ହାଇକୋର୍ଟରେ ଉଚ୍ଚଶିକ୍ଷା ସଚିବ, ନିର୍ଦ୍ଦେଶକ ବ୍ୟକ୍ତିଗତ ଭାବେ ହାଜର

Advertisment
ଅଦାଲତ ଅବମାନନା ମାମଲା : ଉଚ୍ଚଶିକ୍ଷା ସଚିବ ବ୍ୟକ୍ତିଗତ ହାଜର

କଟକ : ହାଇକୋର୍ଟରେ ଆଜି ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର ଓ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଅଶ୍ବିନୀ କୁମାର ମିଶ୍ର ବ୍ୟକ୍ତିଗତ ଭାବେ ହାଜର ହୋଇଛନ୍ତି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଅଦାଲତ ଅବମାନନା ମାମଲାର ଶୁଣାଣି ସମୟରେ ଉଚ୍ଚଶିକ୍ଷା ସଚିବ ଓ ନିର୍ଦ୍ଦେଶକ ବ୍ୟକ୍ତିଗତ ଭାବେ ହାଜର ହୋଇ ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇଛି ବୋଲି ଦର୍ଶାଇଛନ୍ତି। ଅଦାଲତଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇଥିବା ନେଇ ବିଭାଗ ପକ୍ଷରୁ ସତ୍ୟପାଠ ମଧ୍ୟ ଦାଖଲ କରାଯାଇଛି। ଏହା ପରେ ଖଣ୍ଡପୀଠ ଏ ସଂପର୍କିତ ଅଦାଲତ ଅବମାନନା ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୮, ଜୁଲାଇ ୬ରେ ହାଇକୋର୍ଟ ବାଙ୍କୀ ସ୍ବୟଂଶାସିତ କଲେଜର ପ୍ରାଧ୍ୟାପକ ବସନ୍ତ କୁମାର ସାହୁଙ୍କ ମାମଲାର ଶୁଣାଣି କରି ଆବେଦନକାରୀଙ୍କୁ ସଂଶୋଧିତ ଦରମା ଓ ବକେୟା ପ୍ରାପ୍ୟ ଏକ ମାସ ଭିତରେ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ପାଳନରେ ଅବହେଳା ଅଭିଯୋଗ କରି ଆବେଦନକାରୀ ୨୦୧୯ରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ୨୦୧୯, ଫେବ୍ରୁଆରି ୨୦ରେ ହାଇକୋର୍ଟ ଅଦାଲତ ଅବମାନନା ମାମଲାର ଶୁଣାଣି କରି ପୂର୍ବ ନିର୍ଦ୍ଦେଶ ୩ ମାସ ଭିତରେ କାର୍ଯ୍ୟକାରୀ କରିବାକୁ ଉଚ୍ଚଶିକ୍ଷା ସଚିବ ଓ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ନିର୍ଦ୍ଧାରିତ ସମୟସୀମା ଭିତରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ନଥିଲା। ଏହାପରେ ପୁଣି ଆବେଦନକାରୀ ଦ୍ବିତୀୟ ଥର ପାଇଁ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ମାମଲାର ଶୁଣାଣି କରି ହାଇକୋର୍ଟ ୨୦୧୯, ଡିସେମ୍ବର ୧୨ରେ ଉଚ୍ଚଶିକ୍ଷା ସଚିବ ଓ ନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। କିନ୍ତୁ ଏହା ପରେ ମଧ୍ୟ ଉଭୟ ଅଧିକାରୀ ମାମଲାର ଶୁଣାଣି ସମୟରେ ପକ୍ଷ ରଖି ନଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି ଉଚ୍ଚଶିକ୍ଷା ସଚିବ ଓ ନିର୍ଦ୍ଦେଶକଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନି‌ର୍ଦ୍ଦେଶ ଦେଇଥିଲେ। ନଭେମ୍ବର ୩ରେ ହାଇକୋର୍ଟ ମାମଲାର ଶୁଣାଣି କରି ୩ ଦିନ ଭିତରେ ପୂର୍ବ ନିର୍ଦ୍ଦେଶ ପାଳନ ପାଇଁ ଉଚ୍ଚଶିକ୍ଷା ସଚିବ ଓ ନିର୍ଦ୍ଦେଶକଙ୍କୁ ସୁଯୋଗ ଦେଇଥିଲେ। ଏଥି ସହିତ ନଭେମ୍ବର ୧୬ରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ଦୁଇ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପୁରୁଷୋତ୍ତମ ଚୁଳି ଓ ପ୍ରିୟମ୍ବଦା ନାଥ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe