ଜିଲ୍ଲାରେ ଏସ୍‌ଡିସିସି ସଦସ୍ୟ ନିଯୁକ୍ତି ପ୍ରସଙ୍ଗ: ନେତା ଓ କର୍ମୀ ମହଲରେ କୁହୁଳୁଛି ଅସନ୍ତୋଷ

Advertisment
ଜିଲ୍ଲାରେ ଏସ୍‌ଡିସିସି ସଦସ୍ୟ ନିଯୁକ୍ତି ପ୍ରସଙ୍ଗ: ନେତା ଓ କର୍ମୀ ମହଲରେ କୁହୁଳୁଛି ଅସନ୍ତୋଷ

www.sdcodisha.in

ରାଉରକେଲା: କିଛି ମାସ ପୂର୍ବରୁ  ସୁନ୍ଦରଗଡ଼ ଜିଲ୍ଲାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ (ଏସ୍‌ଡିସିସି) ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ସଦସ୍ୟ ନିଯୁକ୍ତି ହୋଇଛନ୍ତି। ଅଧ୍ୟକ୍ଷ  ଭାବେ ବିନୟ କୁମାର ଟପ୍ପୋ, ଉପାଧ୍ୟକ୍ଷ ଭାବେ ନୂଆଗାଁ ବ୍ଲକ ସୋରଡା ପଞ୍ଚାୟତର ପୂର୍ବତନ ବ୍ଲକ ଅଧ୍ୟକ୍ଷା ସୁଶୀଲା ଟପ୍ନୋଙ୍କୁ ନିଯୁକ୍ତି ଦିଆଯାଇଛି। ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ନିଯୁକ୍ତି ଜିଲ୍ଲାର ସମସ୍ତ ନେତା ଓ କର୍ମୀ ସ୍ବାଗତ କରିଛନ୍ତି। ଜିଲ୍ଲାର ଆଦିବାସୀଙ୍କର ଉନ୍ନତି ପାଇଁ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷାଙ୍କୁ ଏହି ଗୁରୁଦାୟିତ୍ବ ମିଳିଥିବାରୁ ଦଳର ନେତା ଓ କର୍ମୀଙ୍କ ମହଲରେ ଖୁସି ଲହରି ଖେଳିଯାଇଛି। ଜିଲ୍ଲାର ୧୧ ଏସ୍‌ଡିସିସି ସଦସ୍ୟ ରହିବା କଥା। ୯ ଜଣଙ୍କୁ ନିଯୁକ୍ତି ମିଳିଛି, ଏ ଯାଏଁ ଅନ୍ୟ ଦୁଇ ସଦସ୍ୟ କାହାକୁ ଦିଆଯିବ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇ ନାହିଁ। ଯେଉଁ ୯ ଜଣଙ୍କୁ ଏସ୍‌ଡିସିସି ସଦସ୍ୟ ନିଯୁକ୍ତି ମିଳିଛି, ତାକୁ ନେଇ ଦଳର ଅନେକ ନେତା ଓ କର୍ମୀମାନେ ପ୍ରଶ୍ନ ଉଠାଇଛନ୍ତି। ସମ୍ପୃ୍କ୍ତ ଅଞ୍ଚଳର ‌ନେତା ଓ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖାଦେଇଛି। ଦଳର ଅନେକ ଆଗଧାଡ଼ିର ନେତା ଓ କର୍ମୀମାନେ ସଦସ୍ୟ ପଦବୀ ପାଇବାକୁ ନିଜ ନିଜ ଅଞ୍ଚଳରୁ ଲବି କରିଥିଲେ।

ହେଲେ ସେମାନଙ୍କୁ ନିରାଶ ହେବାକୁ ପଡିଥିଲା। ଅପରପକ୍ଷେ ଜିଲ୍ଲାର କୁଆରମୁଣ୍ଡା, ବିଶ୍ରା, ଲାଠିକଟା ଓ ନୂଆଗାଁ ବ୍ଲକରେ ଯେଉଁମାନଙ୍କୁ ଏସ୍‌ଡିସିସି ପଦବୀ ମିଳିଛି,  ସେମାନେ ପୂର୍ବରୁ ଦଳର ଅନ୍ୟ ପଦପଦବୀରେ ରହିଛନ୍ତି। କେବଳ ଏହି ଚାରିଟି ବ୍ଲକ ନୁହେଁ ଅନ୍ୟ କିଛି ବ୍ଲକରେ ମଧ୍ୟ ସେହି ସମାନ ସ୍ଥିତି ଉପୁଜିଛି। ଏମାନଙ୍କ ମଧ୍ୟରୁ କିଏ ଲ୍ୟାମ୍ପସର ନିର୍ଦ୍ଦେଶକ ତ ଅନ୍ୟ କିଏ ସମବାୟ ବ୍ୟାଙ୍କର ସଦସ୍ୟ ରହିଛନ୍ତି। ପୁଣି କିଏ ସମିତି ସଭ୍ୟ, ସରପଞ୍ଚ ଓ ବିଜେଡି ଛାତ୍ର ଜନତା ଦଳର ଯୁଗ୍ମ ସମ୍ପାଦକ ପଦବୀରେ ରହିଛନ୍ତି। ଏସବୁ ବ୍ଲକରେ ଅନେକ ଆଗଧାଡିରେ ନେତା ଥିବାସତ୍ବେ ଏସ୍‌ଡିସିସି ପଦରେ ଅବସ୍ଥାପିତ କରିବା କେତେ ଦୂର ଯୁକ୍ତିଯୁକ୍ତି ବୋଲି ଦଳ ନେତା ଓ କର୍ମୀମାନେ ଅଭିଯୋଗ କରିଛନ୍ତି। ସେମିତି ଏସ୍‌ଡିସିସି ଭଳି ଗୁରୁତ୍ବପୂର୍ଣ୍ଣ ପଦବୀରେ ସମ୍ପୃକ୍ତ ଅଞ୍ଚଳ କିସାନ, ଖାଡ଼ିଆ ଭଳି ଅନେକ ସମ୍ପ୍ରଦାୟ ସଦସ୍ୟମାନଙ୍କୁ ମଧ୍ୟ ଅଣଦେଖା କରାଯାଉଛି। ଜିଲ୍ଲାର ଆଦିବାସୀମାନଙ୍କ ବୃହତ ସ୍ବାର୍ଥଦୃଷ୍ଟିରୁ  ବିଭିନ୍ନ ପଦ ପଦବୀରେ ଥିବା ନେତାଙ୍କୁ ଏସ୍‌ଡିସିସି ପଦବୀ ପ୍ରତ୍ୟାହାର କରି ଅନ୍ୟମାନଙ୍କୁ ସୁ‌ଯୋଗ ଦେବାକୁ ଜିଲ୍ଲାର ନେତା ଓ କର୍ମୀମାନଙ୍କ ପକ୍ଷରୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe