ଛାତ୍ରାବାସରେ ପିଲାଙ୍କୁ ମିଳୁଛି ନିମ୍ନମାନର ଖାଦ୍ୟ; ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଛାତ୍ର

Advertisment
ଛାତ୍ରାବାସରେ ପିଲାଙ୍କୁ ମିଳୁଛି ନିମ୍ନମାନର ଖାଦ୍ୟ; ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଛାତ୍ର

ରାୟଗଡ଼ା: ଆଦିବାସୀ ଅଧ୍ୟୁଷିତ ଜିଲ୍ଲା  ରାୟଗଡ଼ାର ଗରିବ ଅନୁସୁଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ସ୍କୁଲଗୁଡିକରେ ଛାତ୍ରାବାସର ବ୍ୟବସ୍ଥା ସରକାର କରିଛନ୍ତି। କିନ୍ତୁ ଜିଲ୍ଲାରେ ପିଲାଙ୍କୁ ଛାତ୍ରାବାସଗୁଡ଼ିକରେ ଦୁର୍ବ୍ୟବହାର ସହ ଖାଇବାକୁ ପେଟପୂରା ଦିଆଯାଉନଥିବା ଅଭିଯୋଗ ଆସୁଥିବା ବହୁ ନଜିର ରହିଛି।

ସଦ୍ୟତମ ଘଟଣାକ୍ରମରେ ସ୍ଥାନୀୟ ଆରଏସଇଡବ୍ଲୁସି ହାଇସ୍କୁଲରେ ରହିଥିବା ଛାତ୍ରାବାସରେ ନିମ୍ନମାନର ଖାଦ୍ୟ ସହ ପ୍ରଧାନଶିକ୍ଷକଙ୍କ ଦୁର୍ବ୍ୟବହାର ଏବଂ ମାସିକ ସାମଗ୍ରୀ ନଦେଇ ପିଲାଙ୍କୁ ଧମକାଇବା ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଏଠାରେ ରହୁଥିବା ଛାତ୍ରମାନେ। ଏହି ହାଇସ୍କୁଲରେ ଷଷ୍ଠ ଶ୍ରେଣୀଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଛାତ୍ରାବାସର ସୁବିଧା ରହିଛି। ପ୍ରାୟ ୨୦୦ ପିଲା ଏଠାରେ ରହି ପାଠ ପଢୁଛନ୍ତି। କିନ୍ତୁ ଏଠାରେ ଲାଗି ରହିଥିବା ଅବ୍ୟବସ୍ଥା ସଂପର୍କରେ ମଙ୍ଗଳବାର ଶତାଧିକ ପିଲା ପ୍ରାୟ ୨ କିଲୋମିଟର ଚାଲି ଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। ଏହି ହାଇସ୍କୁଲର ପ୍ରଧାନଶିକ୍ଷକ ବିଭୂତି ଭୂଷଣ ରଥ ପିଲାଙ୍କୁ ସବୁବେଳେ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ପିଲାଙ୍କ ବାଳକୁ ଜବରଦସ୍ତ କାଟି ପକାଉଛନ୍ତି। ଛାତ୍ରାବାସରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ନେଇ ଅଭିଯୋଗ କଲେ ଘରକୁ ଚାଲିଯିବାକୁ ଧମକ ଦେଉଛନ୍ତି। ତୁମେ ଘରେ ଏଭଳି ଖାଦ୍ୟ ଖାଉଛ କି ବୋଲି ପ୍ରଶ୍ନ କରୁଛନ୍ତି। ପାଟିକଲେ ଟିସି ଦେଇ ବିଦା କରିଦେବି ବୋଲି ଧମକ ଦେଉଛନ୍ତି।

publive-image

ଛାତ୍ରାବାସରେ ପିଲାଙ୍କୁ ମିଳୁଥିବା ଦୈନନ୍ଦିନ ସାମଗ୍ରୀ କମ୍ ଦେଇ ୬ ମାସର ଦିଆଯାଇଥିବା କହି ଦସ୍ତଖତ କରାଉଥିବା ଛାତ୍ରମାନେ ଅଭିଯୋଗ କରିଥିଲେ। ଜିଲ୍ଲାପାଳଙ୍କୁ ଭେଟି ଛାତ୍ରମାନେ ଛାତ୍ରାବାସରେ ରହିଥିବା ପୁଳାପୁଳା ସମସ୍ୟା ସଂପର୍କରେ ବଖାଣିଥିଲେ। ତୁରନ୍ତ ଜିଲ୍ଲାପାଳ ଡିଡବ୍ଲୁଓ ଏବଂ ଡିଇଓଙ୍କୁ ଡାକି ପିଲାଙ୍କ ସାମ୍ନାରେ ସମସ୍ୟାର ସମାଧାନ ତୁରନ୍ତ କରିବା ପାଇଁ ତାଗିଦ କରିଥିଲେ। ପିଲାମାନେ ସ୍କୁଲ ଛାଡ଼ି ଚାଲି ଚାଲି ଦୁଇ କିଲୋମିଟର ବାଟ ଆସି ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଥିଲେ ମଧ୍ୟ ନା ସ୍କୁଲ କର୍ତ୍ତୃପକ୍ଷ ଜାଣିଛନ୍ତି ନା ଜିଲ୍ଲା ଅଧିକାରୀ ଅବଗତ ରହିଛନ୍ତି।

ପ୍ରକାଶ ଥାଉକି ଏହା ପୂର୍ବରୁ ଅନ୍ବେଷା ଛାତ୍ରାବାସରେ ମଧ୍ୟ ପିଲାଙ୍କୁ କିଭଳି ଦୟନୀୟ ଅବସ୍ଥାରେ ରଖାଯାଉଛି ସେନେଇ ପିଲାମାନେ ଅଭିଯୋଗ କରିବା ପରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିଥିଲା। ଏପରିକି ବିଜେପି ତୁରନ୍ତ ଅନ୍ବେଷା ହୋଷ୍ଟେଲରେ ରହିଥିବା ସମସ୍ୟାକୁ ସମାଧାନ କରିବାକୁ ଦାବି କରିଥିଲା।ଏବେ ପୁଣି ଜିଲ୍ଲା ସଦର ମହକୁମାରେ ରହିଥିବା ଏହି ହାଇସ୍କୁଲର ହଷ୍ଟେଲରେ ପିଲାଙ୍କୁ ଅତି ଦୟନୀୟ ଭାବେ ବ୍ୟବହାର ଓ ରଖାଯାଉଥିବା ନେଇ କଥା ପଦାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ସଜାଗ ହୋଇଛି।ଏନେଇ ଡିଡବ୍ଲୁଓଙ୍କୁ ପଚାରିବାରୁ ସେ ଏସଂପର୍କରେ ଅବଗତ ନଥିବା ବେଳେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ସେହିପରି ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ରଥଙ୍କୁ ପଚାରିବାରୁ ସେ ଏହି ଅଭିଯୋଗ ଭିତ୍ତିହୀନ ବୋଲି କହିବା ସହ ପିଲାଙ୍କୁ ସେ କେବେ ମଧ୍ୟ ଦୁର୍ବ୍ୟବହାର କରିନଥିବା ସହ ପିଲାଙ୍କର କୌଣସି ସମସ୍ୟା ନଥିବା ଯୁକ୍ତି ବାଢିଥିଲେ। ତେବେ ତଦନ୍ତ ହେଲେ ଏହାର ସତ୍ୟାସତ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe