଶିକ୍ଷୟିତ୍ରୀ କ୍ଲାସରୁମ୍‌ରେ ପଢ଼ାଇଥିଲେ। ଆଉ କିଛି ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସରକାରଙ୍କ ନୂତନ ବିଜ୍ଞପ୍ତିକୁ ସମ୍ମାନ ଜଣାଇ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ଶିକ୍ଷାରୁ ବର୍ତମାନ ନିବୃତ୍ତ ରହିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଦ୍ୟତମ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ୨୮ ତାରିଖରୁ ଛାତ୍ରଛାତ୍ରୀଙ୍କ ଲାଗି ବିଦ୍ୟାଳୟ ଖୋଲିବେ ବୋଲି ଜଣାଇଛନ୍ତି।

ଗଣଶିକ୍ଷା ବିଭାଗ ସଚିବ ବିଷ୍ଣୁପଦ ସେଠୀଙ୍କ ବିଜ୍ଞପ୍ତି ଅନୁଯାୟୀ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଆଜିଠାରୁ ପ୍ରି-ସ୍କୁଲ ଖୋଲିଛି। କୋଭିଡ୍‌ କଟକଣା ମଧ୍ୟରେ ପ୍ଲେ, ନର୍ସରି ଓ କେଜି ଆଦି ଶ୍ରେଣୀରେ ଶିକ୍ଷାଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହୋଇଛି। କୋଭିଡ୍‌ର ଦୁଇଟି ଯାକ ଟିକା ନେଇଥିବା ଶିକ୍ଷକ, ଅଣ-ଶିକ୍ଷକ ଓ ଅନ୍ୟାନ୍ୟ ଷ୍ଟାଫ୍‌ ବିଦ୍ୟାଳୟ ଆସିବା ସହ ପିଲାଙ୍କୁ ପଢ଼ାଇଛନ୍ତି। ସ୍କୁଲ ପରିଚାଳନା କର୍ତୃପକ୍ଷ‌ ଛୋଟ ଛୋଟ ପିଲାଙ୍କ ଯତ୍ନ ନେବା ଦିଗରେ ପଦକ୍ଷେପ ନେବା ଆବଶ୍ୟକ ଥିବା ନେଇ ବିଭାଗ ପକ୍ଷରୁ କୁହାଯାଇଥିଲେ ମଧ୍ୟ ଅଧିକାଂଶ ପ୍ଲେ ସ୍କୁଲରେ ତାହାକୁ ଉଲ୍ଲଂଘନ କରାଯାଇଛି। ପିଲାମାନେ ମାସ୍କ ନ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରାଯାଉ ନ ଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe