Representational image
ବରଗଡ଼ : ଯୁକ୍ତ ୨ ଭଳି ଯୁକ୍ତ ୩ରେ ମଧ୍ୟ ଖାଲି ସିଟ୍ ସଂଖ୍ୟା ବଢ଼ିଛି। ଗତବର୍ଷ ତୁଳନାରେ ଏଥର ଦୁଇଗୁଣା ସିଟ୍ ଫାଙ୍କା ପଡ଼ିଛି। ଗତବର୍ଷ ମୋଟ୍ ୧,୬୧୪ ସିଟ୍ ଖାଲି ଥିବାବେଳେ ଏଥର ସଂଖ୍ୟା ୩,୨୪୭ ରହିଥିବା ଉଚ୍ଚଶିକ୍ଷା ବିଭାଗର ପରିସଂଖ୍ୟାନରୁ ଜଣାପଡ଼ିଛି। ସ୍ପଟ୍ ଆଡ୍ମିସନ୍ ସତ୍ତ୍ୱେ ମାତ୍ରାଧିକ ସିଟ୍ ଫାଙ୍କା ପଡ଼ିବା ଚିନ୍ତା ବଢ଼ାଇ ଦେଇଛି।
ଉଭୟ ସରକାରୀ ଏବଂ ଘରୋଇ କଲେଜ୍ରେ ସିଟ୍ ଖାଲି ରହିଛି। ତେବେ କିଛି ଘରୋଇ କଲେଜ୍ର ସ୍ଥିତି ଏଭଳି ଯେ ପାଠ ପଢ଼ାଇବା ପାଇଁ ପର୍ଯ୍ୟାପ୍ତ ପିଲା ନାହାନ୍ତି। ଯୁକ୍ତ-୩ର କଳା, ପଦାର୍ଥ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ବାଣିଜ୍ୟ, ସେଲ୍ଫ ଫାଇନାନ୍ସ ଏବଂ ସଂସ୍କୃତରେ ଉପଲବ୍ଧ ସିଟ୍ରୁ ପାଖାପାଖି ଅଧା ଖାଲି ରହିଛି। ଚଳିତ ବର୍ଷ ଜିଲ୍ଲାର ୩୬ଟି କଲେଜ୍ରେ ନାମଲେଖା ଆରମ୍ଭ ହୋଇଥିଲା। ମୋଟ୍ ୭,୮୪୦ଟି ସିଟ୍ ଉପଲବ୍ଧ ଥିଲା। କିନ୍ତୁ ୪,୪୯୩ ପିଲା ନାମ ଲେଖାଇଥିବାବେଳେ ୩,୩୨୪୭ ସିଟ୍ ଖାଲି ପଡ଼ିଛି। କୌଣସି ପାଠ୍ୟକ୍ରମ ପ୍ରତି ପିଲା ଆଗ୍ରହ ଦେଖାଉନଥିବା ପରିଲକ୍ଷିତ ହେଉଛି। ଏଥିପାଇଁ ତିନୋଟି କାରଣ ରହିଥିବା ବିଶେଷଜ୍ଞମାନେ କହୁଛନ୍ତି।
ପ୍ରଥମଟି ହେଲା ଗୁଡ଼ାଏ କଲେଜ୍ରେ ବର୍ତମାନ ଯାଏଁ ଭିତ୍ତିଭୂମିର ବିକାଶ ହୋଇନାହିଁ। ସେହି ଭଂଗାଦଦରା କୋଠରୀ ଭିତରେ ପାଠପଢ଼ା ଚାଲିଛି। ଜିଲ୍ଲାରେ ଏଭଳି କଲେଜ୍ ମଧ୍ୟ ରହିଛି, ଯେଉଁଠି ଶୌଚାଳୟ ନାହିଁ। ତେଣୁ ଏଭଳି କଲେଜ୍ରେ ଛାତ୍ରୀମାନେ ନାମ ଲେଖାଉନାହାନ୍ତି। ଏହାବାଦ୍ ଦ୍ବିତୀୟ କାରଣ ହେଲା, ପାରମ୍ପାରିକ ଶିକ୍ଷାବ୍ୟବସ୍ଥା ପିଲାଙ୍କୁ ଟାଣି ପାରୁନାହିଁ। ଯେଉଁ ପାଠ୍ୟକ୍ରମରେ ଚାକିରି ପାଇଁ ସମ୍ଭାବନା ରହିଛି, ସେହି ପାଠ୍ୟକ୍ରମ ପ୍ରତି ପିଲା ଆକୃଷ୍ଟ ହେଉଛନ୍ତି। ତେଣୁ ଯୁକ୍ତ ୨ ପରେ ବୈଷୟିକ ଶିକ୍ଷା ପ୍ରତି ପିଲାଙ୍କ ଆଗ୍ରହ ଜନ୍ମୁଥିବା କୁହାଯାଉଛି। ସିଟ୍ ଫାଙ୍କା ରହିବାର ପ୍ରମୁଖ କାରଣ ହେଲା କରୋନା। ଏଥର ପଢ଼ା ଆରମ୍ଭ ହେବ ନା ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ପାଠ୍ୟ ଖସଡ଼ାକୁ ନେଇ ବି ପିଲା ଚିନ୍ତାରେ ଅଛନ୍ତି। ତେଣୁ ଏଭଳି ଦୋଛକି ମଧ୍ୟରେ ନାମଲେଖା ପ୍ରତି ଆଗ୍ରହ କମିଥିବା ମଧ୍ୟ ଅନୁମାନ କରାଯାଉଛି।
Follow Us