ବରଗଡ଼ : ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ୍ଠାରେ ନୂତନ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି।
ଅତିରିକ୍ତ ଜିଲ୍ଲାପାଳ ତଥା କଳାକାର ଚୟନ କମିଟି ଆବାହକ ମିର୍ଦ୍ଧା ଟପ୍ପୋ ଏବଂ ଧନୁଯାତ୍ରା ମହୋତ୍ସବ ସମିତି ସମ୍ପାଦକ ସୁରେଶ୍ବର ଶତପଥୀ ଏହାର ଉଦ୍ଘାଟନ କରିଥିଲେ। ଆଜି ଉଗ୍ରସେନ, ବାସୁଦେବ, ଦେବକୀ, ନାରଦ ଓ ସେନାପତି ଚରିତ୍ର ପାଇଁ କଳାକାର ଚୟନ କରାଯାଇଥିଲା। ଉଗ୍ରସେନ ପାଇଁ ୭ ଜଣ ଆବେଦନ କରିଥିବା ବେଳେ ୬ ଜଣ ଚୟନ ପ୍ରକ୍ରିୟାରେ ଭାଗ ନେଇଥିଲେ। ସେହିଭଳି, ବସୁଦେବ ପାଇଁ ୧୯ ଜଣ ଆବେଦନ କରିଥିବା ବେଳେ ୧୪ ଜଣ, ଦେବକୀ ପାଇଁ ୮ଜଣରୁ ୪ ଜଣ, ସେନାପତି ପାଇଁ ୩୭ ଜଣରୁ ୨୪ ଜଣ, ନାରଦ ପାଇଁ ୧୪ ଜଣରୁ ୭ ଜଣ ଏଥିରେ ସାମିଲ୍ ହୋଇଥିଲେ। ଆସନ୍ତା ବୁଧବାର ଦିନ ଚାଣୁର, ମୁଷ୍ଟିକ, ମହାମନ୍ତ୍ରୀ, ଅକ୍ରୂର ଓ ସାତ୍ୟକି ଚରିତ୍ର ପାଇଁ କଳାକାର ଚୟନ କରାଯିବ। ୧୦ ତାରିଖ ଦିନ କଂସ ଚରିତ୍ରର ଚୟନ ସହ ଏହି ପ୍ରକ୍ରିୟା ଶେଷହେବ ବୋଲି ଜଣାପଡ଼ିଛି। ଏହି ଚୟନ ପ୍ରକ୍ରିୟାରେ ବିଚାରକ ଭାବରେ କଳାହାଣ୍ଡିରୁ ଡି. ପ୍ରଦୀପ ମାଝୀ, ବଲାଙ୍ଗୀରରୁ ଜମାଲ ଖାଁ, ସମ୍ବଲପୁରରୁ ବ୍ରଜେନ୍ଦ୍ର ନାୟକ, ଦେବଗଡ଼ରୁ ହେମନ୍ତ ମହାପାତ୍ର, ବରଗଡ଼ରୁ ଲିଟୁ ମହାନ୍ତି, ବିଜେପୁରରୁ ଶିବଲାଲ ସାଗର ଏବଂ ପଦ୍ମପୁରରୁ ଅଶୋକ ବହିଦାର ଯୋଗ ଦେଇଥିଲେ।
Follow Us