ଏଣ୍ଟରପ୍ରାଇଜ୍‌ ଓଡ଼ିଶାର ଦ୍ବିତୀୟ ଦିବସ: ‘ଅର୍ଥନୈତିକ ଅଭିବୃଦ୍ଧି ପାଇଁ ରହିଛି ବିପୁଳ ସମ୍ଭାବନା’

Advertisment
ଏଣ୍ଟରପ୍ରାଇଜ୍‌ ଓଡ଼ିଶାର ଦ୍ବିତୀୟ ଦିବସ: ‘ଅର୍ଥନୈତିକ ଅଭିବୃଦ୍ଧି ପାଇଁ ରହିଛି ବିପୁଳ ସମ୍ଭାବନା’

ଝାରସୁଗୁଡ଼ା: ସ୍ଥାନୀୟ ଅମଲିପାଲି ପଡ଼ିଆରେ ଶୁକ୍ରବାର ଆରମ୍ଭ ହୋଇଥିବା ୨୪ତମ ସିଆଇଆଇ ଏଣ୍ଟରପ୍ରାଇଜ୍‌ ଓଡ଼ିଶାର ଦ୍ୱିତୀୟ ଦିନରେ ଆଜି କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଓ ଦକ୍ଷତା ବିକାଶ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଓଡ଼ିଶା କିଭଳି ଅଧିକ ସମୃଦ୍ଧ ହୋଇପାରିବ ଓ ବିଭିନ୍ନ କ୍ଷେତ୍ର କିଭଳି ବିକାଶ ପ୍ରକ୍ରିୟାରେ ଯୋଗ ଦେଇପାରିବେ ସେ ସମ୍ପର୍କରେ ବକ୍ତା ଓ ବିଶେଷଜ୍ଞମାନେ ଆଲୋଚନା କରିଥିଲେ। ଓଡ଼ିଶାରେ ରହିଥିବା ବିପୁଳ ସମ୍ଭାବନାକୁ କିଭଳି ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାରେ ବ୍ୟବହାର କରାଯାଇପାରିବ ତାହା ବି ଆଲୋଚନା ହୋଇଥିଲା। ଅଧିବେଶନଗୁଡ଼ିକରେ ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା, ଇପିକଲ୍ ଓ ଇଡ୍‌କୋ ଏମ୍‌ଡି ଭୂପେନ୍ଦ୍ର ସିଂହ ପୁନିଆ, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ତଥା ବିଶିଷ୍ଟ ବକ୍ତାମାନେ ଅଂଶଗ୍ରହଣ କରିଥିଲେ।

କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣରେ ସୁଯୋଗ ସମ୍ପର୍କରେ ବକ୍ତାମାନେ ଚାଷୀ ଓ କୃଷି ଉଦ୍ୟୋଗୀଙ୍କ ପାଇଁ ରହିଥିବା ସୁଯୋଗ ଉପରେ ଆଲୋକପାତ କରିଥିଲେ। ବିବିଧ ଫସଲ, ଲାଭକରୀ ଫସଲ ଚାଷ କରିବା ଏବଂ ଲଘୁ ଉଦ୍ୟୋଗ ଗଠନ କରି ନିଜ ଆୟ ବଢ଼ାଇବାକୁ ଉଦ୍ୟମ କରିବା ପାଇଁ ବକ୍ତାମାନେ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ। ନାନୋ ୟୁରିଆ ବ୍ୟବହାର ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ କହିଥିଲେ। ଏହି ଅଧିବେଶନରେ ବକ୍ତା ଭାବେ ଇପିକଲ୍ ଓ ଇଡ୍‌କୋର ଏମ୍‌ଡି ଶ୍ରୀ ପୁନିଆ, ସିଞ୍ଜେଟା ଫାଉଣ୍ଡେସନ୍‌ ଫର ସଷ୍ଟେନବଲ୍ ଏଗ୍ରିକଲ୍‌ଚର୍‌ର ଆଡ୍‌ଭାଇଜର୍ ଏମେରିଟସ ଡ. ପାର୍ଥ ଆର୍. ଦାସଗୁପ୍ତା, ଆବିସ ଏକ୍ସପୋର୍ଟର ଉପସଭାପତି ବର୍ଷା ଝା, କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡି, ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦ ଉପାଧ୍ୟକ୍ଷ ଡ. ପ୍ରଦୀପ ମହାନ୍ତି ଓ ଆଇଟିସି ଲିମିଟେଡ୍‌ ଉପସଭାପତି ଏଗ୍ରି ଆଣ୍ଡ୍ ଡେରି ଅପରେସନ୍ ସଚିନ ଶର୍ମା ଯୋଗ ଦେଇଥିଲେ।

ଶିଳ୍ପ ବିଭାଗ ପ୍ରମୁଖ ସଚିବ ଶ୍ରୀ ଶର୍ମା, ଥାଇସେନକ୍ରୁପ ଇଣ୍ଡଷ୍ଟ୍ରିଜ୍‌ର ନିର୍ଦ୍ଦେଶକ ଇନ୍ଦ୍ରନୀଲ ରାୟ, ହ୍ୱିପବକ୍ସର ପ୍ରତିଷ୍ଠାତା ନିର୍ମଳ ସିଂହ, ଜିଆଇଜେଡ୍ ଇଣ୍ଡିଆର ମହମ୍ମଦ ଭର୍ଦନ, ଟାଟା ଷ୍ଟ୍ରାଇଭ୍‌ର ସିଓଓ ଅମେୟା ଭଞ୍ଜରି ଓ ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜୀ ବକ୍ତବ୍ୟ ରଖିଥିଲେ। ମିସନ ଶକ୍ତି ଓ ମହିଳା ସଶକ୍ତୀକରଣ ଉପରେ ଅନୁଷ୍ଠିତ ଅଧିବେଶନରେ ଦେଶ ଓ ରାଜ୍ୟର ଉନ୍ନତି ପାଇଁ ମହିଳାମାନଙ୍କ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଉନ୍ନତି ଜରୁରୀ ବୋଲି ବକ୍ତାମାନେ କହିଥିଲେ। ଏଥିରେ ସୌଲ୍‌ର ପ୍ରତିଷ୍ଠାତା ପ୍ରଫେସର ସସ୍ମିତା ସାମନ୍ତ, ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆର ସହକାରୀ ମହାପ୍ରବନ୍ଧକ ଏଲ୍. ସଙ୍ଗୀତା କୁଜୁର, ଅଷ୍ଟ୍ରେଲିଆନ୍ କନ୍‌ସୁଲେଟ୍ ଜେନେରାଲ୍‌ ରୋୱନ ଏଇନ୍‌ସୱର୍ଥ, ମିସନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୀମା ଟିଗା ବକ୍ତା ଥିଲେ। ଦିବ୍ୟଜ୍ୟୋତି ଏସ୍‌ଏଚ୍‌ଜି ସଦସ୍ୟା ପ୍ରେମା ଦାଶ, ମୟୂରଭଞ୍ଜର ସୁମିତା ବାରିକ, ଝାରସୁଗୁଡ଼ା ମା’ ସମ୍ବଲେଶ୍ୱରୀ ଏସ୍‌ଏଚ୍‌ଜିର କୋଲାବରୀ ଚାନ୍ଦ ନିଜର ଅନୁଭୂତି କହିଥିଲେ।

ଷ୍ଟାର୍ଟଅପ୍ ସମ୍ପର୍କୀତ ଅଧିବେଶନରେ ଉଦ୍ୟୋଗୀ ଓ ଟ୍ରେଡରମାନଙ୍କୁ ସମ୍ମାନ ଜଣାଇବାକୁ ହେବ ତଥ‌ା ସହଜ ବ୍ୟବସାୟ ବାତାବରଣ ଉପରେ ଗୁରୁତ୍ବାରୋପ କରିବାକୁ ହେବ ସେଥିପାଇଁ ସରକାରୀ ସ୍ତରରେ ଓ ସମାଜରେ ପରିବର୍ତ୍ତନ ଆବଶ୍ୟକ ବୋଲି ବକ୍ତାମାନେ ‌କହିଥିଲେ। ଏଥିରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଶ୍ରୀ ଶର୍ମା, ଷ୍ଟାର୍ଟଅପ୍ ଓଡ଼ିଶା କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ. ଓମ୍‌କାର୍ ରାଏ, ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ମହାଦେବ ଜୟସ୍ୱାଲ, ୟଙ୍ଗ ଇଣ୍ଡିଆର ବିଶାଳ ଅଗ୍ରୱାଲା, ୱାଇଆଇର ପୂର୍ବ ଅଧ୍ୟକ୍ଷ ଅବନିଶ ନାୟକ, ସିଆଇଆଇ ୟଙ୍ଗ ଇଣ୍ଡିଆନସ, ଭୁବନେଶ୍ୱରର ଅଧ୍ୟକ୍ଷା ସୋନାଲ ଏନ. ମୋରେ, ପିଡବ୍ଲୁସିର ପାର୍ଟନର ଆଶୁତୋଷ ଚାନ୍ଦ ଓ ଝାରସୁଗୁଡ଼ା ଏସ୍‌ପି ପୁରୁଷୋତ୍ତମ ଦାସ ବକ୍ତା ଥିଲେ। ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍‌ ବିତରଣ କମ୍ପାନି ଟିପିଡବ୍ଲ୍ୟୁଓଡିଏଲ୍‌ ଏହି ପ୍ରଦର୍ଶନୀରେ ସାମିଲ୍‌ ହୋଇଛି। ଟିପିଡବ୍ଲ୍ୟୁଓଡିଏଲ୍‌ର ସିଇଓ ଇଂ. ଗଜାନନ କାଲେ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଛୋଟ, ମଧ୍ୟମ ଓ ବୃହତ୍‌ ଶିଳ୍ପଗୁଡ଼ିକର ଅଭିବୃଦ୍ଧି ପାଇଁ ବିଦ୍ୟୁତ୍‌ ସେବା ନିତାନ୍ତ ଜରୁରୀ ହୋଇଥିବା ବେଳେ ଟିପିଡବ୍ଲ୍ୟୁଓଡିଏଲ୍‌ ଏହି ସେବା ଯୋଗାଇବାରେ ଭିତ୍ତିଭୂମି ରୂପାନ୍ତରୀକରଣର ପ୍ରଚେଷ୍ଟା ଜାରି ରଖିଛି ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe