ପାରାଦୀପ ବନ୍ଦରରେ ଜାହାଜରୁ କୋକେନ୍‌ ଜବତ ଘଟଣା: ୧୧୦ କୋଟି ଜମା କଲେ ମୁକୁଳିବ ଜାହାଜ

ପାରାଦୀପ ବନ୍ଦରରେ ଜାହାଜରୁ କୋକେନ୍‌ ଜବତ ଘଟଣା: ୧୧୦ କୋଟି ଜମା କଲେ ମୁକୁଳିବ ଜାହାଜ

ଜଗତସିଂହପୁର: ପାରାଦୀପ ବନ୍ଦରରେ ଏକ ଜାହାଜରୁ ୨୨୦ କୋଟି ଟଙ୍କାର କୋକେନ୍ ମିଳିଥିଲା। ସେହି ଜାହାଜକୁ ଅଟକ ରଖାଯାଇଥିଲା। ଏହି ଜାହାଜକୁ ମୁକୁଳିବାକୁ ୧୧୦ କୋଟି ଟଙ୍କା ଜମା କରିବାକୁ ପଡ଼ିବ ବୋଲି କୁଜଙ୍ଗ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ବତନ୍ତ୍ର କୋର୍ଟ ମାମଲାର ଶୁଣାଣି କରି ନିର୍ଦ୍ଦେଶ ଦେଇଛନ୍ତି। ଜାହାଜ କର୍ତ୍ତୃପକ୍ଷ ୧୦ କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ଓ ୧୦୦ କୋଟି ଟଙ୍କାର ଇଣ୍ଡେମେନଟି ଜମା କରି ଜାହାଜ ମୁକୁଳାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ସରକାରୀ ଓକିଲ ସତ୍ୟାନନ୍ଦ ବିଶ୍ବାଳ ସୂଚନା ଦେଇଛନ୍ତି। ମାମଲାର ବିଚାର ପ୍ରକ୍ରିୟା ଚାଲୁଥିବା ପର୍ଯ୍ୟନ୍ତ ମାଲିକ ଜାହାଜକୁ ବିକ୍ରି କରିପାରିବେ ନାହିଁ, ଏହାର ରଙ୍ଗ ବଦଳାଇ ପାରିବେ ନାହିଁ, ଧାର୍ଯ୍ୟ ତାରିଖରେ କୋର୍ଟରେ ହାଜର ହେବେ ବୋଲି ମଧ୍ୟ ସର୍ତ୍ତ ରଖାଯାଇଛି।

ସୂଚନାଯୋଗ୍ୟ ଯେ ୨୦୨୩, ନଭେମ୍ବର ୩୦ ତାରିଖରେ ପାରାଦୀପ ବନ୍ଦରରେ ଲାଗିଥିବା ଏହି ଜାହାଜରୁ କୋକେନ୍ ଜବତ କରାଯାଇଥିଲା। 'ଏମ୍ ଦେବୀ' ନାମକ ଏହି ଜାହାଜ ନଭେମ୍ବର ୨୨ ତାରିଖରେ ଇଣ୍ଡୋନେସିଆର ଗ୍ରେସିକରୁ ବାହାରି ୨୮ ତାରିଖରେ ପାରାଦୀପ ବନ୍ଦରରେ ଲାଗିଥିଲା। ୩୦ ତାରିଖ ରାତିରେ ସୀମା ଶୁଳ୍କ ବିଭାଗକୁ ବିଶ୍ବସ୍ତ ସୂତ୍ରରୁ ଖବର ମିଳିବା ପରେ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ସୁରକ୍ଷାକର୍ମୀଙ୍କ ସହାୟତାରେ ଜାହାଜରେ ଯାଞ୍ଚ ପରେ ୨୨ଟି ପ୍ୟାକେଟରେ ୨୨ କେଜି କୋକେନ ମିଳିଥିଲା। ଘଟଣାର ତଦନ୍ତ କରାଯିବା ସହିତ ଜାହାଜକୁ ଅଟକ ରଖାଯାଇଥିଲା। ସୀମା ଶୁଳ୍କ ତଦନ୍ତକାରୀ ଟିମ୍ ପ୍ରାଥମିକ ତଦନ୍ତ ଓ କ୍ରିଉ ସଦସ୍ୟଙ୍କ ବୟାନ ରେକର୍ଡ କରି କୋର୍ଟରେ ରିପୋର୍ଟ ଦାଖଲ କରିଥିଲେ। ୨୦୨୪, ଜାନୁଆରି ୧୪ ତାରିଖରେ ଜଣେ କ୍ରିଉ ସଦସ୍ୟ ଏହି ଜାହାଜରୁ ପାଣିକୁ ଡେଇଁପଡ଼ି ଆହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe