ପୁରୀ: ଏବେ ଶରଧାବାଲିରେ ରହିଛି ତିନିଟି ଯାକ ରଥ | ଆଉ ମହାପ୍ରଭୁଙ୍କର ଆଜି ଗୋଟି ପହଣ୍ଡିରେ ଆଡ଼ପ ବିଜେ ହେଉଛି | ତେବେ ମହାପ୍ରଭୁଙ୍କୁ ଦେଖିବା ପାଇଁ ଏବେ ଶ୍ରୀଗୁଣ୍ଡିଚା ମନ୍ଦିରମୁହାଁ ହୋଇଛନ୍ତି ଭକ୍ତ। ଚଳଚଞ୍ଚଳ ହୋଇପଡିଛି ଶରଧାବାଲି। ମେଡିକାଲ୍ ଛକରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଲାଗିଛି ହଜାର ହଜାର ଭକ୍ତଙ୍କ ଗହଳି। ଭାବବିନୋଦିଆ କାଳିଆର ଭାବରେ ବୁଡ଼ି ଭାବବିହ୍ବଳ ହୋଇଛନ୍ତି। ଚତୁର୍ଦ୍ଧା ବିଗ୍ରହଙ୍କ ଶ୍ରୀମୁଖ ଦର୍ଶନ ସହ ଆଖିରେ ଆଖି ମିଶାଇବା ପାଇଁ ଭକ୍ତଙ୍କ ମଧ୍ୟରେ ଯେଭଳି ପ୍ରତିଯୋଗିତା ଲାଗିଛି। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମେଡିକାଲ୍ ଛକରୁ ଗାଡ଼ିମୋଟର ଚଳାଚଳରେ କଟକଣା ଲଗାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ବୀରହରେକୃଷ୍ଣପୁର ଛକ, ମାଳତୀପାଟପୁର ଛକ, ମଙ୍ଗଳାଘାଟ ଛକ ଆଦି ସ୍ଥାନରେ ବ୍ୟାରିକେଡ୍ କରି ପୁଲିସ ଯାନବାହନ ନିୟନ୍ତ୍ରଣ କରୁଛି।
ତେବେ ଏତେ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡକୁ ଦେଖି ସମୁଦ୍ରପଥରୁ ଯେଭଳି କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ ନ ହେବ ସେଥିପ୍ରତି ନଜର ରଖିଛି ତଟସୁରକ୍ଷା ବାହିନୀ | ତଟସୁରକ୍ଷା ବାହିନୀ ପକ୍ଷରୁ କୁହାଯାଇଛି ଯେ ଜୁନ ୧୯ରୁ ଜୁଲାଇ ୧ ପର୍ଯ୍ୟନ୍ତ ମହାପ୍ରଭୁଙ୍କର ରଥଯାତ୍ରା, ବାହୁଡା ଯାତ୍ରା, ସୁନାବେଶ, ନୀଳାଦ୍ରି ବିଜେ ହେବାକୁ ଥିବାରୁ ବହୁ ସଂଖ୍ୟାରେ ଭକ୍ତଙ୍କର ସମାଗମ ହେବ | ଆଉ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ଏବେ ତଟରକ୍ଷୀ ବାହିନୀ ପକ୍ଷରୁ ଏୟାର ସର୍ଭିଲାନ୍ସ ସହ ପ୍ୟାଟ୍ରୋଲିଙ୍ଗକୁ ବଢ଼ାଇ ଦିଆଯାଇଛି | ରାଜ୍ୟ ମେରାଇନ ପୁଲିସ ସହ ସମନ୍ୱୟ ରଖି ପୁରୀ ବେଳାଭୂମି ସହ ସମୁଦ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି |
Follow Us