୭ରୁ ଦ୍ୱିତୀୟ ପର୍ଯ୍ୟାୟ ମେଡିକାଲ କାଉନସେଲିଂ

Advertisment
୭ରୁ ଦ୍ୱିତୀୟ ପର୍ଯ୍ୟାୟ ମେଡିକାଲ କାଉନସେଲିଂ

ଭୁବନେଶ୍ୱର : ରାଜ୍ୟରେ ଥିବା ସରକାରୀ ଓ ଘରୋଇ ମେଡିକାଲରେ ଖାଲିଥିବା ସିଟ୍‌ ପାଇଁ ଆସନ୍ତା ୭ ତାରିଖଠାରୁ ଦ୍ୱିତୀୟ ପର୍ଯ୍ୟାୟ କାଉନସେଲିଂ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟ କାଉନସେଲିଂରେ ପଞ୍ଜୀକରଣ କରି ନଥିବା ଛାତ୍ରଛାତ୍ରୀ କେବଳ ୭ ତାରିଖରେ ହିଁ ଆବେଦନ କରିପାରିବେ। ପ୍ରବାସୀ ଭାରତୀୟ (ଏନ୍‌ଆର୍‌ଆଇ) ଛାତ୍ରଛାତ୍ରୀ ମଧ୍ୟ ଏହି ପର୍ଯ୍ୟାୟରେ ଆବେଦନ କରିପାରିବେ। ୯ ତାରିଖରେ ସର୍ବଭାରତୀୟ କୋଟାରୁ ଫେରିଥିବା ସିଟ୍‌ ସମେତ ରାଜ୍ୟ କୋଟାରେ ଖାଲିଥିବା ସିଟ୍‌କୁ ମିଶାଇ ତାଲିକା ପ୍ରକାଶ କରାଯିବ। ସେହିଦିନ ହିଁ ନୂଆ କରି ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀ ନୋଡାଲ ସେଣ୍ଟରରେ ଡକ୍ୟୁମେଣ୍ଟ ଯାଞ୍ଚ କରିବେ। ଅଗଷ୍ଟ ୧୦ରେ ସଂଶୋଧିତ ମେଧା ତାଲିକା ପ୍ରକାଶ ପାଇବ। ୧୦ ଓ ୧୧ ତାରିଖରେ ଛାତ୍ରଛାତ୍ରୀ ଚଏସ୍‌ ଲକିଂ ଓ ଚଏସ୍‌ ଫିଲିଂ କରିବାକୁ କୁହାଯାଇଛି।

ଅଗଷ୍ଟ ୧୨ରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଛାତ୍ରଛାତ୍ରୀ ପ୍ରୋଭିଜନାଲ ଆଲଟ୍‌ମେଣ୍ଟ ତଥା ନାମଲେଖାପତ୍ର ଡାଉନ୍‌ଲୋଡ୍‌ କରିପାରିବେ। ୧୩ରୁ ୧୮ ତାରିଖ ମଧ୍ୟରେ ଭୁବନେଶ୍ୱର ଗଣ୍ଡମୁଣ୍ଡାସ୍ଥିତ ଓଜେଇଇ ସେଲ୍‌ରେ ନାମଲେଖା ଅନୁଷ୍ଠିତ ହେବ। ୨୦ ତାରିଖ ଅପରାହ୍ନ ୫ଟା ମଧ୍ୟରେ ଛାତ୍ରଛାତ୍ରୀ ପ୍ରକ୍ରିୟାରୁ ଓହରିପାରିବେ। ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପରେ ବି ଯଦି ସିଟ୍‌ ଖାଲି ରହିବ ତେବେ ଅଗଷ୍ଟ ୨୧ ଓ ୨୨ରେ ସ୍ପଟ୍‌ ତଥା ମପ୍‌ ଅପ୍‌ କାଉନସେଲିଂ ଅନୁଷ୍ଠିତ ହେବ। ଏହି କାଉନସେଲିଂ ଓଜେଇଇ ସେଲ୍‌ରେ କରାଯିବ। ଅଗଷ୍ଟ ୨୬ ସୁଦ୍ଧା ଛାତ୍ରଛାତ୍ରୀ ମେଡିକାଲ କଲେଜରେ ଯୋଗଦେବାକୁ କୁହାଯାଇଛି। କାଉନସେଲିଂ ପ୍ରକ୍ରିୟା ସରିବା ପରେ ଖାଲିଥିବା ସିଟ୍‌ଗୁଡ଼ିକୁ ଘରୋଇ କଲେଜକୁ ଦିଆଯିବ। ଖାଲି ସିଟ୍‌ରେ ସେମାନେ ଛାତ୍ରଛାତ୍ରୀଙ୍କ ନାମଲେଖା କରାଇବେ। ଅଗଷ୍ଟ ୩୧ ସୁଦ୍ଧା ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ନାମ ଲେଖାଇବେ ବୋଲି ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସେପ୍ଟେମ୍ବର ୧ରୁ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠପଢ଼ା ଆରମ୍ଭ ହେବ।

ଓଜେଇଇ ଅଧ୍ୟକ୍ଷ ଡ. ସୁଦୀପ କୁମାର ଚାନ୍ଦ କହିଛନ୍ତି ଯେ ସର୍ବଭାରତୀୟ କୋଟାରେ ଖାଲିଥିବା ସିଟ୍‌ ଆସନ୍ତା ୮ ତାରିଖରେ ଫେରିବ। ଏହାକୁ ମିଶାଇ ମୋଟ ସିଟ୍‌ ତାଲିକା ପ୍ରକାଶ କରାଯିବ। ଅଗଷ୍ଟ ୧ରୁ କ୍ଲାସ ଆରମ୍ଭ ହେବ ବୋଲି ମେଡିକାଲ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ହୋଇଛି। ତେଣୁ ଦ୍ୱିତୀୟ ପର୍ଯ୍ୟାୟ କାଉନସେଲିଂ ପାଇଁ ପ୍ରକାଶିତ ବିଜ୍ଞପ୍ତିରେ ବି ତାହା ଲେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe