Advertisment

ସମୁଦ୍ରପଥ ମୁକୁଳା: ବଢ଼ୁଛି ବଙ୍ଗଭାଷୀଙ୍କ ଅନୁପ୍ରବେଶ

Advertisment

ଲକ୍ଷ୍ୟଠାରୁ ଦୂରରେ ସାମୁଦ୍ରିକ ଥାନା, ବାଂଲାଦେଶ ଘଟଣା ପରେ ବଢ଼ୁଛି ଚିନ୍ତା

ଲକ୍ଷ୍ୟଠାରୁ ଦୂରରେ ସାମୁଦ୍ରିକ ଥାନା, ବାଂଲାଦେଶ ଘଟଣା ପରେ ବଢ଼ୁଛି ଚିନ୍ତା

ସମୁଦ୍ରପଥ ମୁକୁଳା: ବଢ଼ୁଛି ବଙ୍ଗଭାଷୀଙ୍କ ଅନୁପ୍ରବେଶ

ବାଲେଶ୍ବର/ଚାନ୍ଦିପୁର/ଚନ୍ଦନେଶ୍ବର: ୨୦୦୮ରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ କେନ୍ଦ୍ର ସରକାର ଦେଶର ସାମୁଦ୍ରିକ ଜଳପଥକୁ କଡ଼ା ନଜର ରଖିବା ସହ ଉପକୂଳ ଅଞ୍ଚଳର ସୁରକ୍ଷାକୁ ଗୁରୁତ୍ବ ଦେଇ ସାମୁଦ୍ରିକ ଥାନା ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦିଆଗଲା। ଏଥିରେ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ବାଲେଶ୍ବର ଜିଲ୍ଲାର ବଳରାମଗଡ଼ି, କଷାଫଳ ଓ ତାଳସାରୀଠାରେ ୩ଟି ସାମୁଦ୍ରିକ ଥାନା ପ୍ରତିଷ୍ଠା ହେଲା। ହେଲେ, ଏହି ଥାନାଗୁଡ଼ିକ ଥାଇ ମଧ୍ୟ ସମୁଦ୍ରପଥ ମୁକୁଳା। ଫଳରେ, ସମୁଦ୍ର ବାଟ ଦେଇ ବଙ୍ଗଭାଷୀଙ୍କ ଅନୁପ୍ରବେଶ ବଢ଼ିବାରେ ଲାଗିଛି। ବାଂଲାଦେଶ ଘଟଣା ପରେ ଅଧିକ ସତର୍କତାମୂଳକ ପଦକ୍ଷେପର ଆବଶ୍ୟକତା ଥିବାବେଳେ ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି ନାହିଁ। ବାଲେଶ୍ବର ଜିଲ୍ଲାର ୮୦ କିଲୋମିଟରରୁ ଊର୍ଦ୍ଧ୍ବ ସମୁଦ୍ର ଉପକୂଳ ରହିଛି। ସ୍ଥାନୀୟ ଅଞ୍ଚଳର ଆଇନଶୃଙ୍ଖଳା ପରିସ୍ଥିତିକୁ ତଦାରଖ ଓ କାର୍ଯ୍ୟାନୁଷ୍ଠାନ କରିବା ସହ ସମୁଦ୍ରପଥ ଦେଇ ଅନୁପ୍ରବେଶ ରୋକିବା ସାମୁଦ୍ରିକ ଥାନାର ମୂଳ ଲକ୍ଷ୍ୟ ରହିଥିଲା। ମାତ୍ର, ଏହି ଥାନା ପ୍ରତିଷ୍ଠାର ୧୫ରୁ ଅଧିକ ବର୍ଷ ବିତିଥିବା ସତ୍ତ୍ୱେ ବିଭିନ୍ନ କାରଣରୁ ଏହାର ପରିଚାଳନାରେ ଏବେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ଏବେ ବାଂଲାଦେଶର ସ୍ଥିତି ଯାହା ରହିଛି, ତାକୁ ଦୃଷ୍ଟିରେ ରଖି ସାମୁଦ୍ରିକ ଥାନା ଇଲାକାରେ ସରକାର ହାଇଆଲର୍ଟ ଜାରି କରିଥିବା ବେଳେ ବାଲେଶ୍ବର ଜିଲ୍ଲାର ସାମୁଦ୍ରିକ ଥାନାଗୁଡ଼ିକ ଲକ୍ଷ୍ୟଠାରୁ ବହୁ ଦୂରରେ ରହିଥିବା ଦେଖାଯାଇଛି।

ଲକ୍ଷ୍ୟଠାରୁ ଦୂରରେ ସାମୁଦ୍ରିକ ଥାନା
ବାଂଲାଦେଶ ଘଟଣା ପରେ ବଢ଼ୁଛି ଚିନ୍ତା
ମୁକାବିଲା ପାଇଁ ଭିତ୍ତିଭୂମି ନାହିଁ

ବଳରାମଗଡ଼ି ସାମୁଦ୍ରିକ ଥାନାର ସ୍ଥିତି ସମ୍ପର୍କରେ ଯଦି କହିବା, ଏହି ଥାନାକୁ ପ୍ରଥମେ ଜଣେ ଇନ୍ସପେକ୍ଟର, ୬ ଜଣ ସବ୍‌ଇନ୍ସପେକ୍ଟର, ୬ ଜଣ ଏଏସ୍‌ଆଇ, ୧୭ ଜଣ ହାବିଲଦାର, ୪୮ ଜଣ କନେଷ୍ଟବଳ, ୧୬ ଜଣ ଅବସରପ୍ରାପ୍ତ ନୌସେନା ଯବାନ ନିଯୁକ୍ତି ପାଇଥିବା ବେଳେ ୨ଟି ପୁଲିସ ଭ୍ୟାନ୍ ଓ ୨ଟି ମୋଟର ବୋଟ୍ ଦିଆଯାଇଥିଲା। ହେଲେ ବର୍ତ୍ତମାନ ଜଣେ ଆଇଆଇସି, ଜଣେ ଏଏସ୍‌ଆଇ, ୨ ଜଣ କନେଷ୍ଟବଳ ଏବଂ ୩ ଜଣ ହୋମଗାର୍ଡଙ୍କୁ ନେଇ ଏ ଥାନା ଚାଲୁଥିବା ଦେଖାଯାଇଛି। ସେଥିରେ ପୁଣି ଦୁର୍ବଳ ଭିତ୍ତିଭୂମି ସାଙ୍ଗକୁ ସାମୁଦ୍ରିକ ଥାନାକୁ ଯାହା ସୁବିଧା ମିଳିବା ଦରକାର ତାହା ଆଦୌ ଯୋଗାଇ ଦିଆଯାଇନଥିବା ଜଣେ ପୁଲିସ କର୍ମୀ ଅଭିଯୋଗ କରିଛନ୍ତି। ଏହାପରେ କଷାଫଳଠାରେ ସମୁଦ୍ର କୂଳରେ ଏକ ଥାନା ପ୍ରତିଷ୍ଠା କରାଯାଇ ବଳରାମଗଡ଼ି ଭଳି ସମାନସଂଖ୍ୟକ ପୁଲିସ ଅଧିକାରୀ ଓ କର୍ମଚାରୀ ନିଯୁକ୍ତି ପାଇଥିଲେ। ହେଲେ, ବର୍ତ୍ତମାନ ଏହି ଥାନା ଜଣେ ଏସ୍‌ଆଇ, ଜଣେ ଏଏସ୍‌ଆଇଙ୍କ ସମେତ ୫ କନେଷ୍ଟବଳ ଓ ୪ ହୋ‌ମ୍‌ଗାର୍ଡଙ୍କ ଭରସାରେ ଚାଲିଥିବା ଦେଖାଯାଇଛି। ସେହିପରି ୨୦୧୪ ମସିହାରେ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ତାଳସାରୀ ବେଳାଭୂମିଠାରେ ପ୍ରତିଷ୍ଠା ହୋଇଥିଲା ଆଉ ଏକ ସାମୁଦ୍ରିକ ଥାନା। ମିଳିଥିବା ସୂଚନା ଅନୁଯାୟୀ, ଏବେ ଏହି ଥାନା ଜଣେ ଆଇଆଇସି, ଦୁଇ ଜଣ ଏଏସ୍‌ଆଇ, ୨ ଜଣ ହାବିଲଦାର ଓ ୮ ଜଣ କନେଷ୍ଟବଳଙ୍କୁ ନେଇ ଚାଲିଛି।

ସବୁଠାରୁ ଚିନ୍ତାର ବିଷୟ ହେଉଛି, ରୂପାନ୍ତରୀକରଣ ନାଁରେ କିଛିମାସ ପୂର୍ବରୁ ଏହି ଥାନାଗୁଡ଼ିକୁ କେବଳ ରଙ୍ଗ ଲଗାଯାଇ ଚକାଚକ କରାଯାଇଛି। ଏହାବାଦ୍‌ ପ୍ରତ୍ୟେକ ସାମୁଦ୍ରିକ ଥାନାରେ ୮୧ ଜଣ ପୁଲିସ କର୍ମଚାରୀ ରହିବାକୁ ନିୟମ ରହିଥିବା ବେଳେ ବିନା କର୍ମଚାରୀ ଏବଂ ଦୁର୍ବଳ ଭିତ୍ତିଭୂମିରେ ଥାନା ଚାଲିଛି। ଦିନକୁ ଦିନ ଖୋଲାମେଲା ସମୁଦ୍ରତଟ ଅଞ୍ଚଳରେ ବଙ୍ଗଭାଷୀ ଅନୁପ୍ରବେଶକାରୀଙ୍କ ଜନବସତି ଗଢ଼ିଉଠୁଛି। ରାତି ଅନ୍ଧାରରେ ସମୁଦ୍ର ମଧ୍ୟ ଦେଇ ସେମାନେ ବୋଟ୍‌, ଡଙ୍ଗା ଓ ଟ୍ରଲର୍‌ ଆଦିରେ ଏଠାକୁ ଆସୁଥିବା ବେଳେ ଦେଶର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଫଳରେ କୌଣସି ଅସାମାଜିକ ବା ଦେଶବିରୋଧୀ ତତ୍ତ୍ବଙ୍କ ସହ କିପରି ମୁକାବିଲା କରାଯିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ପୁଲିସ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ହସ୍ତଗତ ହୋଇନାହିଁ। ତେବେ, ସରକାର ତୁରନ୍ତ ଏହି ସାମୁଦ୍ରିକ ଥାନାଗୁଡ଼ିକର ଭିତ୍ତିଭୂମିକୁ ମଜବୁତ କରାଇ କ୍ରିୟାଶୀଳ କରିବାକୁ ଅଞ୍ଚଳବାସୀଙ୍କ ତରଫରୁ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe