ଶ୍ରୀମନ୍ଦିର ସୁରକ୍ଷା ନେଇ ଉଠିଲା ପୁଣି ପ୍ରଶ୍ନବାଚୀ: ସିଂହଦ୍ବାର ଗୁମୁଟରୁ ପଡ଼ି କିନ୍ନରଙ୍କ ମୃତ୍ୟୁ

ଭଙ୍ଗା ପଲଙ୍କରେ ଶୋଉଛନ୍ତି ମହାପ୍ରଭୁ

ମୃତ୍ୟୁ ପୂର୍ବରୁ ଆନନ୍ଦବଜାରରେ ମହିଳାଙ୍କ ସହ ମହାପ୍ରସାଦ ଖାଇ‌ଥିଲେ
ଦିନକ ପୂର୍ବରୁ ଭକ୍ତଙ୍କ ସୁରକ୍ଷା ପାଇଁ ହୋଇଥିଲା ମକଡ୍ରିଲ

ପୁରୀ : ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟରୁ ପଡ଼ି ଜଣେ କିନ୍ନରଙ୍କ ମୃତ୍ୟୁ ହୋଇଛି। ମୃତ କିନ୍ନର ପୁରୀ ଜିଲ୍ଲା ନିମାପଡ଼ା ଥାନା କଳାପାଞ୍ଚଣ ପଞ୍ଚାୟତ ଗଡ଼ଇଟାପୋଖରୀ କୋଠାସାହିର ଅରକ୍ଷିତ ରାଉତଙ୍କ ପୁଅ ବଳରାମ। ବଳରାମଙ୍କ କିଭଳି ମୃତ୍ୟୁ ହେଲା ଓ ଏହାର କାରଣ ଅସ୍ପଷ୍ଟ ଥିବାବେଳେ ଅତ୍ୟଧିକ ମାନସିକ ଚାପ ପରେ ସେ ଗୁମୁଟରୁ ଡେଇଁ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ସିଂହଦ୍ବାର ଥାନା ପୁଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁଲିସ ଶ୍ରୀମନ୍ଦିରରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରୁଛି। ଏହା ହତ୍ୟା ନା ଆତ୍ମହତ୍ୟା ତାର ଖୋଳତାଡ଼ କରୁଛି।

ଶ୍ରୀମନ୍ଦିର ଇତିହାସରେ ଏଭଳି ମୃତ୍ୟୁ ପ୍ରଥମ ଘଟଣା ହୋଇଥିବା ବେଳେ ରାଜ୍ୟବ୍ୟାପୀ ଏହାକୁ ନେଇ ସମାଲୋଚନା ଆରମ୍ଭ ହୋଇଯାଇଛି। ଭକ୍ତ, ସେବାୟତଙ୍କ ମହଲଙ୍କୁ ଏହା ମର୍ମାହତ କରିଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏହି ଘଟଣା ବିରାଟ ପ୍ରଶ୍ନ ଠିଆକରିଛି। ରୋଷଘର ଚୁଲି ଭଙ୍ଗା ଘଟଣାକୁ ନେଇ ବିବାଦ ଥମି ନାହିଁ। ସେତେବେଳେ ଏହି ଘଟଣା ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଥିବା ଘଳିଆକୁଉଜାଗର କରିଥିଲା। ଆଶା କରାଯାଉଥିଲା ପ୍ରଶାସନ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବ। କିନ୍ତୁ ସିଂହଦ୍ବାର ଗୁମୁଟରୁ ପଡ଼ି ଜଣେ କିନ୍ନରଙ୍କ ମୃତ୍ୟୁ ପୁଣିଥରେ ବିବାଦ ଠିଆ କରିଛି । ମାଳମାଳ ପୁଲିସ ପହରା ଭିତରେ ଜଣେ କିନ୍ନର ସିଂହଦ୍ବାର ଗୁମୁଟକୁ କେମିତି ଚଢ଼ିଲେ, ସେ ଚଢ଼ିବା ପରେ ସେଠାରେ ନିୟୋଜିତ ସୁରକ୍ଷା କର୍ମୀମାନେ କିପରି ତାଙ୍କୁ ଦେଖିପାରିଲେ ନାହିଁ କିଂବା ଅଟକାଇଲେ ନାହିଁ ଏହି ସବୁ ପ୍ରଶ୍ନ ଏବେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶାସନ କେତେ ଉଦାସୀନ ସେ ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଯେଉଁ ସ୍ଥାନରେ ଏହି ଅଘଟଣ ଘଟିଲା, ସେହି ସ୍ଥାନରେ ଦିନକ ପୂର୍ବରୁ ଜିଲ୍ଲା ପୁଲିସର ଏକ ମକ୍‌ଡ୍ରିଲ କରାଯାଇଥିଲା। ଏହାର ଦିନକ ପରେ ଏଭଳି ଘଟଣା ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ଠିଆ କରିଛି। ସେପଟେ ବଳରାମଙ୍କ ମୃତଦେହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ଗତକାଲି ରାତିରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପରେ ବଡ଼ଦାଣ୍ଡରେ କିନ୍ନରଙ୍କ ଗହଣରେ ମୃତଦେହକୁ ‌ଶୋଭାଯାତ୍ରାରେ ନିଆଯାଇ ସତ୍କାର କରିଥିଲେ। ରକ୍ତ, ମାଂସ ପଡ଼ିବାରୁ ସିଂହଦ୍ବାର ପ୍ରବେଶ ପଥକୁ ଚୁନ, ବ୍ଲିଚିଂ ପକାଇ ସମ୍ପୂର୍ଣ୍ଣ ଶୋଧ କରାଯାଇଥିଲା।

ମିଳିଥିବା ସୂଚନା ମୁତାବକ, ଗତକାଲି ପୂର୍ବାହ୍ଣରେ ବଳରାମ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିଲେ। ମହାପ୍ରଭୁଙ୍କ ଦର୍ଶନ ସାରିବା ପରେ ଜଣେ ମହିଳାଙ୍କ ସହ ବସି ଆନନ୍ଦବଜାରରେ ମହାପ୍ରସାଦ ଖାଇଥିଲେ। ଅପରାହ୍ଣ ପ୍ରାୟ ସାଢ଼େ ୨ଟାରେ ସେ ତୋରଣ ମହାଲକ୍ଷ୍ମୀ(ନୀଳାଦ୍ରି ବିଜେ ସମୟରେ ଯେଉଁ ସ୍ଥାନରେ ଲକ୍ଷ୍ମୀ-ନାରାୟଣ ଭେଟ ହୋଇଥାଏ) ମନ୍ଦିର ବାଟ ଦେଇ ସିଂହଦ୍ବାର ଗୁମୁଟକୁ ଚଢ଼ି ଡେଇଁ ପଡ଼ିଥିବା ଅନୁମାନ କରାଯାଉଛି। ସିଂହଦ୍ବାରରେ ଥିବା ଜେଟିପିମାନେ ବି କେଉଁ ପରିସ୍ଥିତିରେ ବଳରାମଙ୍କ ମୃତ୍ୟୁ ହେଲା କହି ପାରୁନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe