କବାଟବନ୍ଧ: ଚଣ୍ତିଖୋଲ-ଡୁବୁରି ୫୩ ନମ୍ବର ଜାତୀୟ ରାଜପଥର କବାଟବନ୍ଧ ନିକଟସ୍ଥ ୬୨ ବର୍ଷର ପୁରୁଣା ବ୍ରାହ୍ମଣୀ ସେତୁ ସଂପ୍ରତି ଜରାଜୀର୍ଣ୍ଣ ତଥା ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଆଜି ଚଣ୍ତିଖୋଲ ଆର୍ଟିଓ ସମ୍ବିତ କୁମାରଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଅନୁଧ୍ୟାନକାରୀ ଦଳ ଚଣ୍ତିଖୋଲଠାରୁ ଡୁବୁରି ପର୍ଯ୍ୟନ୍ତ ନିର୍ମାଣାଧୀନ ରାଜପଥ ଓ ବ୍ରାହ୍ମଣୀସେତୁର ସ୍ଥିତି ପରଖିଥିଲେ। ରାସ୍ତା କାମରେ ବିଳମ୍ବ ତଥା ବ୍ରାହ୍ମଣୀ ସେତୁର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଥିବାରୁ ଏ ସଂପର୍କିତ ରିପୋର୍ଟ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯିବ ବୋଲି ସୂଚନା ଦେଇଥିଲେ। ବ୍ରାହ୍ମଣୀ ସେତୁର ସଂପୂର୍ଣ୍ଣ ମରାମତି ପାଇଁ ୧୫ ଦିନ ସମୟ ଲାଗିବ। ଗାଡ଼ି ଚଳାଚଳ ବନ୍ଦ ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେବା ପରେ ବ୍ରାହ୍ମଣୀ ସେତୁର ପାଚେରି, ପାଦଚଲା ରାସ୍ତା, ରଙ୍ଗ ତଥା ପୋଲ ଉପରୁ ଆବଡ଼ାଖାବଡ଼ା ପିଚୁ ଉଠାଇ ସଂପୂର୍ଣ୍ଣ ମରାମତି କରାଯିବ ବୋଲି ଏହି ଟିମ୍ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଏହାଛଡ଼ା ଆସନ୍ତା ନଭେମ୍ବର ପ୍ରଥମ ସପ୍ତାହରେ ଦ୍ବିତୀୟ ବ୍ରାହ୍ମଣୀ ସେତୁ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଏହି ଟିମ୍ ପ୍ରକାଶ କରିଛି। ଚଣ୍ତିଖୋଲ ଆରଟିଓଙ୍କ ପ୍ରତିନିଧି କାଜଲ ପ୍ରଧାନ, ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦୀପକ କୁମାର ଜେନା, ଏମ୍ଏସ୍ପିଏଲ୍ ଠିକା ସଂସ୍ଥାର ଇଂଜିନିୟର ପ୍ରିୟବ୍ରତ ପଣ୍ତାଙ୍କ ସମେତ ଜେନାପୁର, କଳିଙ୍ଗନଗର ପୁଲିସ ଏହି ଟିମ୍ରେ ସାମିଲ ଥିଲେ। ସଚେତନ ନାଗରିକ ମଞ୍ଚ ପକ୍ଷରୁ ସୁବ୍ରତ କୁମାର ସାହୁ, ସନ୍ତୋଷ କୁମାର ରାଉତ, ସୌମ୍ୟ ରଂଜନ ପଣ୍ତା ସହଯୋଗ କରିଥିଲେ।
ଉଲ୍ଲେଖ ଥାଉକି ଗତ ୧୯ ତାରିଖରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଭେଟି ବ୍ରାହ୍ମଣୀ ସେତୁର ଜରାଜୀର୍ଣ୍ଣ ଅବସ୍ଥା ସଂପର୍କରେ ଅବଗତ କରାଯାଇଥିଲା।
Follow Us