ପ୍ରଧାନଶିକ୍ଷୟତ୍ରୀଙ୍କ ନିର୍ଯାତନା ସହି ନପାରି ଜୀବନ ଶେଷ କରିବାକୁ ଚାହୁଁଥିଲେ ବିଜ୍ଞାନ ଶିକ୍ଷକ, ଡାକ୍ତରଖାନାରେ ଭର୍ତ୍ତି

ପ୍ରଧାନଶିକ୍ଷୟତ୍ରୀଙ୍କ ନିର୍ଯାତନା ସହି ନପାରି ଜୀବନ ଶେଷ କରିବାକୁ ଚାହୁଁଥିଲେ ବିଜ୍ଞାନ ଶିକ୍ଷକ, ଡାକ୍ତରଖାନାରେ ଭର୍ତ୍ତି

ରାଇଘର: ଦେହ ଖରାପ ଥିବା ଯୋଗୁଁ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀଙ୍କୁ ଛୁଟି ମାଗିଲେ ମିଳୁ ନଥିଲା। ଏଥିସହିତ ଗତ ମାସରେ ଦରମା କାଟି ଦେଇଥିବା ଯୋଗୁଁ ମାନସିକ ସ୍ଥିତି ହରାଇ ମୋ ସ୍ବାମୀ ଏକ ଧାରୁଆ ଅସ୍ତ୍ରରେ ନିଜ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବୋଲି ଜଣେ ବିଜ୍ଞାନ ଶିକ୍ଷକଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି। ଶିକ୍ଷକ ଜଣକ ଆଶିଷ କୁମାର ସ୍ୱାଇଁ ଓ ସେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କଚରାପାରା ଅଲେଖ ମହିମା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ। ତାଂକ ପତ୍ନୀଙ୍କ କହିବା ଅନୁଯାୟୀ କିଛି ଦିନ ଧରି ଶ୍ରୀ ସ୍ୱାଇଁ ମାନସିକ ଚାପରେ ରହି ଆସୁଥିଲେ। ତାଙ୍କୁ ପ୍ରଧାନ ଶିକ୍ଷୟତ୍ରୀ ମାନସିକ ଚାପ ଦେଉଥିବା ବେଳେ ଆଜି ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଶ୍ରୀ ସ୍ୱାଇଁଙ୍କୁ ତୁରନ୍ତ ରାଇଘର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୯ଟା ସମୟରେ ଶିକ୍ଷକ ଶ୍ରୀ ସ୍ୱାଇଁ ସ୍ଥାନୀୟ ଡିଏନକେ ସ୍ଥିତ ନିଜ ଘରେ କୌଣସି ଏକ ଧାରୁଆ ଅସ୍ତ୍ରରେ ନିଜ ବେକ କାଟି ଦେଇ ଚିତ୍କାର କରିଥିଲେ। ଏହା ଦେଖି ତାଙ୍କ ପିଲାମାନେ ମା’ଙ୍କୁ ଡାକିବା ସହିତ ପାଖ ପଡୋଶୀଙ୍କୁ ଖବର ଦେଇଥିଲେ। ସମସ୍ତେ ତାଂକ ଘରକୁ ଧାଇଁ ଯାଇ ଶିକ୍ଷକଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନେଇ ଯାଇଥିଲେ। ଅନ୍ୟପଟେ ଡାକ୍ତର ତାଙ୍କ ଚିକିତ୍ସା କରାଇବା ସହ ଏ ନେଇ ସ୍ଥାନୀୟ ଥାନାରେ ଲିଖିତ ଜଣାଇଥିଲେ। ପୁଲିସ ମେଡିକାଲକୁ ଆସି ତଦନ୍ତ ଆରମ୍ଭ କରିବା ସହ ଏକ ମାମଲା ଋଜ୍ଜୁ କରିଥିବା ଜଣାପଡ଼ିଛି। ଶିକ୍ଷକ ଶ୍ରୀ ସ୍ୱାଇଁଙ୍କ ସ୍ବାସ୍ଥ୍ୟ ଅବସ୍ଥା ଶୋଚନୀୟ ଥିବାରୁ ତାଂକୁ କଟକ ବଡ଼ମେଡିକଲକୁ ସ୍ଥାନାନ୍ତର କରାଯାଇଛି।

ଆଶିଷ କୁମାର ସ୍ୱାଇଁଙ୍କ ନିଜ ଘର କଟକ ଜିଲ୍ଲା ଅନ୍ତର୍ଗତ ନିଆଳି ବ୍ଲକ ଅନ୍ତର୍ଗତ ଶାସନପଦା ଠାରେ ଏବଂ ସେ ସ୍ଥାନୀୟ କଚରାପାରା ଅଲେଖ ମହିମା ଉଚ୍ଚ ବିଦ୍ୟାଳୟରେ ଗଣିତ ଓ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ଗତ କିଛି ମାସ ଧରି ସେ ମାନସିକ ଚାପରେ ରହି ଆସୁଥିବା ତାଙ୍କ ପତ୍ନୀ ପ୍ରକଶ କରିଛନ୍ତି। ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ତାଂକୁ ଛୁଟି ଦେଉ ନଥିବା ଓ ଗତ ମାସରେ ଦରମା କାଟି ଦେଇଥିବା ଯୋଗୁଁ ସେ ପାଗଳ ଭଳି ରହୁଥିଲେ ବୋଲି ତାଂକ ପତ୍ନୀ ଅଭିଯୋଗ ଉଠାଇଛନ୍ତି।

ଅପରପକ୍ଷରେ ପ୍ରଧାନ ଶିକ୍ଷୟତ୍ରୀ ଭୁବନ ମୋହିନୀ ନାୟକଙ୍କୁ ପଚାରିବାରୁ ତାଂକ ଉପରେ ହୋଇଥିବା ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ବୋଲି କହିଥିଲେ। ଏଥିସହିତ ତାଙ୍କ ଦେହ ଭଲ ନଥିବା କହି ସେ ବାରମ୍ବାର ଛୁଟିରେ ରହିଛନ୍ତି ଏବଂ ତାଂକ ଛୁଟି ସରିବା ପରେ ବି ସେ ଛୁଟି ନେଇଥିବାରୁ ତାଂକର ୭ ଦିନର ଦରମା କଟି ଯାଇଛି ବୋଲି ଶ୍ରୀମତୀ ନାୟକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe