ବରଗଡ଼ : ବରଗଡ଼ର ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅର୍ବାନ ସିଏଚ୍ସି ମାନ୍ୟତା ପାଇବାକୁ ଦେଢ଼ବର୍ଷ ବିତିଗଲାଣି। କିନ୍ତୁ, ଏଠାରେ ସୁରକ୍ଷାକର୍ମୀମାନେ ରୋଗୀଙ୍କ ରକ୍ତଚାପ ମାପୁଥିବା ଦେଖିବାକୁ ମିଳିଛି।
ଏହି ଚିକିତ୍ସାଳୟ ଉପରେ ବରଗଡ଼ ସହରର ଲକ୍ଷାଧିକ ଲୋକ ନିର୍ଭର କରୁଛନ୍ତି। ଏହାବାଦ୍ ଭେଡ଼େନ, ବରପାଲିରୁ ରୋଗୀ ମଧ୍ୟ ଏଠାକୁ ଆସୁଛନ୍ତି। ଗୋଟିଏ ଅର୍ବାନ ସିଏଚ୍ସିରେ ୪ଜଣ ବିଶେଷଜ୍ଞ ଡାକ୍ତର, ୬ଜଣ ଏମ୍ବିବିଏଏସ୍ ଡାକ୍ତରଙ୍କ ସମେତ କର୍ମଚାରୀ ରହିବା କଥା। କିନ୍ତୁ ବର୍ତମାନ ଯାଏ ଏଠାରେ ଜଣେ ସର୍ଜରି ବିଶେଷଜ୍ଞ, ଜଣେ ଭେଷଜ, ୨ଜଣ ଲେଖାଏଁ ଏମ୍ବିବିଏସ୍ ଡାକ୍ତର ଓ ସ୍ତ୍ରୀରୋଗ ଡାକ୍ତର ଅଛନ୍ତି। ଏସବୁ ଡାକ୍ତରଙ୍କୁ ରୋଟେସନ୍ ଭିତ୍ତିରେ ଦାୟିତ୍ବ ଦିଆଯାଇଛି। ଯଦ୍ବାରା ବିଭିନ୍ନ ସମୟରେ ରୋଗୀ ସଂଖ୍ୟାକୁ ଚାହିଁଲେ ଚିକିତ୍ସା ସେବା ଠିକ୍ ଭାବେ ମିଳିବା ମୁସ୍କିଲ ହୋଇପଡ଼ୁଛି। ଏହାର ଝଲକ୍ ଦେଖିବାକୁ ମିଳୁଛି। ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁରକ୍ଷା କର୍ମୀମାନେ ରୋଗୀ ଚିକିତ୍ସା କରୁଛନ୍ତି। ସୁରକ୍ଷାକର୍ମୀମାନେ ରୋଗୀଙ୍କ ରକ୍ତଚାପ ମାପୁଥିବା ନଜରକୁ ଆସିଛି। ତେବେ ଦାୟିତ୍ବରେ ରହୁଥିବା ଡାକ୍ତର କୁଆଡ଼େ ଗଲେ? ସୁରକ୍ଷାକର୍ମୀଙ୍କୁ ରୋଗୀ ସେବା ପାଇଁ ନିର୍ଦେଶ ଦେଲା କିଏ? ଯଦି ରୋଗୀଙ୍କ କିଛି ଅଘଟଣ ହେଇଥାଆନ୍ତା, ତେବେ ଦାୟୀ କିଏ? ଏଭଳି ଗୁଡ଼ାଏ ପ୍ରଶ୍ନ ଉଙ୍କିମାରୁଛି। ରୋଗୀଙ୍କ ଭାଗ୍ୟରେ ଡାକ୍ତରୀସେବା ବି ଜୁଟୁନଥିବାରୁ ସଚେତନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।
  
 Follow Us