ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ବିବାଦ: ୪ କୁଳପତିଙ୍କୁ ଡାକିଲେ କୁଳାଧିପତି

ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ବିବାଦ: ୪ କୁଳପତିଙ୍କୁ ଡାକିଲେ କୁଳାଧିପତି

ଭୁବନେଶ୍ବର : ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମକୁ ନେଇ ବିବାଦ ଘନେଇବାରେ ଲାଗିଛି। ଗୋଟିଏ ପଟେ ରାଜ୍ୟ ସରକାର କଟକଣା ନ ଲଗାଇବାକୁ ଚାହୁଥିବା ବେଳେ କୁଳାଧିପତିଙ୍କ ପକ୍ଷରୁ ଏହାକୁ ଲାଗୁ କରିବାକୁ ଚାହୁଛନ୍ତି। ଉଚ୍ଚଶିକ୍ଷା ବିଭାଗ ସଚିବ ତଥା ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ବତ ମିଶ୍ର କିଛି ଦିନ ତଳେ ହ୍ବାଟସଅପ୍‌ ଗ୍ରୁପ୍‌ ମାଧ୍ୟମରେ ମୋଟ ରେଗୁଲାର ସିଟ୍‌ର ୨୦% ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଲାଗି ସଂରକ୍ଷିତ ରଖିବାକୁ କୁଳପତିମାନଙ୍କୁ ନିର୍ଦେଶ ଦେଇଛନ୍ତି। ଏହାପରେ ରେଭେନ୍ସା, ରମାଦେବୀ, ଉତ୍କଳ ଓ ଏମ୍‌ପିସିଜି ବିଶ୍ବବିଦ୍ୟାଳୟ କୁଳପତିଙ୍କ ସହ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍‌ ଓ ସଚିବ ଶ୍ରୀ ମିଶ୍ର ଆଜି ପ୍ରାୟ ଦୁଇ ଘଣ୍ଟା ଧରି ଏସଂପର୍କରେ ବିଚାରବିମର୍ଶ କରିଛନ୍ତି। କୁଳପତିଙ୍କ ମତାମତ ଲୋଡ଼ିବା ସହ କ’ଣ ସବୁ ପଦକ୍ଷେପ ନିଆଯାଇ ପାରିବ, ସେନେଇ ଆଲୋଚନା କରିଛନ୍ତି।

ରାଜଭବନରେ ଅନୁଷ୍ଠିତ ଆଲୋଚନାରେ କୁଳପତିମାନଙ୍କୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମର କଟକଣା କେବଳ ବିଶ୍ବବିଦ୍ୟାଳୟରେ ଲାଗୁ ହେବ। କୌଣସି ଡିଗ୍ରି କିମ୍ବା ସ୍ବୟଂଶାସିତ ମହାବିଦ୍ୟାଳୟରେ ଲାଗୁ କରାଯିବ ନାହିଁ। ସେହି ଅନୁଯାୟୀ କାହାର କେତେ ସିଟ୍‌ ରହିଛି, ତାହାର ତଥ୍ୟ ତୁରନ୍ତ ଦିଅ। ଯେଉଁ ବିଶ୍ବବିଦ୍ୟାଳୟର ଆବଶ୍ୟକତାଠାରୁ ଅଧିକ ସିଟ୍‌ ରହିଥିବ ତାହାକୁ କାଣ୍ଟଛାଣ୍ଟ କରାଯିବ। ଅଧିକ ସଂଖ୍ୟକ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ରହିବା ଦ୍ବାରା ବିଶ୍ବବିଦ୍ୟାଳୟଗୁଡ଼ିକର କିଛି ଲାଭ ହେଉନି, ବରଂ ସଂସ୍ଥାମାନେ ଉପକୃତ ହେଉଛନ୍ତି। ତେଣୁ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ କାଣ୍ଟଛାଣ୍ଟ କରାଯିବାର ଆବଶ୍ୟକତା ରହିଛି। କିଛି ଦିନ ପୂର୍ବରୁ ଉତ୍କଳରେ ନର୍ସିଂ ପାଠ୍ୟକ୍ରମକୁ ନେଇ ଯେଉଁଭଳି ସମସ୍ୟା ଉପୁଜିଥିଲା, ତାହା ଯେପରି ଆଗକୁ ନ ହୁଏ, ସେଥିପ୍ରତି ଗୁରୁତ୍ବ ଦେବାକୁ କୁଳପତିମାନଙ୍କୁ କୁହାଯାଇଛି।

ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶ୍ରୀ ମିଶ୍ର ଏପ୍ରିଲ ୧୨ରେ ବିଜ୍ଞପ୍ତି ଜାରି କରି କହିଥିଲେ ଯେ ବିଶ୍ବବିଦ୍ୟାଳୟର ମୋଟ ସିଟ୍‌ ମଧ୍ୟରୁ ୨୦% ସିଟ୍‌ ସେଲ୍ଫ ଫାଇନାନ୍ସିଂ ମୋଡ୍‌ରେ ରହିବ। ଜୁଲାଇ ୭ ସୁଦ୍ଧା ରାଜ୍ୟରେ ଥିବା ସମସ୍ତ ବିଶ୍ବବିଦ୍ୟାଳୟ ଏସଂପର୍କରେ ରିପୋର୍ଟ ଦେବାକୁ ଶ୍ରୀ ମିଶ୍ର ନିର୍ଦେଶ ଦେଇଥିଲେ। ତେବେ ଏନେଇ ବିବାଦ ଘନେଇବା ପରେ ରାଜ୍ୟ ସରକାର ସଫେଇ ଦେଇଥିଲେ ଯେ ସରକାରଙ୍କ ସହ ଏସଂପର୍କରେ କେହି ଆଲୋଚନା କରି ନାହାନ୍ତି। ଏମିତିକି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଅଗୋଚରରେ ସଚିବ ଶ୍ରୀ ମିଶ୍ର ଏଭଳି ନିର୍ଦେଶ ଦେଇଥିବା ଘଟଣା ପଦାକୁ ଆସିଥିଲା। କିଛି ଦିନର ନିରବତା ପରେ ଆଜି ୪ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ରାଜଭବନକୁ ଡାକି ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଉପରେ ଆଲୋଚନା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe