ତାଳଚେର ଜେଲ୍‌ରେ ସୁରକ୍ଷା ଢିଲା; ନିଘୋଡ଼ ନିଦରେ ୱାର୍ଡର୍‌, ବୁଲୁଛନ୍ତି କଏଦୀ

Advertisment

ଘଟଣାର ୨୪ ଘଣ୍ଟା ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ

ଘଟଣାର ୨୪ ଘଣ୍ଟା ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ

ତାଳଚେର ଜେଲ୍‌ରେ ସୁରକ୍ଷା ଢିଲା; ନିଘୋଡ଼ ନିଦରେ ୱାର୍ଡର୍‌, ବୁଲୁଛନ୍ତି କଏଦୀ

ତାଳଚେର : କଏଦୀ ଏଣେତେଣେ ବୁଲୁଛନ୍ତି। ଜେଲ୍‌ର ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ବାହାରେ ପଡ଼ିଛି। ଜଗିବା ଦାୟିତ୍ବରେ ଥିବା କର୍ମଚାରୀ ନିଘୋଡ଼ ନିଦରେ ଶୋଇଛନ୍ତି। ଅନୁଗୁଳ ଜିଲ୍ଲା ତାଳଚେର ଜେଲ୍‌ର ଏମିତି ଅବ୍ୟବସ୍ଥା ଏବେ ସାମ୍‌ନାକୁ ଆସିଛି। ଜେଲ୍‌ ୱାର୍ଡର୍‌ ଶୋଇବାର ଫଟୋ ଭାଇରାଲ୍‌ ହେବାରେ ଲାଗିଥିଲାବେଳେ ଏହା ଜେଲ୍‌ ସୁରକ୍ଷା ବ୍ୟବସ୍ଥା ନେଇ ସନ୍ଦେହ ସୃଷ୍ଟି କରିଛି। ପୁଣି କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଥିବା ଜେଲ୍‌ ଭିତରୁ ଫଟୋ ବାହାରକୁ କେମିତି ଆସିଲା ତାକୁ ନେଇ ବି ଉଠିଛି ପ୍ରଶ୍ନ। ଜେଲ୍‌ ଭିତରେ ୱାର୍ଡର୍‌ ​ଶୋଇପଡ଼ିବା ପ୍ରସଙ୍ଗକୁ ଜେଲ୍‌ କର୍ତ୍ତୃପକ୍ଷ ସ୍ବୀକାର କରିଥିଲାବେଳେ ଏପର୍ଯ୍ୟନ୍ତ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି।

ଅନୁଗୁଳ ଜିଲ୍ଲା ତାଳଚେର ସହରରେ ଥିବା ଉପଖଣ୍ଡ କାରାଗାରରେ ସୁରକ୍ଷାକର୍ମୀ ଶୋଇବା ନେଇ କିଛି ଫଟୋ ଗତକାଲିଠାରୁ ଭାଇରାଲ ହେବାରେ ଲାଗିଛି। ଏଥି​ରେ ଦେଖାଯାଉଛି ଯେ ଜେଲ୍ ଭିତରେ ଜଣେ ୱାର୍ଡର ଚୌକିରେ ଶୋଇପଡ଼ିଛନ୍ତି। ସେ ଆଉ ଗୋଟିଏ ଚୌକିରେ ଗୋଡ଼ ରଖି ନିଘୋଡ଼ ନିଦରେ ଶୋଇଛନ୍ତି। ୱାର୍ଡ ଭିତରେ କଏଦୀମାନେ ଥିଲାବେଳେ ସେ ବାରଣ୍ଡାରେ ବିନା ଚିନ୍ତାରେ ଶୋଇବା ପରି ଜଣାପଡ଼ୁଛି। ଆଉ ଜଣେ ୱାର୍ଡର୍‌ ଫାଟକ ନିକଟରେ ଶୋଇଛନ୍ତି। ଫାଟକ ପାଖରେ ରହିଥିବା ଟେବୁଲ୍‌ ଉପରେ ଜେଲ୍‌ର ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ରହିଥିଲାବେଳେ ଟେବୁଲ୍‌ ତଳେ ସେ ଆରାମ୍‌ରେ ଶୋଇଛନ୍ତି। ଭାଇରାଲ ହେଉଥିବା ଏହି ଫଟୋ ଗତକାଲିର ବୋଲି ଜଣାପଡ଼ିଛି। ମଧ୍ୟାହ୍ନ ପରେ ଜେଲ୍‌ ଭିତରେ ଏହି ଫଟୋ ଉଠାଯାଇଛି। ପରେ ଏହା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି।

publive-image

ଏହି ଜେଲ୍‌ରେ ଏବେ ୧୨୫ କଏଦୀ ରହିଛନ୍ତି। ଏମାନଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଦୁଇଜଣ ୱାର୍ଡର ଶୋଇପଡ଼ିବା ଫଟୋ ଭାଇରାଲ ହେବା ପରେ ଜେଲ୍‌ର ଢିଲା ସୁରକ୍ଷା ବ୍ୟବସ୍ଥା ପଦାରେ ପଡ଼ିଛି। ଅନ୍ତେବାସୀମାନେ ବୁଲାବୁଲି କରୁଥିଲାବେଳେ ୱାର୍ଡର୍‌ ​ଶୋଇପଡ଼ିବା ଘଟଣା ସୁରକ୍ଷାଜନିତ ଗୁରୁତର ତ୍ରୁଟି ବୋଲି କୁହାଯାଉଛି। ଏପରିକି ଏମିତି ଢିଲା ସୁରକ୍ଷା ପାଇଁ ବଡ଼ ଧରଣର ଅଘଟଣର ଆଶଙ୍କା ମଧ୍ୟ ରହିଛି। ଜେଲ୍‌ର ଚାରି କାନ୍ଥ ଭିତରକୁ ମୋବାଇଲ ଫୋନ୍‌ ବାରଣ ଥିଲାବେଳେ ଏମାନଙ୍କ ଫଟୋ କେମିତି ଉଠିଲା ତାହା ବି କର୍ତ୍ତୃପକ୍ଷଙ୍କୁ ସନ୍ଦେହ ଘେରକୁ ଟାଣିଛି। ଫଟୋ ଉଠିଥିବା ମୋବାଇଲ ଫୋନ୍‌ କଏଦୀ ବ୍ୟବହାର କରୁଥିଲେ ନା ଏହା କୌଣସି କର୍ମଚାରୀଙ୍କ ତାହା ସ୍ପଷ୍ଟ ହୋଇନି। ପୁଣି ଏହି ଫଟୋ ଭାଇରାଲ କିଏ କଲା ତାହା ବି ତଦନ୍ତର ଅପେକ୍ଷା ରଖୁଛି।

ଜେଲ୍‌ ଭିତରେ ସୁରକ୍ଷା କର୍ମୀ ଶୋଇବା, ୱାର୍ଡ ଭିତରେ ମୋବାଇଲ ଫୋନ୍‌ ବ୍ୟବହାର ହେବା ଏବଂ ଜେଲ୍‌ର ଫଟୋ ବାହାରେ ଭାଇରାଲ ହେବା ପରି ସମ୍ବେଦନଶୀଳ ଘଟଣା ସାମ୍‌ନାକୁ ଆସିଥିଲେ ମଧ୍ୟ ଜେଲ୍‌ କର୍ତ୍ତୃପକ୍ଷ ଚୁପ୍‌ ବସିଛନ୍ତି। କେବଳ ଉପରିସ୍ଥ ଅଧିକାରୀଙ୍କୁ ଏ ସଂପର୍କରେ ଜଣେଇ ନିଜ ମୁଣ୍ଡରୁ ଦାୟିତ୍ବ ଖସେଇ ଦେଇଛନ୍ତି। ଏଥିନେଇ ଜେଲ୍‌ ଅଧୀକ୍ଷକ ଦିଲୀପ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଗତକାଲି ଦୁଇ ଜଣ ୱାର୍ଡର ଶୋଇପଡ଼ିଥିବା ନଜରକୁ ଆସିଛି। ଆମେ ଉପରିସ୍ଥ ଅଧିକାରୀଙ୍କୁ ଜଣେଇ ଦେଉଛୁ। ସେମାନେ ଯାହା କିଛି ପଦକ୍ଷେପ ନେବେ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe