ହରଭଙ୍ଗା: ସୋମବାର ବୌଦ୍ଧ ବନ ବିଭାଗ ଏବଂ ନୟାଗଡ଼ ବନ୍ୟପ୍ରାଣୀ ବିଭାଗର ଏକ ୧୬ ଜଣିଆ ଟିମ ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ଅନ୍ତର୍ଗତ ବଡ଼ଖଜୁରୀ ଗ୍ରାମର ବିଶ୍ବାମିତ୍ର କହଁର ଘରେ ଚଢ଼ଉ କରି ସେଠାରୁ ଏକ ଦେଶୀ ବନ୍ଧୁକ ସହିତ ବାଘ ଖପୁରୀ, ହାଡ଼ ଓ ଲୋମ ଜବତ କରିବା ସହ ବିଶ୍ବାମିତ୍ରକୁ ଗିରଫ କରିଥିଲେ। ଏହି ଘଟଣାରେ ନୟାଗଡ଼ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନ କୁଆଁରିଆ ରେଞ୍ଜ ପକ୍ଷରୁ ଏକ ମାମଲା ରୁଜୁ କରି ୪ ଜଣଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି। ସେମାନଙ୍କ ମଧ୍ୟରେ ବିଶ୍ବାମିତ୍ର ସହିତ ଦୁଇ ଅନ୍ତଃଜିଲ୍ଲା ବ୍ୟବସାୟୀ ଗଞ୍ଜାମ ଜିଲ୍ଲା ତାରସିଂ ଅଂଚଳର କରୁଣାକର ନାୟକ (୩୭) ଓ ବାଦଲ ପ୍ରଧାନ (୨୨) ତଥା ଦଶପଲ୍ଲା ଅଞ୍ଚଳର ଅଟୋ ଚାଳକ ନିରାକାର ନାଏକ ରହିଥିବା ସୂଚନା ମିଳିଛି।
ମହାନଦୀ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ ଗତ ୯ତାରିଖ ରାତିରେ ଦଶପଲ୍ଲା ଟାଉନ ଅଞ୍ଚଳରେ ଗୋଟିଏ ହରିଣ ଚମଡ଼ା, ବଜ୍ରକାପ୍ତା କାତି ଏବଂ କଲରାପତରିଆ ବାଘ ପାଦ ବିକ୍ରି ପାଇଁ ଡିଲ୍ ଚାଲିଥିଲା। ଏହି ସମୟରେ ବନ୍ୟପ୍ରାଣୀ ବିଭାଗ ଚଢ଼ଉ କରି କରୁଣାକର ଓ ବାଦଲକୁ ଗିରଫ କରିଥିଲା। ପଚରାଉଚରା ପରେ ସେମାନେ ବୌଦ୍ଧ ଜିଲ୍ଲା ତଳଗାଁ ପଞ୍ଚାୟତ ବଡ଼ଖଜୁରୀ ଗ୍ରାମର ବିଶ୍ବାମିତ୍ର ପାଖରୁ ବାଘ ପାଦ କିଣିଥିବା କହିଥିଲେ। ଏହାପରେ ବିଶ୍ବାମିତ୍ର ଘରେ ଚଢ଼ଉ କରାଯାଇଥିଲା। ତା’ ପାଖରୁ ଦେଶୀ ବନ୍ଧୁକ ଜବତ ପରେ ଘଟଣା ବିଷୟରେ ପଚାରିବାରେ ବିଶ୍ବାମିତ୍ର ବାଘ ଶିକାର କରି ପୋତିଥିବା ମାନିଥିଲା। ପୋତିଥିବା ସ୍ଥାନରୁ ଟିମ୍ ବାଘ ଖପୁରି, ହାଡ଼ ଓ ଲୋମ ଜବତ କରି ତାକୁ ଗିରଫ କରିଥିଲା। ଏଥି ସହ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଟୋ ଚାଳକ ନିରାକରକୁ ମଧ୍ୟ ଗିରଫ କରାଯିବା ପରେ ସମସ୍ତ ୪ ଜଣଙ୍କୁ କୋର୍ଟଚାଲାଣ କରାଯାଇଥିବା ନୟାଗଡ଼ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଫାଲଗୁନୀ ଶେଖର ମଲ୍ଲିକ ସୂଚନା ଦେଇଛନ୍ତି।
Follow Us