ଯବାନ-ମାଓବାଦୀ ଗୁଳି ବିନିମୟ ଘଟଣା: ୫୦ ରାଉଣ୍ଡ ଗୁଳିଚାଳନା, କେହି ମୃତାହତ ହୋଇନଥିବା ସୂଚନା

Advertisment
ଛତିଶଗଡ଼ରେ ପୁଲିସ-ନକ୍ସଲ ଗୁଳିବିନିମୟ

Times of India

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରେ ଗତ ପ୍ରାୟ ଏକ ବର୍ଷ ହେବ ମାଓବାଦୀଙ୍କ କୌଣସି ହିଂସା ବା ଗତିବିଧି ଦେଖିବାକୁ ମିଳିନଥିଲା। ବହୁ ଦିନର ନିରବତା ପରେ ଶୀତ ବଢ଼ିଥିବା ବେଳେ ସୁନାବେଡ଼ା ଅଭୟାରଣ୍ୟରେ ମାଓବାଦୀମାନେ ସେମାନଙ୍କ ଉପସ୍ଥିତ ଜାହିର କରୁଥିବା ଦେଖିବାକୁ ମିଳିଛି। କୌଣସି ସୂତ୍ରରୁ ଖବର ପାଇ ଗୁରୁବାର ନୂଆପଡ଼ା ଜିଲ୍ଲା ପାଟଦରା ସିନାପାଲି ଥାନା ସଂରକ୍ଷିତ ଜଙ୍ଗଲ, ସୁନାବେଡ଼ା ଅଭୟାରଣ୍ୟରେ ସିଆର୍‌ପିଏଫ୍‌, ଏସ୍‌ଓଜି ଓ ଜିଲ୍ଲା ପୁଲିସ କମ୍ବିଂ କରୁଥିବା ବେଳେ ଝୋଲାପଡ଼ାଠାରେ ହଠାତ୍ ମାଓବାଦୀମାନେ ଯବାନଙ୍କ ଉପରେ ଆତର୍କିତ ଭାବରେ ଗୁଳିଚାଳନା କରିଥିଲେ। ଏହାର ଜବାବରେ ଯବାନମାନେ ମାଓବାଦୀ ଉପରେ ୫୦ ରାଉଣ୍ଡ ଗୁଳିଚାଳନା କରିଥିଲେ। ଫଳରେ ମାଓବାଦୀମାନେ ଛତ୍ରଭଙ୍ଗ ହୋଇ ପଲାଇ ଯାଇଥିଲେ। ପରେ ଯବାନମାନେ ଏକ ମାଓ କ୍ୟାମ୍ପକୁ ଠାବ କରିଥିଲେ। ସେଠାରୁ କୌଣସି ବିସ୍ଫୋରକ ସାମଗ୍ରୀ ମିଳି ନଥିଲା। ମାଓବାଦୀଙ୍କ ପୋଷାକ, କମ୍ବଳ, ବ୍ୟାଗ୍ ସୋଲାର ପ୍ଲେଟ୍, ଲାଲ କପଡ଼ା, ରେଡିଓ, ମାଓ ପୁସ୍ତକ, ଔଷଧ ସହ ବହୁ ମାଓ ସାମଗ୍ରୀ ମିଳିଥିବା ନୂଆପଡ଼ା ଏସ୍‌ପି ପ୍ରତ୍ୟୁଷ ଦିବାକର ଶୁକ୍ରବାର ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗୁଳି ବିନିମୟରେ ଯବାନଙ୍କ କୌଣସି କ୍ଷତି ହୋଇ ନାହିଁ। ଅନ୍ୟପକ୍ଷେ ଏହି କ୍ୟାମ୍ପରେ ୧୫ ରୁ ୨୦ ଜଣ ମାଓବାଦୀ ରହିଥିବା ବେଳେ ସେମାନେ କେଉଁ ଡିଭିଜନର ତାହା ଜଣାପଡ଼ି ନାହିଁ ବୋଲି କହିଛନ୍ତି।

ସୁନାବେଡ଼ା ଅଭୟାରଣ୍ୟ ମାଓବାଦୀଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ ଥିବାରୁ ମାଓବାଦୀମାନେ ଛତିଶଗଡ଼ ଓ ଓଡ଼ିଶାରେ ବିଭିନ୍ନ ଅଘଟଣ ଘଟାଇ ଏହି ସ୍ଥାନରେ ରହୁଥିବା ବିଭିନ୍ନ ସମୟରେ ଦେଖିବାକୁ ମିଳିଛି। ଏହି ସାମ୍ବାଦିକ ସମ୍ମିଳନୀରେ ସିଆର୍‌ପିଏଫ୍‌ ୨୧୬ କମାଣ୍ଡାଣ୍ଟ ରାଜେଶ ବତ୍ସ, ଦ୍ବିତୀୟ କମାଣ୍ଡାଣ୍ଟ ଧୀରଜ ସିଂ, ଡେପୁଟି କମାଣ୍ଡାଣ୍ଟ ଦନାରାମ ୟାଦବ, ଏସ୍‌ଆଇ ଦେବାଶିଷ ରାଉତ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe