ଖୋର୍ଦ୍ଧାରେ ଖୋଲିଲା ଓଡ଼ିଶାର ପ୍ରଥମ ସ୍କ୍ରାପିଂୟାର୍ଡ, ରି-ୱି-ରି ପଦ୍ଧତିରେ ଭଙ୍ଗାଯିବ ପଞ୍ଜୀକୃତ ଯାନ

ଖୋର୍ଦ୍ଧାରେ ଖୋଲିଲା ଓଡ଼ିଶାର ପ୍ରଥମ ସ୍କ୍ରାପିଂୟାର୍ଡ, ରି-ୱି-ରି ପଦ୍ଧତିରେ ଭଙ୍ଗାଯିବ ପଞ୍ଜୀକୃତ ଯାନ

ଖୋର୍ଦ୍ଧା: ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ବାଇପାସଠାରେ ଟାଟା ମୋଟର୍ସ ଓ ଏମ୍ପ୍ରିଓ ପ୍ରିମିୟମ ପକ୍ଷରୁ ଓଡ଼ିଶାର ପ୍ରଥମ ଓ ଦେଶରେ ଟାଟା ମୋଟର୍ସର ଦ୍ବିତୀୟ ପଞ୍ଜୀକୃତ ଯାନ ସ୍କ୍ରାପିଂ ୟାର୍ଡ ଆଜି ଉଦଘାଟିତ ହୋଇଛି। ବର୍ଷକୁ ୧୦ହଜାର ପୁରୁଣା ଯାତ୍ରୀବାହୀ ଓ ବାଣିଜ୍ୟିକ ପରିବହନ ଯାନର ସ୍କ୍ରାପିଂ ହୋଇ ପାରୁଥିବା ଏହି ରି-ୱି-ରି (ରିସାଇକଲ୍‌ ୱିଥ୍‌ ରେସପେକ୍ଟ) ୟାର୍ଡକୁ ରାଜ୍ୟ ବାଣିଜ୍ୟ, ପରିବହନ ଓ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ଉଦଘାଟନ କରିଛନ୍ତି।  ସ୍କ୍ରାପିଂ ୟାର୍ଡ ପରିସରରେ ଆଜି ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ଢେଙ୍କାନାଳ ବିଧାୟକଙ୍କ ବଡ଼ଭାଇ ତଥା ଟାଟା ମୋଟର୍ସର ରି-ୱି-ରି ସହଯୋଗୀ ସଂସ୍ଥା ଏମ୍ପ୍ରିଓ ପ୍ରିମିୟମର ଅଧ୍ୟକ୍ଷ ଗଙ୍ଗାଧର ସାମଲ ଓ ଟାଟା ମୋଟର୍ସର (ଟ୍ରକ୍‌) ବ୍ୟବସାୟିକ ମୁଖ୍ୟ ରାଜେଶ କୌଲ ଯୋଗ ଦେଇଥିଲେ।

ମନ୍ତ୍ରୀ ଟୁକୁନି ସାହୁ ନିଜ ଅଭିଭାଷଣରେ ସରକାରଙ୍କ ସ୍କ୍ରାପିଂ ନିୟମ ସମ୍ପର୍କରେ ଆଲୋଚନା କରିବା ସହ ଖୋର୍ଦ୍ଧାଠାରେ ଏଭଳି ଏକ ବିରାଟ ସ୍କ୍ରାପିଂ ୟାର୍ଡକୁ କମ୍‌ ସମୟ ମଧ୍ୟରେ ବିଭିନ୍ନ ବିଭାଗର ମଞ୍ଜୁରୀ ମିଳିବା ଓ ଏହାକୁ ସ୍ଥାପନ କରିବା ରାଜ୍ୟ ସରକାରଙ୍କ ବ୍ୟବସାୟୀକ ପ୍ରତିଷ୍ଠାନର ବିକାଶ ଓ ରାଜ୍ୟର ନିରନ୍ତର ଅଭିବୃଦ୍ଧିର ଯୋଜନାର ଏକ ଉଲ୍ଲେଖନୀୟ ସଫଳତା ବୋଲି କହିଥିଲେ। ପଞ୍ଜୀକୃତ ପୁରୁଣା ଯାନବାହନର ସ୍କ୍ରାପିଂ ବ୍ୟବସ୍ଥା ଦ୍ବାରା ପୁରୁଣାଯାନ ଦ୍ବାରା ପରିବେଶ ପ୍ରଦୂଷଣକୁ କମା ଯାଇପାରିବ ବୋଲି ମତ ଦେଇଥିଲେ।

publive-image Sambad

ଟାଟା ମୋଟର୍ସର ବ୍ୟବସାୟିକ ମୁଖ୍ୟ (ଟ୍ରକ୍‌) ଶ୍ରୀ କୌଲ ନିଜ ଅଭିଭାଷଣରେ ସ୍କ୍ରାପିଂ ୟାର୍ଡ ସ୍ଥାପନରେ ରାଜ୍ୟ ସରକାର ଓ ଏମ୍ପ୍ରିଓ ପ୍ରିମିୟମର ସହଯୋଗକୁ ପ୍ରଶଂସା କରିଥିଲା। ଜଣେ ଗ୍ରାହକ ନିଜର ପୁରୁଣା ଗାଡ଼ିକୁ ଉଚିତ ମୂଲ୍ୟରେ ଓ ସମ୍ମାନର ସହକାରେ ସ୍କ୍ରାପିଂ କରାଇ ପାରିବ। ଏଥିପାଇଁ ବିଶ୍ବସ୍ତରର ଯାନ୍ତ୍ରିକ କୌଶଳ ବ୍ୟବହାର କରାଯାଇଛି, ଯାହାଦ୍ବାରା ପରିବେଶ ଉପରେ ପୁରୁଣା ଗାଡ଼ି ଗୁଡ଼ିକର ସ୍କ୍ରାପିଂ କରିବା ବେଳେ କୌଣସି ନକରାତ୍ମକ ପ୍ରଭାବ ପଡ଼ିବ ନାହିଁ।

ଏମ୍ପ୍ରିଓ ପ୍ରିମିୟମର ଅଧ୍ୟକ୍ଷ ଗଙ୍ଗାଧର ସାମଲ କହିଥିଲେ ଏହି ସ୍କ୍ରାପିଂ ୟାର୍ଡରେ ଦୈନିକ ୪୦ଟି ଓ ବର୍ଷକୁ ପ୍ରାୟ ୧୦ହଜାର ଯାତ୍ରୀବାହୀ ଓ ପରିବହନ ଯାନର ସ୍କ୍ରାପିଂ ​ ପରିବେଶ ଅନୁକୂଳ ବ୍ୟବସ୍ଥାରେ ହୋଇ ପାରିବ। ଏଠାରେ ନିୟୋଜିତ ହୋଇଥିବା ବୈଷୟିକ କର୍ମଚାରୀ ବିଦେଶରେ ଏନେଇ ପ୍ରଶିକ୍ଷିତ ହୋଇଛନ୍ତି। ​ଟାଟା ମୋଟର୍ସ ସହ ସହଯୋଗିତାରେ ଖୋର୍ଦ୍ଧାରେ ପ୍ରଥମ ସ୍କ୍ରାପିଂ ୟାର୍ଡ ଖୋଲିବା ପରେ ବର୍ତ୍ତମାନ ମୟୂରଭଞ୍ଜ, ଅନୁଗୁଳ ଆଦି ସ୍ଥାନରେ ଖୋଲିବାର ଯୋଜନା ରହିଛି ବୋଲି କହିଥିଲେ। ସୂଚନାଯୋଗ୍ୟ, ଟାଟାମୋର୍ଟସ ପକ୍ଷରୁ ରାଜସ୍ଥାନର ଜୟପୁରରେ ପ୍ରଥମ ସ୍କ୍ରାପିଂ ୟାର୍ଡ ସ୍ଥାପନ କରାଯାଇଛି। ଏମ୍ପ୍ରିଓ ପ୍ରିମିୟମର ସହାୟତାରେ ଓଡ଼ିଶାର ସ୍ଥାପିତ ହୋଇଥିବା ସ୍କ୍ରାପିଂ ୟାର୍ଡ କମ୍ପାନିର ଦ୍ବିତୀୟ ପଞ୍ଜୀକୃତ ଯାନବାହନ ସ୍କ୍ରାପିଂ ବ୍ୟବସ୍ଥା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe