ବିହିତ ପଦକ୍ଷେପ ଲୋଡ଼ା: କଷଣ ଦେଉଛି କଣ୍ଟିଆଚିରା

Advertisment
ବିହିତ ପଦକ୍ଷେପ ଲୋଡ଼ା: କଷଣ ଦେଉଛି କଣ୍ଟିଆଚିରା

ବାହାନଗା: କଣ୍ଟିଆଚିରା ନଦୀ ଲୋକଙ୍କ ଜୀବନରେଖା ଥିଲା। ଆଉ ଏବେ ଦାଉ ସାଧୁଛି। ପ୍ରଭାବିତ ହେଉଛନ୍ତି ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଚାଷୀ ଓ ମତ୍ସ୍ୟଜୀବୀ। ଏପରି ସ୍ଥିତି ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲାର ରେମୁଣା ବ୍ଲକ୍‌ରେ। ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ୍‌ ଦେବଗିରି ପାହଡ଼ରୁ ଉତ୍ପତ୍ତିଲାଭ କରିଛି କଣ୍ଟିଆଚିରା ନଦୀ। ଏହା ରେମୁଣା ବ୍ଲକ୍‌ ଦେଇ ପ୍ରବାହିତ ହେବା ସହ ତାଳପଦା ଜାମୁକା ମୁହାଣରେ ସମୁଦ୍ର ସହ ମିଶିଛି। ଦିନ ଥିଲା, ନଦୀର ପାଣି ଚାଷ ପାଇଁ ବ୍ୟବହାର କରାଯାଉଥିଲା। ସେହିପରି ରେମୁଣା ବ୍ଲକ୍‌ ଅଧୀନ ଶ୍ରୀଜଙ୍ଗ, ଇଞ୍ଚୁଡ଼ି, ତାଳପଦା, ତୁଣ୍ଡରା ଓ ମହାରାଜପୁର ପଞ୍ଚାୟତର ଶହ ଶହ ମତ୍ସ୍ୟଜୀବୀ ଦେଶୀ ଓ ଯନ୍ତ୍ରଚାଳିତ ଡଙ୍ଗା ଦ୍ବାରା ସମୁଦ୍ରକୁ ମାଛ ମାରିବା ପାଇଁ ଯାଉଥିଲେ। ହେଲେ ପରେ ସ୍ଥିତି ବଦଳିଯାଇଛି। ନଦୀ ତା’ର ପ୍ରଖରତା ହରାଇବାରୁ ସମୁଦ୍ରର ଲୁଣିପାଣି ମାଡ଼ିଆସିଛି। ନଦୀଶଯ୍ୟା ପୋତି ହୋଇଯିବା ଯୋଗୁଁ ବନ୍ୟା ଆସିଲେ ଲୁଣାପାଣି ଶ୍ରୀଜଙ୍ଗ, ଇଞ୍ଚୁଡ଼ି, ତାଳପଦା, ତୁଣ୍ଡରା ଓ ମହାରାଜପୁର ପଞ୍ଚାୟତର ଚାଷଜମିକୁ ମାଡ଼ିଯାଉଛି।

ଯାହାଦ୍ବାରା ଧାନଚାଷ ପ୍ରଭାବିତ ହେଉଛି। ସେହିପରି ତାଳପଦାର କଳମଗଡ଼ିଆ ପାହି, ଶ୍ରୀଜଙ୍ଗ ପଞ୍ଚାୟତର ଶ୍ରୀଜଙ୍ଗ, ମହାରାଜପୁର ପଞ୍ଚାୟତର ବୋଇତା, କୁଳିଗାଁ ପଞ୍ଚାୟତର କୁଳିଗାଁ ଆଦି ଗ୍ରାମରେ ମଧ୍ୟ ଲୁଣାପାଣି ପଶୁଛି। ଫଳରେ ଚାଷୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ନାନା ସମସ୍ୟା ଭୋଗୁଛନ୍ତି। ଅନ୍ୟପଟେ ମତ୍ସ୍ୟଜୀବୀମାନେ ଦେଶୀ ଓ ଯନ୍ତ୍ରଚାଳିତ ଡଙ୍ଗା ଦ୍ବାରା ମାଛ ଧରି ଯିବାରେ ଅସୁବିଧା ଭୋଗୁଛନ୍ତି। ଅବଶ୍ୟ ୨ ବର୍ଷ ତଳେ କୁଳିଗାଁଠାରୁ ଜାମୁକା ମୁହାଣ ପର୍ଯ୍ୟନ୍ତ ନଦୀ ପୁନରୁଦ୍ଧାର କାମ କରାଯାଇଛି; ତାହା ପର୍ଯ୍ୟାପ୍ତ ନୁହେଁ ବୋଲି ମହାରାଜପୁର ସରପଞ୍ଚ ଶରତ ଚନ୍ଦ୍ର ପାଣି କହିଛନ୍ତି। ଏନେଇ ବିଶିଷ୍ଟ ସମାଜସେବୀ ଅନିରୁଦ୍ଧ ଦାସଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ କହିଛନ୍ତି, ଶ୍ରୀଜଙ୍ଗ, ଇଞ୍ଚୁଡ଼ି, ତାଳପଦା, ତୁଣ୍ଡରା ଓ ମହାରାଜପୁର ପଞ୍ଚାୟତ ପ୍ରତି ପ୍ରକୃତି କାଳ ସାଜିଛି। ବିଶେଷ କରି ଚାଷୀମାନେ ଅଧିକ କ୍ଷତି ସହୁଛନ୍ତି। ତେଣୁ ସମୟ ଆସିଛି, ସରକାର ସମସ୍ୟା ପ୍ରତି ଯତ୍ନବାନ ହେବା ଉଚିତ। ନଦୀକୁ କିପରି ସମୁଦ୍ର ପାଣି ପ୍ରବେଶ ନକରିବ ଏବଂ ବନ୍ୟାଜଳ କିପରି ସୁରୁଖୁରୁରେ ସମୁଦ୍ରକୁ ନିଷ୍କାସିତ ହୋଇପାରିବ, ସେନେଇ ବିହିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe