ଭୁବନେଶ୍ୱର : ନରଣପୁରସ୍ଥିତ କେଏମ୍ବିବି ଦ୍ୱିତୀୟ କ୍ୟାମ୍ପସ୍ରେ ଜୁନିୟର୍ ସାଇନ୍ସ କଲେଜର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଜ୍ଞାନ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ଆଇଆଇଟି ଦିଲ୍ଲୀର ପ୍ରଫେସର ରାହୁଲ ଗର୍ଗ ଓ ବୈଜ୍ଞାନିକ ଡ. ତପନ ଗାନ୍ଧୀ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ। ବିଜୁଳି ଉତ୍ପାଦନ ଓ ଆୟୁର୍ବେଦିକ ଔଷଧ ଦ୍ୱାରା କର୍କଟ ରୋଗର ନିବାରଣ ଭଳି ବିଷୟରେ ପିଲାମାନେ ସେମାନଙ୍କର ପ୍ରକଳ୍ପମାନ ପ୍ରଦର୍ଶନ କରିଥିଲେ। ଆଗକୁ ଏହି ଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି କଲେଜର ଡିନ୍ ଡ. ବିଜୁନି ସୂତାର ଓ ଅଧ୍ୟକ୍ଷ ଡ. ଚିତ୍ତରଞ୍ଜନ ଭୋଇ ପ୍ରକାଶ କରିଥିଲେ। କଲେଜର ଉପାଧ୍ୟକ୍ଷା ଡ. ସନ୍ଧ୍ୟାରାଣୀ ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ପ୍ରଦର୍ଶନୀଟି ଅନୁଷ୍ଠିତ ହୋଇଥିବା ବେଳେ ଡ. ଶଶିକାନ୍ତ ନାୟକ ଓ ରୁମାଲି ସମର୍ପିତା ଏହାକୁ ପରିଚାଳନା କରିଥିଲେ।
ସେହିପରି ଗତ ୨୪ ତାରିଖରୁ କଲେଜ କ୍ୟାମ୍ପସରେ ଆରମ୍ଭ ହୋଇଥିବା ଜାତୀୟ କର୍ମଶାଳାରେ ଆଇଆଇଟି ଦିଲ୍ଲୀ ଓ ଆଇଆଇଏମ୍ଟିର ବୈଜ୍ଞାନିକମାନେ ମସ୍ତିଷ୍କ ତରଙ୍ଗ ଉପରେ ଆଲୋଚନା କରିଥିଲେ। ଆଇଆଇଟି ଦିଲ୍ଲୀର ମସ୍ତିଷ୍କ ବୈଜ୍ଞାନିକ ଡ. ତପନ ଗାନ୍ଧୀ ଇଇଜି ସିଗ୍ନାଲ୍ ଉପରେ ଆଲୋକପାତ କରିଥିଲେ। ବୈଜ୍ଞାନିକ ଦେବୀ ପ୍ରସାଦ ଦାଶ ସିଗ୍ନାଲ୍ ପ୍ରୋସେସିଂ ଉପରେ ଆଲୋଚନା କରିଥିିବା ବେଳେ ଆଇଆଇଟି ଦିଲ୍ଲୀର ଗବେଷକ ଚେତନ ରାରେକର୍ ଭାରତ-ସ୍ୱିଡେନ୍ ମିଳିତ କମ୍ପାନି ଟବିପ୍ରୋ ଆଇ ଟ୍ରାକିଂର ବିଭିନ୍ନ ପ୍ରୟୋଗ ଦେଖାଇଥିଲେ। ଏହି କର୍ମଶାଳାରେ ବୈଜ୍ଞାନିକ ରାହୁଲ ଗର୍ଗ ଛାତ୍ରଛାତ୍ରୀମାନଙ୍କୁ ଫଙ୍କ୍ସ୍ନାଲ୍ ଏମ୍ଆର୍ଆଇ ସମ୍ପର୍କରେ ବିଷଦ ଭାବରେ ବୁଝାଇଥିଲେ। ଏହି ଅବସରରେ କେଏମ୍ବିବିସିଇଟିର ଡିନ୍ ଡ. ବିଜୁନି ଚରଣ ସୂତାର ଓ ବୈଜ୍ଞାନିକ ଡ. ତପନ ଗାନ୍ଧୀ, ପ୍ରଫେସର ଦେବୀ ପ୍ରସାଦ ଦାଶ ଓ ପ୍ରଫେସର ରାହୁଲ ଗର୍ଗଙ୍କୁ ସମ୍ବର୍ଧିତ କରିଥିଲେ।
Follow Us