Kalinga TV
କରଞ୍ଜିଆ/ସିଙ୍ଗଡ଼ା: କରଞ୍ଜିଆ ଥାନା ଘୋଷଦା ଗ୍ରାମର ଦୀପ୍ତିମୟୀ ମହାକୁଡ଼ (୨୪)ଙ୍କୁ ସ୍ୱାମୀ ଏବଂ ଶ୍ବଶୁର ଘର ଲୋକ ନିର୍ଯାତନା ଦେବା ସହିତ ଯୌତୁକ ଦାବି କରିବା ଓ ଶେଷରେ ସ୍ବାମୀ ଦ୍ୱିତୀୟ ବିବାହ କରିବା ନେଇ ଆରକ୍ଷୀ ଅଧୀକ୍ଷକଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆଜି ମଧ୍ୟାହ୍ନରେ ଦୀପ୍ତିମୟୀ ଶ୍ବଶୁର ଘର ଘୋଷଦାରେ ପହଞ୍ଚି ନ୍ୟାୟ ପାଇଁ ଧାରଣା ଦେଇଥିଲେ। ଘଟଣାରୁ ପ୍ରକାଶ, କେନ୍ଦୁଝର ଜ଼ିଲ୍ଲା ବାରିଆ ଥାନା କାଶିପୁର ଗ୍ରାମର ସୁଭାଷ ମାଝୀଙ୍କ ଝିଅ ଦୀପ୍ତିମୟୀ ୧୭ ଫେବ୍ରୁଆରି ୨୦୧୬ରେ ଘୋଷଦା ଗ୍ରାମର ଧନେଶ୍ୱର ମହାକୁଡ଼ଙ୍କ ପୁଅ ଗଣେଶଙ୍କୁ ବୈଦିକରୀତିରେ ବିବାହ କରିଥିଲେ। ବିବାହ ସମୟରେ ଦାବି ଅନୁସାରେ ସୁନାଅଳଙ୍କାର, ଆସବାବପତ୍ର ସହ ନଗଦ ଏକଲକ୍ଷ ଟଙ୍କା ଦାବି କରାଯାଇଥିଲା।
ବିବାହର ଗୋଟିଏ ବର୍ଷ ପରେ ଦୀପ୍ତିଙ୍କ ଉପରେ ଶ୍ବଶୁର ଘର ଲୋକେ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେବା ସହ ୩ ଲକ୍ଷ ଟଙ୍କା ଯୌତୁକ ଦାବି କରିଥିଲେ। ପରେ ବାପା ସୁଭାଷ ୮୭ ହଜାର ଟଙ୍କା ଧାର କରଜ କରି ଜ୍ୱାଇଁଙ୍କୁ ଦେଇଥିଲେ। ତଥାପି ଦୀପ୍ତିଙ୍କ ଉପରେ ନିର୍ଯ୍ୟାତନା କମି ନଥିଲା। ଶେଷରେ ବାଧ୍ୟ ହୋଇ ଛୋଟ ଝିଅକୁ ଧରି ବାଘଘର କାଶିପୁରକୁ ଚାଲିଯାଇଥିଲେ ଦୀପ୍ତି। ଏହାର ସୁଯୋଗ ନେଇ ଗତ ୧୩ ତାରିଖ ଦିନ ଗଣେଶ ପାଟଣା ଥାନା ମଲ୍ଲୀପୋଷି ଗ୍ରାମରେ ଅନ୍ୟ ଏକ ଝିଅକୁ ବିବାହ କରିଥିଲେ। ଏହି ଖବର ପାଇ ଦୀପ୍ତି ୧୮.୫.୨୨ରେ କରଞ୍ଜିଆ ଥାନାରେ ଅଭିଯୋଗ କରିଥିଲେ। ମାମଲା କୋର୍ଟରେ ବିଚାରାଧୀନ ଥିବାବେଳେ ଗଣେଶ ବିବାହରୁ ନିବୃତ୍ତ ହୋଇ ନଥିଲେ।
ଆଜି ଦୀପ୍ତିମୟୀ ଓ ତାଙ୍କ ପରିବାର ଥାନାକୁ ଅଭିଯୋଗ ଧରି ଯାଉଥିବା ସମୟରେ ସମବାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବାକୁ କରଂଜିଆ ଆସିଥିବା ଦୀପ୍ତିମୟୀଙ୍କ ଶ୍ବଶୁର ଘର ଲୋକଙ୍କୁ ବ୍ଲକ ସମ୍ମୁଖରେ ପାଇ ତାଙ୍କ କାରକୁ ଘେରିବା ସହିତ ପ୍ରତିବାଦ କରିଥିଲେ। ରାସ୍ତାରେ ଦୀର୍ଘ ସମୟ ଧରି ଉତ୍ତେଜନା ଦେଖାଦେବାରୁ ଘଟଣାସ୍ଥଳରେ କରଂଜିଆ ପୁଲିସ ପହଞ୍ଚି ଜେଜେ ଶ୍ବଶୁରଙ୍କୁ ଥାନାକୁ ଡକାଇ ପଚରାଉଚରା ଜାରି ରଖିଛନ୍ତି। ତେବେ ଏ ନେଇ ଦୀପ୍ତି କରଞ୍ଜିଆ ଥାନା, ମୟୂରଭଞ୍ଜ ଏସ୍ପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ନ୍ୟାୟ ନ ମିଳିଲେ ବାଧ୍ୟ ହୋଇ ସ୍ୱାମୀଙ୍କ ଘର ଆଗରେ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।
Follow Us