ସ୍କୁଲ ରୂପାନ୍ତରଣର ଦ୍ବିତୀୟ ପର୍ଯ୍ୟାୟ ଶୁଭାରମ୍ଭ: ୫ ଜିଲ୍ଲାର ୫୩୨ ହାଇସ୍କୁଲ ଲୋକାର୍ପିତ

Advertisment
୨୨ରେ କ୍ୟାବିନେଟ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ

ଜୁନ୍‌ ୧୦ ସୁଦ୍ଧା ୨୯୦୮ଟି ସ୍କୁଲ ଲୋକାର୍ପିତ
ପିଲାଙ୍କୁ ‘୫-ଟି’ର ମହତ୍ତ୍ବ ବୁଝାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ଆଜିଠୁ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୦୭୦ଟି ହାଇସ୍କୁଲର ରୂପ ବଦଳିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୨୯୦୮ଟି ହାଇସ୍କୁଲର ରୂପାନ୍ତରଣ କରାଯାଇଛି। ପ୍ରଥମ ଦିନରେ ଖୋର୍ଦ୍ଧା, ବୌଦ୍ଧ, ମାଲକାନଗିରି, ସୋନପୁର ଓ ମୟୂରଭଞ୍ଜର ୫୩୨ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ଜୁନ୍‌ ୧୦ ତାରିଖ ପର୍ଯ୍ୟନ୍ତ ସମସ୍ତ ରୂପାନ୍ତର ସ୍କୁଲକୁ ଲୋକାର୍ପିତ କରିବାକୁ ଲକ୍ଷ୍ୟ ରଖାଯାଇଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ପ୍ରତ୍ୟେକ ପିଲା ଭିତରେ ବିପୁଳ ସମ୍ଭାବନା ଭରି ରହିଛି। ସେମାନଙ୍କ ଆଖିରେ ସୁନ୍ଦର ଭବିଷ୍ୟତର ସ୍ବପ୍ନ ରହିଥାଏ। ଜୀବନରେ କିଛି ବଡ଼ କରିବାର ସ୍ବପ୍ନ ଦେଖିଥାନ୍ତି। ସ୍କୁଲ ରୂପାନ୍ତର ପିଲାଙ୍କ ଏ ସ୍ବପ୍ନରେ ଡେଣା ଯୋଡ଼ିପାରିଛି। ଏହା ପିଲାଙ୍କ ପାଇଁ ନୂଆ ସୁଯୋଗ ଆଣିଛି। ସେମାନଙ୍କ ସ୍ବପ୍ନ ସାକାର ହେଲେ, ନୂଆ ଓଡ଼ିଶାର ଲକ୍ଷ୍ୟ ପୂରଣ ହେବ। ନୂଆ ଓଡ଼ିଶା ଗଠନର ଭିତ୍ତି ସ୍ଥାପିତ ହେବ। ସ୍କୁଲ ଆଜି ଯେଉଁ ନୂଆ ରୂପ ନେଇଛି, ତାହା ପିଲାଙ୍କ ଭିତରେ ଆନନ୍ଦ ଓ ଉତ୍ସାହ ଭରିଛି। ସେମାନଙ୍କ ମଧ୍ୟରେ ନୂଆ ଆଶା ଓ ସଂକଳ୍ପ ସୃଷ୍ଟି କରିଛି। ସ୍କୁଲ ସମୟ ଜୀବନର ଶ୍ରେଷ୍ଠ ସମୟ। ଏ ରୂପାନ୍ତର ଆମର ପିଲାମାନଙ୍କୁ ଶ୍ରେଷ୍ଠ କରି ଗଢ଼ିତୋଳିବା ପାଇଁ ସୁଯୋଗ ସୃଷ୍ଟି କରିଛି। କାରଣ ଶିକ୍ଷା ହିଁ ଜୀବନରେ ସବୁଠାରୁ ବଡ଼ ରୂପାନ୍ତର ଆଣିଥାଏ। ଜୀବନର ଏ ଗୁରୁତ୍ବପୂର୍ଣ୍ଣ ସମୟକୁ ଠିକ୍‌ ଭାବେ ଉପଯୋଗ କରି ନିଜ, ନିଜ ପରିବାର ଓ ଓଡ଼ିଶା ପାଇଁ ନୂଆ ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।

ପିଲାମାନଙ୍କୁ ୫-ଟି ମହତ୍ତ୍ବ ବିଷୟରେ ବୁଝାଇ ମୁଖ୍ୟମନ୍ତ୍ରୀ କହିଲେ ଟେକ୍ନୋଲୋଜି ଦ୍ବାରା ସେମାନଙ୍କ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍, ଇ-ଲାଇବ୍ରେରି, କମ୍ପ୍ୟୁଟର, ଆଧୁନିକ ପରୀକ୍ଷାଗାର ଆଦିର ବ୍ୟବସ୍ଥା ହୋଇଛି। ଭଲ ପିଇବା ପାଣି ଓ ଉତ୍ତମ ପରିମଳ ବ୍ୟବସ୍ଥାର ସୁବିଧା କରାଯାଇଛି। ଟିମ୍‌ୱାର୍କରେ ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ, ପୁରାତନ ଛାତ୍ର ଓ ପ୍ରଶାସନ ଆଦି ମିଳିମିଶି ଏହି ରୂପାନ୍ତର କାମରେ ସାମିଲ ହୋଇଛନ୍ତି। ଟାଇମ ବା ସମୟକୁ ଗୁରୁତ୍ବ ଦିଆଯାଇ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ କାର୍ଯ୍ୟ ଶେଷ ହୋଇଛି। ଟ୍ରାନ୍ସପରେନ୍ସି ବା ସ୍ବଚ୍ଛତାର ପ୍ରୟୋଗ କରାଯାଇ ସବୁ କାମ ସମସ୍ତଙ୍କ ସହ ଆଲୋଚନା କରି କରାଯାଇଛି। ଭିଜନ ଡକ୍ୟୁମେଣ୍ଟଠାରୁ ଆରମ୍ଭ କରି କାମ ତଦାରଖ ପର୍ଯ୍ୟନ୍ତ ସମସ୍ତଙ୍କ ଜ୍ଞାତସାରରେ ସବୁ କାର୍ଯ୍ୟ ହୋଇଛି। ଏହି ସ୍ବଚ୍ଛତା ୫-ଟି କାର୍ଯ୍ୟକ୍ରମର ବଡ଼ ଶକ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ପଦ୍ମନାଭ ବେହେରା, ନିରଞ୍ଜନ ପୂଜାରୀ, ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ରମେଶ ମାଝୀ, ବିଧାୟକ ପ୍ରଦୀପ ଅମାତ ପ୍ରମୁଖ ଉପସ୍ଥିତ ରହି ୫-ଟି ସ୍କୁଲ ଟ୍ରାନ୍ସଫର୍ମେସନ ପିଲାଙ୍କ ଭିତରେ କିପରି ଉତ୍ସାହ ସୃଷ୍ଟି କରିଛି ତାହା ଉପରେ ଆଲୋକପାତ କରିଥିଲେ। ମୟୂରଭଞ୍ଜରୁ ପୂର୍ଣ୍ଣିମା, ସୋନପୁରରୁ ମୌସୁମୀ, ବୌଦ୍ଧରୁ ରାଜଶ୍ରୀ, ମାଲକାନଗିରିରୁ ହିତାକାଂକ୍ଷୀ ଓ ଖୋର୍ଧାରୁ ପର୍ଶୁରାମ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ମୟୂରଭଞ୍ଜରେ ସର୍ବାଧିକ ୩୩୯ଟି ସ୍କୁଲ ଲୋକାର୍ପିତ ହୋଇଥିବା ବେଳେ ସୋନପୁରରେ ୪୧, ବୌଦ୍ଧରେ ୨୪, ମାଲକାନଗିରିରେ ୪୭ ଓ ଖୋର୍ଧାରେ ୮୧ଟି ହାଇସ୍କୁଲ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe