Hindustan Times
ଯାଜପୁର : ଚଣ୍ଡିଖୋଲସ୍ଥିତ ଆରଡବ୍ଲୁଏସ୍ଏସ୍ ଡିଭିଜନରେ ବ୍ୟାପକ ଦୁର୍ନୀତି ଏବଂ ଅନିୟମିତତାକୁ ନେଇ ଚର୍ଚ୍ଚା ଲାଗିରହିଛି। ପାନୀୟ ଜଳ ପ୍ରକଳ୍ପ କାମରେ ଟେଣ୍ଡର ଫିକ୍ସିଂ ହୋଇଥିବା ଲୋକାୟୁକ୍ତଙ୍କ ତଦନ୍ତରେ ଧରାପଡ଼ିଥିବା ବେଳେ ଏବେ ଗୁପ୍ତଟେଣ୍ଡର କାରବାର ପଦାକୁ ଆସିଛି। ୮୮ଲକ୍ଷ ଟଙ୍କାର ହୋର୍ଡିଂ ଲଗାଇବା ପାଇଁ ଗୁପ୍ତଟେଣ୍ଡର କରି ୯ଜଣ ଠିକାଦାରଙ୍କ ମଧ୍ୟରେ ଭାଗ ବଣ୍ଟାଯାଇଛି। ଏହି ବାବଦରେ ସରକାରଙ୍କ ତହବିଲରୁ ୧୩ଲକ୍ଷ ଟଙ୍କା ଠିକାଦାର ଓ ଯନ୍ତ୍ରୀଙ୍କ ଅସାଧୁମେଣ୍ଟ ହଡ଼ପ କରିଥିବା ଅଭିଯୋଗ ହେଉଛି।
ପାନୀୟ ଜଳ ଯୋଗାଣ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଲାଗି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜ୍ଞାପନ ହୋର୍ଡିଂ ଲଗାଯାଇଥିଲା। ଏହି ବିଜ୍ଞାପନ ହୋର୍ଡିଂରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଥାଇ ୨ଟି ସାଇଜ୍ର ହୋର୍ଡିଂ ଲଗାଯାଇଛି। ୬ ଫୁଟ୍ ଲମ୍ବା ୪ ଫୁଟ ଚଉଡ଼ା ହୋର୍ଡିଂର ମୂଲ୍ୟ ୨୩ ହଜାର ୭୪୭ ଟଙ୍କା ହିସାବରେ ୨୦୪ଟି ହୋର୍ଡିଂ ଏବଂ ୪ ଫୁଟ ଲମ୍ବା ୩ ଫୁଟ ଚଉଡ଼ାର ହୋର୍ଡିଂର ମୂଲ୍ୟ ୧୮ ହଜାର ୪୦ ଟଙ୍କା ହିସାବରେ ୨୨୨ଟି ହୋର୍ଡିଂ ଲଗାଯାଇଥିବା କାଗଜପତ୍ରରେ ଦର୍ଶାଯାଇଛି। ୪୨୬ଟି ହୋର୍ଡିଂ ବାବଦରେ ମୋଟ ୮୮ ଲକ୍ଷ ୪୯ ହଜାର ୨୬୮ ଟଙ୍କା ବିଲ୍ ହୋଇଛି। ୨୦୨୧-୨୨ ମସିହାରେ ଏହି ହୋର୍ଡିଂ ଲଗାଇବା ପାଇଁ ୯ ଜଣ ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ଦାୟିତ୍ବ ଦିଆଯାଇଥିଲା। ଖୋଲା ଟେଣ୍ଡରକୁ ଏଡ଼ାଇବା ପାଇଁ ୮୮ଲକ୍ଷ ଟଙ୍କାର କାମକୁ ୩୨ଟି ଭାଗ କରାଯାଇଛି । ଏପରିକି ଏହି ୩୨ଟି ଚୁକ୍ତି ଗୋଟିଏ ଦିନ ଅର୍ଥାତ୍ ୨୦୨୧ ନଭେମ୍ବର ୪ ତାରିଖରେ କରାଯାଇଛି। ସେହିପରି, ୨୦୨୧ ଡିସେମ୍ବର ୨୬ରେ କାର୍ଯ୍ୟ ଶେଷ ହୋଇଥିବା ଦର୍ଶାଇ ସମସ୍ତଙ୍କ ବିଲ୍ ହୋଇଛି। ସରକାର ଅନ୍ଲାଇନ (ଖୋଲା ଟେଣ୍ଡର) ଟେଣ୍ଡର କରିବାକୁ ଗୁରୁତ୍ୱ ଦେଉଥିବା ବେଳେ କାହା ସ୍ବାର୍ଥରେ ଅଫ୍ଲାଇନ ଟେଣ୍ଡର (ଗୁପ୍ତ ଟେଣ୍ଡର) କରାଗଲା ବୋଲି ପ୍ରଶ୍ନ ହେଉଛି।
ଅଭିଯୋଗ ଅନୁସାରେ, ଏ ନେଇ ଖୋଲା ଟେଣ୍ଡର ହୋଇଥିଲେ ୧୪.୯୯ ପ୍ରତିଶତ କମ୍ରେ କାମ ହୋଇ ସରକାରଙ୍କ ୧୩ଲକ୍ଷ ଟଙ୍କା କମ୍ ଖର୍ଚ୍ଚ ହୋଇଥା’ନ୍ତା। ଡିଭିଜନ୍ ପକ୍ଷରୁ ଗୋଟିଏ ଦିନରେ ୯ଜଣ ଠିକାଦାରଙ୍କ ନାମରେ ୫ଲକ୍ଷ ଟଙ୍କାରୁ କମ୍ ମୂଲ୍ୟର ୩୨ଟି ଗୁପ୍ତଟେଣ୍ଡର କରାଯାଇଛି। ଏହି କାମ ମଧ୍ୟ ଗୋଟିଏ ଦିନରେ ଶେଷ ହୋଇଛି ବୋଲି ଆରଟିଆଇ ତଥ୍ୟରେ ଅଧିକାରୀ ସ୍ବୀକାର କରିଛନ୍ତି। ଏହି ଡିଭିଜନ୍ରେ ଗତ ୫ବର୍ଷ ମଧ୍ୟରେ ଏକ ହଜାର କୋଟି ଟଙ୍କାର ଅନୁଦାନ ବ୍ୟୟ ହୋଇଥିବା ବେଳେ ଅସାଧୁମେଣ୍ଟ ବ୍ୟାପକ ଅନୁଦାନ ହରିଲୁଟ୍ କରିଥିବା ଅଭିଯୋଗ ହେଉଛି।
Follow Us