ମହାପ୍ରଭୁଙ୍କ ପାଇଁ ବିଧାନସଭା ଅଚଳ

Advertisment

ଆଲୋଚନା ଦାବିରେ ବିରୋଧୀଙ୍କ ହଙ୍ଗାମା, ସର୍ବଦଳୀୟ ବୈଠକକୁ ବି ବର୍ଜନ

ଆଲୋଚନା ଦାବିରେ ବିରୋଧୀଙ୍କ ହଙ୍ଗାମା, ସର୍ବଦଳୀୟ ବୈଠକକୁ ବି ବର୍ଜନ

ମହାପ୍ରଭୁଙ୍କ ପାଇଁ ବିଧାନସଭା ଅଚଳ

ଭୁବନେଶ୍ୱର: ମହାପ୍ରଭୁ ଉପାସରେ ଅଛନ୍ତି। ଲକ୍ଷ ଲକ୍ଷ ଲୋକଙ୍କ ଭାବାବେଗକୁ ଭୀଷଣ ଆଘାତ ଲାଗିଛି। ବିଧାନସଭାର ସବୁ କାର୍ଯ୍ୟ ବାତିଲ୍‌ କରି ଏହି ପ୍ରସଙ୍ଗରେ ଆଲୋଚନା କରାଯାଉ। ସରକାର ତୁରନ୍ତ ଗୃହରେ ଉତ୍ତର ରଖନ୍ତୁୁ। ଆଜି ବିରୋଧୀ ଦଳ ପକ୍ଷରୁ ଏମିତି ଦାବି ଉଠିଥିଲା ବିଧାନସଭାରେ। ଏହି ପ୍ରସଙ୍ଗରେ ଆଲୋଚନା ନ ହେଲେ ଗୃହ କାର୍ଯ୍ୟରେ ସହଯୋଗ କରିବେ ନାହିଁ ବୋଲି ସେମାନେ ରୋକ୍‌ଠୋକ୍‌ ଜଣାଇଥିଲେ। ବାଚସ୍ପତି ଶୁଣିଲେନି। ଶାସକ ଦଳ ଚୁପ୍‌ ରହିଲା। ଫଳ ଏୟା ହେଲା, ପ୍ରଶ୍ନକାଳ ଗୋଟିଏ ମିନିଟ୍‌ ଚାଲିିଲା। ଶୂନ୍ୟକାଳ ୧୪ ମିନିଟ୍‌ରେ ଅଟକିଗଲା। ସର୍ବଦଳୀୟ ବୈଠକକୁ ବିରୋଧୀ ବର୍ଜନ କଲେ। ବିନା ବିରୋଧୀ ଦଳରେ ଶକ୍ତି ବିଭାଗର ଖର୍ଚ୍ଚ ଦାବି ଗୃହୀତ ହେଲା। ଆଜି ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ ବିରୋଧୀ ଦଳ ନେତା ଠିଆ ହୋଇ କହିଥିଲେ, ପ୍ରଶ୍ନକାଳ ବାତିଲ୍‌ କରାଯାଇ ଶ୍ରୀମନ୍ଦିର ବିଭ୍ରାଟ ପ୍ରସଙ୍ଗରେ ଆଲୋଚନା କରାଯାଉ। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ବାଚସ୍ପତି ଏହାକୁ ଗୁରୁତର ସହ ଗ୍ରହଣ କରନ୍ତୁ। କିନ୍ତୁ ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରି ଏକ ପ୍ରଶ୍ନର ଉତ୍ତର ଦେବାକୁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ଡାକିଥିଲେ। ବିରୋଧୀ କଂଗ୍ରେସ ଓ ବିଜେପି ସଭ୍ୟମାନେ ଉତ୍‌କ୍ଷିପ୍ତ ହୋଇ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଥିଲେ। ଶ୍ରୀମନ୍ଦିର ବିଭ୍ରାଟ ନେଇ ସରକାରଙ୍କୁ ଦାୟୀ କରି ସ୍ଲୋଗାନ୍‌ ଦେଇଥିଲେ। ବାଚସ୍ପତି ୧୦ଟା ୩୧ରେ ଗୃହକୁ ୧୧ଟା ୩୦ ଯାଏଁ ମୁଲତବୀ ରଖିଲେ ୧୧ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର କହିଲେ, ଜଗନ୍ନାଥ ମନ୍ଦିରର ବିଭ୍ରାଟ ଆଜି ଗଣମାଧ୍ୟମର ଶିରୋନାମା ପାଲଟିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାପାଳ କାର୍ଯ୍ୟ କରୁଥିଲେ। କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶ କିଛି ସେବାୟତଙ୍କ ଦ୍ୱାରା ଗ୍ରହଣୀୟ ହୋଇପାରୁନି। ଫଳରେ ସେମାନେ ମହାପ୍ରଭୁଙ୍କ ନୀତିରେ ସହଯୋଗ କରୁ ନାହାନ୍ତି। ଯେଉଁଥି ପାଇଁ ଗତକାଲି ପ୍ରାୟ ୩୦ ଲକ୍ଷ ଟଙ୍କାର ମହାପ୍ରସାଦ ନଷ୍ଟ ହୋଇଛି। ଏହା ଲୋକଙ୍କ ଭାବାବେଗକୁ ଆଘାତ ଦେଇଛି। ଜଗନ୍ନାଥ ସମସ୍ତଙ୍କୁ ଖାଇବାକୁ ଦିଅନ୍ତି। ହେଲେ ତାଙ୍କୁ ଏବେ କିଏ ଖାଇବାକୁ ଦେବ? ଏକ ସମ୍ବେଦନଶୀଳ ସରକାର ସାଧାରଣ ଜନତାଙ୍କ ଭାବାବେଗକୁ ଗୁରୁତ୍ୱ ଦେବା ଆବଶ୍ୟକ। ତାହା ସହ ଆଇନ୍‌କୁ ବି ମାନିବାକୁ ପଡ଼ିବ। ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ପଡ଼ିବ।

ଶ୍ରୀମନ୍ଦିରକୁ ନେଇ ବିରୋଧୀ ରାଜନୀତି କରୁଛନ୍ତି ବୋଲି ଶାସକ ଦଳ ପକ୍ଷରୁ କୁହାଯାଇଥିଲା। ଏହାକୁ ସମାଲୋଚନା କରି ଶ୍ରୀ ମିଶ୍ର କହିଥିଲେ, ସତ କହିବାଟା କ’ଣ ରାଜନୀତି ? ସରକାରଙ୍କୁ ଉତ୍ତର ମାଗିବା କ’ଣ ରାଜନୀତି ? ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିବା କ’ଣ ରାଜନୀତି ? ସେ ପୁଣି କହିଥିଲେ, ଇଚ୍ଛା ଶକ୍ତି ଥିଲେ ଶ୍ରୀମନ୍ଦିର ସମସ୍ୟାର ସମାଧାନ ଆଦୌ କଷ୍ଟକର ନୁହେଁ। ସେବାୟତଙ୍କୁ ବୁଝାଇବା କଷ୍ଟ ହେବନି। ବର୍ତ୍ତମାନ ସ୍ଥିତି ସମ୍ପର୍କରେ ସରକାର ଗୃହରେ ଉତ୍ତର ଦେବାକୁ ବାଧ୍ୟ। ସମସ୍ତଙ୍କୁ ସାଙ୍ଗରେ ନେଇ ବାଟ ବାହାର କରିବା ବାଚସ୍ପତିଙ୍କ ଦାୟିତ୍ୱ। ଏଥିରେ ଅଧିକ ବିଳମ୍ବ ଗ୍ରହଣୀୟ ନୁହେଁ। ତେଣୁ ତୁରନ୍ତ ଗୃହ ମୁଲତବୀ ରଖାଯାଇ ସମସ୍ତଙ୍କୁ ଡାକି ଆଲୋଚନା କରାଯାଉ। ଏହା ପରେ ଶାସକ ଦଳ ସଭ୍ୟ ଜୀବନ ପ୍ରଦୀପ ଦାସ କହିଲେ, ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ସମ୍ମାନର ପ୍ରତୀକ। ବିଗତ କିଛି ବର୍ଷ ଧରି ଲଗାତର ଶ୍ରୀମନ୍ଦିରରେ ବିଭ୍ରାଟ ଚାଲିଛି। ଏହା ଆମର ସମ୍ମାନ କ୍ଷୂଣ୍ଣ କରୁଛି। ଶ୍ରୀମନ୍ଦିରର ନୀତିକୁ କିପରି ବ୍ୟବସ୍ଥିତ କରାଯିବ, ତାହା ଆମ ସମସ୍ତଙ୍କ କର୍ତ୍ତବ୍ୟ। ବାଚସ୍ପତି ଏ ନେଇ କିଛି ରୁଲିଂ ନ ଦେବାରୁ ବିରୋଧୀ କଂଗ୍ରେସ ଓ ବିଜେପି ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଥିଲେ। ସରକାରଙ୍କ ବିରୋଧରେ ପୁଣି ନାରାବାଜି କରିଥିଲେ। ଏହି ହୋହଲ୍ଲା ଭିତରେ ବାଚସ୍ପତି ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀଙ୍କୁ କହିବା ପାଇଁ ସୁଯୋଗ ଦେଇଥିଲେ। ସେ କହିଥିଲେ, ଶ୍ରୀମନ୍ଦିର ପ୍ରସଙ୍ଗରେ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଏହି ପ୍ରସଙ୍ଗରେ ଆଲୋଚନା ହୋଇପାରିବ। କିନ୍ତୁ ସବୁ ଦିନେ ଗୃହକୁ ଚଳାଇ ନ ଦେବା ପରମ୍ପରା ସୃଷ୍ଟି କରିବା ଠିକ୍‌ ହେଉ ନାହିଁ। ତେବେ ହୋହଲ୍ଲା ଭିତରେ ଆଉ ଗୃହ ଚଳାଇବା ସମ୍ଭବ ନ ଥିଲା। ୧୧ଟା ୪୪ରେ ବାଚସ୍ପତି ଗୃହକୁ ୧୨ଟା ୫୦ ଯାଏଁ ମୁଲତବୀ ରଖିଲେ। ୧୨ଟା ୫୦ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ଆଜି ଦିନର ଅବଶିଷ୍ଟ ସମୟ ପାଇଁ ଗୃହ କାର୍ଯ୍ୟରେ ବିରୋଧୀ କଂଗ୍ରେସ ଦଳ ସାମିଲ୍‌ ହେବେନାହିଁ ବୋଲି କହି ବର୍ଜନ କରିଥିଲେ। ବିଜେପି ବିଧାୟକ ବି ଅନୁରୂପ ପ୍ରତିକ୍ରିୟା ରଖି ଗୃହ ଛାଡି ଚାଲିଯାଇଥିଲେ। ବାଚସ୍ପତି ୩ଟା ବେଳେ ସର୍ବଦଳୀୟ ବୈଠକ ଡକାଯିବା ସଂପର୍କରେ ଘୋଷଣା କରି ଗୃହକୁ ୩ଟା ଯାଏ ମୁଲତବୀ କରିଥିଲେ। ଅପରାହ୍ନ ୩ଟା ବେଳେ ଗୃହ କାର୍ଯ୍ୟକୁ ଘଣ୍ଟାଏ ପାଇଁ ମୁଲତବୀ ରଖି ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। କିନ୍ତୁ କଂଗ୍ରେସ ଓ ବିଜେପି ସଭ୍ୟମାନେ ଗୃହକୁ ଆସିଲେନି କି ବୈଠକରେ ସାମିଲ୍‌ ହେଲେନି। ୪ଟାରେ ଆଉ ଘଣ୍ଟାଏ ପାଇଁ ଗୃହ ମୁଲତବୀ ରଖାଗଲା। ତଥାପି କିଛି ସୁଫଳ ମିଳିଲା ନାହିଁ। ୫ଟାରେ ବିରୋଧୀଙ୍କ ଅନୁପସ୍ଥିତିରେ ଶକ୍ତି ବିଭାଗର ଖର୍ଚ୍ଚଦାବି ଆଲୋଚନା ହୋଇ ପାରିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe