ବଙ୍ଗୋମୁଣ୍ଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ: ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ, ଫ୍ଲାଗମାର୍ଚ୍ଚ କଲା ପୁଲିସ

Advertisment
ବଙ୍ଗୋମୁଣ୍ଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ: ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ, ଫ୍ଲାଗମାର୍ଚ୍ଚ କଲା ପୁଲିସ

କଣ୍ଟାବାଞ୍ଜି: ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡ଼ାକୁ କେନ୍ଦ୍ର କରି ବଲାଙ୍ଗୀର ଜିଲ୍ଲା ବ‌ଙ୍ଗୋମୁଣ୍ଡାରେ ପ୍ରଶାସନ ୧୪୪ ଧାରା ଜାରି କରିଛି। ଆଜିଠୁ ହେବାକୁ ଥିବା ପାଟଖଣ୍ଡା ଯାତ୍ରା ପାଇଁ ବଙ୍ଗୋମୁଣ୍ଡା ସହରରେ ଆସନ୍ତାକାଲି (ଅକ୍ଟୋବର ୨୬) ମଧ୍ୟରାତ୍ରି ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ହୋଇଛି। ଟିଟିଲାଗଡ଼ ଉପଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି। ଏହା ପୂର୍ବରୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ଆଜି ଫ୍ଲାଗମାର୍ଚ୍ଚ କରିଛି।

ସୂଚନା ଅନୁସାରେ ଗତ ଦୁଇ ଦିନ ତଳେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ବଙ୍ଗୋମୁଣ୍ଡା ଗାଁରେ ଛତର ଯାତ୍ରା ଅନୁଷ୍ଠିତ ହୋଇଥିଲା। ଛତରଯାତ୍ରା ସମୟରେ କୌଣସି ଏକ କଥାକୁ ନେଇ ଆଦିବାସୀ ଓ ଦଳିତ ସମାଜଙ୍କ ମଧ୍ୟରେ ଗୋଷ୍ଟୀ ସଂଘର୍ଷ ଘଟିଥିଲା। ଆଦିବାସୀ ସମାଜର ପାଞ୍ଚ ଜଣଙ୍କୁ ଦଳିତ ସମାଜର କିଛି ଜଣ ଆକ୍ରମଣ କରିଥିଲେ। ଏନେଇ ଆକ୍ରମଣ କରିଥିବା ଦଳିତ ସମାଜର ଅଭିଯୁକ୍ତମାନଙ୍କୁ ଗିରଫ ଦାବି ନେଇ ମଙ୍ଗଳବାର ଦିନ ସକାଳ ୧୦ ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବଙ୍ଗୋମୁଣ୍ଡା ଥାନା ଘେରାଓ କରିଥିଲେ ଆଦିବାସୀ ସମାଜ ସହ କିଛି ଗ୍ରାମବାସୀ। ଥାନା ପରିସରରେ ହୋହାଲ୍ଲା ହୋଇ ଉତ୍ତେଜନା ଦେଖାଦେଇଥିଲା। ସନ୍ଧ୍ୟା ସମୟରେ ପୁଣି ଥରେ ବଙ୍ଗୋମୁଣ୍ଡା ଗାଁର ଗୋଳେଇଛକ ଠାରେ କିଛି ଲୋକ ମିଶି ରାସ୍ତାରେ ହୋହାଲ୍ଲା କରିଥିଲେ। ପୁଣି ଥରେ ଗାଁରେ ଚାପା ଉତ୍ତେଜନା ଦେଖା ଦେଇଥିଲା। ଫଳରେ ଲୋକେ ଭୟଭୀତ ହୋଇଥିଲେ।

ତେବେ ଏହି ଘଟଣାକୁ ନେଇ ଉଭୟ ପକ୍ଷରୁ ପାଞ୍ଚ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ବଙ୍ଗୋମୁଣ୍ଡା ଗାଁରେ ଉତ୍ତେଜନା ଥିବାରୁ ସବୁ ଛକ ଓ ଗଳି କନ୍ଦିରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ମୁରିବାହାଲ, ତୁରେକେଲା, ବଙ୍ଗୋମୁଣ୍ଡା, ସିନ୍ଧେକେଲା ଥାନାର କର୍ମଚାରୀ, କଣ୍ଟାବାଞ୍ଜି ଏସ୍‌ଡିପିଓ ଗୌରାଙ୍ଗ ଚରଣ ସାହୁ, ଅତିରିକ୍ତ ଏସପି ସୁରେଶ ନାଏକ ପ୍ରମୁଖ ଉପସ୍ଥିତ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe