ବିଜୟ ଉତ୍ସବରେ କରୁଣ ଚିତ୍କାର ହଜି ନଯାଉ

Advertisment
ବିଜୟ ଉତ୍ସବରେ କରୁଣ ଚିତ୍କାର ହଜି ନଯାଉ

NDTV.com

ଭୁବନେଶ୍ବର, (ମହମ୍ମଦ ହିଫ୍‌ଜୁର ରହେମାନ୍): କରୋନାର ଭୟଙ୍କର ବିସ୍ଫୋରଣ ମଧ୍ୟରେ ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ସଂପନ୍ନ ହୋଇଛି। ଆଜି ଭୋଟ୍ ଗଣତି ସହ ଫଳାଫଳ ମଧ୍ୟ ଘୋଷିତ ହୋଇଛି। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମକର୍ତାଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସର ପରିବେଶ ରହିଛି। କିନ୍ତୁ ଅନ୍ୟପଟେ କରୋନାର ଯନ୍ତ୍ରଣାରେ ମଧ୍ୟ ସାରା ଦେଶ ଛଟପଟ ହେଉଛି। ଲୋକେ ବଞ୍ଚିବା ପାଇଁ ମୃତ୍ୟୁ ସହ ଲଢ଼େଇ ଜାରି ରଖିଛନ୍ତି। କେଉଁଠି ଶଯ୍ୟାର ଅଭାବ ପଡ଼ିଲାଣି, କେଉଁଠି ମେଡିକାଲର ଅଭାବ। ପୁଣି ଅକ୍ସିଜେନ୍ ମିଳୁନଥିବାରୁ ଡାକ୍ତର ଓ ଡାକ୍ତରଖାନା ହାତ ଟେକିଦେଲେଣି। କରୋନା ‌େଯାଗୁଁ ଏତେ ଲୋକ ମରୁଛନ୍ତି ଯେ ମରଶରୀରକୁ ସସମ୍ମାନ ଅନ୍ୟେଷ୍ଟି ପାଇଁ ଅପେକ୍ଷା କରିବାକୁ ପଡ଼ୁଛି।

କରୋନାର ଦ୍ବିତୀୟ ଲହରର ଏଭଳି ଭୟଙ୍କର ରୂପ ପାଇଁ କିଏ ଦାୟୀ? ଏହା ଉପରେ ଏବେ ଚର୍ଚା କରିବାର ସମୟ ନାହିଁ। ମାଡ୍ରାସ ହାଇକୋର୍ଟ ଏସଂପର୍କ‌େର ସ୍ପଷ୍ଟ ମତ ଦେଇ ସାରିଛନ୍ତି। ସ୍ଥାନୀୟ ଗଣମାଧ୍ୟମ ନିରବ ଥିଲେ ମଧ୍ୟ ବିଦେଶୀ ଗଣମାଧ୍ୟମ ସରକାରଙ୍କ ଉପରେ ଅପବାଦର ‌େବାଝ ଲଦି ଚାଲିଛନ୍ତି। ଗତବର୍ଷ ଉଚିତ ରଣନୀତି ଜରିଆରେ କରୋନାକୁ ଅଟକାଇ ଆମ ସରକାର ଦେଶବିଦେଶରେ ଯେଉଁ ପ୍ରଶଂସା ସାଉଁଟିଥିଲେ ତାହା ଏବେ କରୋନାର ଦ୍ବିତୀୟ ଲହରରେ ଭାସିଯାଇଛି।

ବିଧାନସଭା ନିର୍ବାଚନ ପ୍ରଚାର ଅଭିଯାନରେ ଯେତେବେଳେ ୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ କମ୍ପୁଥିଲା, ସେତେ‌େବଳେ କରୋନ‌ା ଭୟଙ୍କର ରୂପ ନେଇ ଏହାର କାୟା ବିସ୍ତାର କରି ଚାଲିଥିଲା। ଏପ୍ରିଲ ମାସରେ ନିର୍ବାଚନ ପ୍ରଚାର ଶୀର୍ଷରେ ଥିବା ବେଳେ କରୋନା ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଥିଲା। କେବଳ ଏପ୍ରିଲ ମାସରେ ୬୬ ଲକ୍ଷ ଲୋକ ସଂକ୍ରମିତ ହୋଇଥିଲେ। ମାର୍ଚ ମାସରେ ସଂକ୍ରମିତ ସଂଖ୍ୟାରୁ ଏହା ଥିଲା ୧୦ ଲକ୍ଷ ୨୫ ହଜାର ଅଧିକ। ଫେବ୍ରୁଆରୀ ମାସରେ ସାଢ଼େ ତିନି ଲକ୍ଷ ଲୋକ ସଂକ୍ରମିତ ହୋଇଥିବା ବେଳେ ମାର୍ଚରେ ୫୫ ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିଲେ। କେବଳ ସଂକ୍ରମଣ ନୁହେଁ, ମୃତ୍ୟୁସଂଖ୍ୟା ବି ରେକର୍ଡ କରିଥିଲା। କେବଳ ଏପ୍ରିଲ ମାସରେ କରୋନାରେ ୪୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଏହାର ପୂର୍ବ ମାସ ମାର୍ଚରେ ୫ ହଜାର ଏବଂ ଫେବ୍ରୁଆରୀରେ ‌ଅଢ଼େଇ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥ‌ିଲେ। ଏପରିକି ଆଜିର ଦିନରେ ୩୭୦୦ ରୋଗୀ ପ୍ରାଣ ହରାଇଥିବା ବେଳେ ୩ ଲକ୍ଷ ୯୨ ହଜାର ଆକ୍ରାନ୍ତ ହୋଇଛନ୍ତି।

ନୂଆ ରକମର କରୋନା ସଂକ୍ରମଣ ଯୋଗୁଁ ଚିକିତ୍ସା ସୁବିଧା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଅକ୍ସିଜେନ୍ ସଙ୍କଟ ସବୁଠାରୁ ବଡ଼ ଧରଣର ସମସ୍ୟା ଭାବେ ଉଭା ହୋଇଛି। ଗତବର୍ଷ ଏଭଳି ସଙ୍କଟ ଦେଖିବାକୁ ମିଳିନଥିଲା। ଏବେ ମେଡିକାଲ ଅକ୍ସିଜେନର ଚାହିଦା ୮ ଗୁଣା ବଢ଼ିଯାଇଛି, ଯାହାକି ଅପ୍ରତ୍ୟାଶିତ। ତୁରନ୍ତ ଏହାର ଉତ୍ପାଦନ ବଢ଼ାଇବାର ଆବଶ୍ୟକତା ରହିଛି। ସେହିଭଳି କୋଭିଡ୍ ଟିକାକୁ ନେଇ ମଧ୍ୟ ଅନିଶ୍ଚିତତା ଲାଗି ରହିଛି। ଚାହିଦା ଅନୁସାରେ କଂପାନୀମାନେ ଯୋଗାଇପାରୁ ନାହାନ୍ତି। ପୁଣି ଟିକାକୁ ନେଇ ବ୍ୟବସାୟ। କେନ୍ଦ୍ର, ରାଜ୍ୟ ଏବଂ ଘରୋଇ ସଂସ୍ଥା ପାଇଁ ଟିକା କଂାପନୀମାନେ ବିଭିନ୍ନ ପ୍ରକାର ଦର ଧାର୍ଯ୍ୟ କରୁଥିବାରୁ ସୁ୍ପ୍ରିମ କୋର୍ଟ ଅସନ୍ତୋଷ ପ୍ରକାଶ କଲେଣି। କଂପାନୀମାନଙ୍କ ଠାରୁ କିଣି ସମସ୍ତ ନାଗରିକଙ୍କୁ ମାଗଣା ଟିକା ଯୋଗାଇବା ଲାଗି ଦାବି ଜୋର ଧରିଛି। କେତେକ ରାଜ୍ୟ ସରକାର ମଧ୍ୟ ଏଥିପାଇଁ ଆାଗେଇ ଆସିଲେଣି।

ଏଭଳି ଏକ ସଙ୍କଟ ମୁହୂର୍ତରେ ରାଜନୈତିକ ଦଳ ଓ ନେତା ତଥା ସଂପୃକ୍ତ ରାଜ୍ୟ ସରକାର ବିଜୟ ଉତ୍ସବରେ ନମାତି କରୋନାର ମୁକାବିଲା ଲାଗି ଉଦ୍ୟମକୁ ଜୋରଦାର କରନ୍ତୁ। ଡାକ୍ତରଖାନା ଏବଂ ଶ୍ମଶାନରୁ ଉଠୁଥିବା କରୁଣ ଚିତ୍କାର ଶୁଣନ୍ତୁ ଏବଂ ଏହାର ନିରାକରଣ ପାଇଁ ବ୍ୟବସ୍ଥା କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe