ଟସର ସୂତାକାଟି ସ୍ବାବଲମ୍ବୀ କୁନି : ୫୦୦ ଜଣଙ୍କୁ ଦେଇଛନ୍ତି ତାଲିମ୍‌

Advertisment
ଟସର ସୂତାକାଟି ସ୍ବାବଲମ୍ବୀ କୁନି : ୫୦୦ ଜଣଙ୍କୁ ଦେଇଛନ୍ତି ତାଲିମ୍‌

ହରିଚନ୍ଦନପୁର, (ଶ୍ରୀନିବାସ ପାଇକରାୟ): ମେସିନରେ ଟସରରୁ ସୂତାକଟା ହେଉଥିବା ଦେଖି ମନରେ କୌତୂହଳ ସୃଷ୍ଟି ହୋଇଥିଲା। ଆଉ ଏହା ହିଁ ପରେ ରୋଜଗାରର ବାଟ ଦେଖାଇଥିଲା। ଏବେ ସେ ସୂତା କାଟିବା ସହ ସେଥିରୁ କପଡ଼ା ତିଆରି କରୁଛନ୍ତି। ଏଠାରେ ପ୍ରସ୍ତୁତ ବସ୍ତ୍ର ଏବେ ଫ୍ଲିପ୍‌କାର୍ଟରେ ମଧ୍ୟ ଉପଲବ୍ଧ ହେଉଛି। କେବଳ ସେତିକି ନୁହେଁ, ଯୁବଗୋଷ୍ଠୀଙ୍କୁ ଟସରରୁ କିପରି ସୂତା କଟାଯିବ ସେନେଇ ତାଲିମ ଦେଉଛନ୍ତି। ଏହି ବୃତ୍ତି ତାଙ୍କୁ ସମାଜରେ ସ୍ବତନ୍ତ୍ର ପରିଚୟ ସାଙ୍ଗକୁ ଦେଇଛି ଅଜସ୍ର ସମ୍ମାନ।

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଅନ୍ତର୍ଗତ ଧୁରୁଡ଼ିଆମ୍ବ ପଞ୍ଚାୟତ କରଡ଼ାପାଳ ଗ୍ରାମର ଭିକାରି ଦେହୁରୀ ଓ ଭାନୁମତୀ ଦେହୁରୀଙ୍କ ଝିଅ କୁନି ଦେହୁରୀ (୩୪)। ପୂର୍ବରୁ କରଡ଼ାପାଳ ଗ୍ରାମରେ ଟସର ଚାଷ ହେଉଥିଲା। ସେ ଟସର ଦେଖିଥିଲେ। ହେଲେ ସେଥିରୁ ସୂତାକଟା ହେଉଛି ବୋଲି ଜାଣି ନଥିଲେ। ମାତ୍ର ୧୨ ବର୍ଷ ବୟସରେ ବାପା ଆରପାରିକୁ ଚାଲିଯିବା ପରେ ଭଗାମୁଣ୍ଡା ଗ୍ରାମରେ ଭଉଣୀ, ଭିଣୋଇଙ୍କ ଘରେ ରହି ନବମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଲେ କୁନି। ସ୍କୁଲ୍‌ ଗଲାବେଳେ ସୋସାଇଟିରେ ଲୋକେ ମେସିନରେ ସୂତା କାଟୁଥିବାବେଳେ ଏହାର ଶବ୍ଦ ତାଙ୍କ କାନରେ ବାଜୁଥିଲା। ୨୦୦୪ ମସିହାରେ ଭଗାମୁଣ୍ଡା ଟସର ସମିତି ପକ୍ଷରୁ ଏକ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ୬ ମାସ ତାଲିମ ନେବା ପରେ ଆଉ ପଛକୁ ଫେରିନଥିଲେ।

ଦୁଇବର୍ଷ ଧରି ସୂତା କାଟିବା ପରେ ସେ ଅନ୍ୟଙ୍କୁ ତାଲିମ ଦେଇଥିଲେ। ଦୀର୍ଘ ୧୬ ବର୍ଷ ମଧ୍ୟରେ ସେ ୫୦୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ତାଲିମ ଦେଇସାରିଛନ୍ତି। କୁନି ସୂତାକଟା ସାଙ୍ଗକୁ ଲୁଗାବୁଣା ଓ ଟସର କପଡ଼ାରେ ବିଭିନ୍ନ ପ୍ରକାର ପୋଷାକ ତିଆରି କରୁଛନ୍ତି। ଏଥିରୁ ସେ ମାସକୁ ୧୦ ହଜାର ଟଙ୍କାରୁ ଊର୍ଦ୍ଧ୍ବ ରୋଜଗାର କରୁଥିବା କହିଛନ୍ତି। ସେହିପରି ଭଗାମୁଣ୍ଡା ଟସର ସିଲ୍‌କ ପାର୍କ ଦ୍ବାରା ପ୍ରସ୍ତୁତ ହେଉଥିବା ପାଟ, ମଠା, ବିଭିନ୍ନ ପ୍ରକାର ଶାଢ଼ି, ସ୍କାର୍ପ, କପଡ଼ା, ଜ୍ୟାକେଟ୍‌, ବ୍ଲେଜର୍‌ ଆଦିର ଚାହିଦା ରହିଛି। ଏସବୁ ଜନିଷ ଏବେ ଫ୍ଲିପ୍‌କାର୍ଟରେ ମଧ୍ୟ ଉପଲବ୍ଧ ହେଉଥିବା କୁନି କହିଛନ୍ତି। ଯୁବପିଢ଼ିଙ୍କୁ ଆକୃଷ୍ଟ କରିବା ପାଇଁ ଡିଜିଟାଲ ପ୍ରିଣ୍ଟେଡ କପଡ଼ାରେ ବିଭିନ୍ନ ପୋଷାକ ତିଆରି କରାଯାଉଛି। ସୂତାକଟା ଓ ପୋଷାକ ପ୍ରସ୍ତୁତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ କର୍ଣ୍ଣାଟକର ମହୀଶୂର, ମୁମ୍ବାଇ ସମେତ ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ସମ୍ମାନିତ ହୋଇଛନ୍ତି। ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ବଳରେ ସେ ଏହି ସଫଳତାର ଅଧିକାରୀ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe