ସେଲ୍ଫ ଫାଇନା‌ନ୍ସିଂ ପାଠ୍ୟକ୍ରମ ପ୍ରସଙ୍ଗ: କାହା ଫାଇଦାରେ କଟକଣା?

Advertisment
ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ- ୨୦୨୦ ରହିତାଦେଶ: ଆଶଙ୍କାରେ ଆଶାୟୀ, ଦୋ’ଛକିରେ ବିଶ୍ବବିଦ୍ୟାଳୟ

ଘରୋଇ ବିଶ୍ବବିଦ୍ୟାଳୟକୁ ପ୍ରୋତ୍ସାହନ ନୁହେଁ ତ?
ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲା କ୍ଷତିଗ୍ରସ୍ତ ହେବେ
ସରକାରଙ୍କ ନିରବତା ନେଇ ଉଠିଲାଣି ପ୍ରଶ୍ନ

ଭୁବନେଶ୍ବର : ବିଶ୍ବବିଦ୍ୟାଳୟରେ କାର୍ଯ୍ୟକାରୀ ହେଲା ରାଜଭବନ ନିର୍ଦେଶ। ରାଜ୍ୟପାଳଙ୍କ ସଚିବ ଶାଶ୍ବତ ମିଶ୍ର ଏପ୍ରିଲ ୧୨ରେ ସେଲ୍ଫ ଫାଇନାନ୍ସ ପାଠ୍ୟକ୍ରମ ଉପରେ କଟକଣା ନେଇ ଯେଉଁ ନିର୍ଦେଶନାମା ଜାରି କରିଥିଲେ, ତାହାକୁ ଜୋରଜବରଦସ୍ତ ବିଶ୍ବବିଦ୍ୟାଳୟ ଉପରେ ଲଦି ଦିଆଯାଇଛି। ଉତ୍କଳ ଓ ରେଭେନ୍ସା ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ତାହାକୁ ଇତି ମଧ୍ୟରେ କାର୍ଯ୍ୟକାରୀ କରିଛନ୍ତି। ‌ଉତ୍କଳରେ ୮ ପାଠ୍ୟକ୍ରମ ବନ୍ଦ ହୋଇଛି। ୫୦% ସିଟ୍‌ ହ୍ରାସ ପାଇଛି। ରେଭେନ୍ସାରେ ୭ଟି ସେଲ୍ଫ ଫାଇନାନ୍ସିଂ ବନ୍ଦ ହେବା ସହ କିଛି ବିଭାଗର ସିଟ୍‌ ସଂଖ୍ୟା ମଧ୍ୟ ହ୍ରାସ ହୋଇଛି। ବାରିପଦାସ୍ଥିତ ଏମ୍‌ଏସ୍‌ସିବି ବିଶ୍ବବିଦ୍ୟାଳୟରେ ସେଲ୍ଫ ଫାଇନାନ୍ସିଂ କୋର୍ସରେ ସିଟ୍‌ ହ୍ରାସ କୁହାଯାଇଥିବାରୁ ରାଜଭବନରୁ ଗୋଟିଏ ବର୍ଷ ସମୟ ମାଗିଛନ୍ତି କର୍ତୃପକ୍ଷ। ଗୋଟିଏ ପଟେ ରାଜ୍ୟପାଳଙ୍କ ସଚିବ ଶ୍ରୀ ମିଶ୍ରଙ୍କ ନିର୍ଦେଶ କାର୍ଯ୍ୟକାରୀ କରାଯାଉଥିବା ବେଳେ ଅନ୍ୟପଟେ ରାଜ୍ୟ ସରକାରଙ୍କ ନିରବତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାହା ସ୍ବାର୍ଥରେ ରାଜଭବନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଗଲା, ତାହା ଜଣାପଡ଼ୁ ନାହିଁ। ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ ପଛରେ ରାଜ୍ୟ ସରକାରଙ୍କ ନିରବତା ଅର୍ଥ ସହମତି ବୋଲି କୁହାଯାଉଛି।

publive-image The Times of India

ବଡ଼ କଥା ହେଉଛି ଯେ ସରକାରୀ ବିଶ୍ବବିଦ୍ୟାଳୟରେ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ କଟକଣା ଲଗାଯିବା ଅର୍ଥାତ୍‌ ବନ୍ଦ କରିବା କିମ୍ବା ସିଟ୍‌ କମାଇବା ଦ୍ବାରା ରାଜ୍ୟରେ ଥିବା ଘରୋଇ ବିଶ୍ବବିଦ୍ୟାଳୟ ପ୍ରଚୁର ଲାଭବାନ ହେବେ। ଜଣେ ଗରିବ ମେଧାବୀ ଛାତ୍ର ଯେଉଁ ପାଠ୍ୟକ୍ରମକୁ ସରକାରୀ ବିଶ୍ବବିଦ୍ୟାଳୟରେ ୬୦ରୁ ଏକ ଲକ୍ଷ ଟଙ୍କା ଖର୍ଚ୍ଚ କରି ପଢ଼ୁଥିଲେ ତାଙ୍କୁ ଏବେ ଘରୋଇ ବିଶ୍ବବିଦ୍ୟାଳୟରେ ପଢ଼ିବା ଲାଗି ୩ରୁ ୪ ଗୁଣ ଅଧିକ ଅର୍ଥ ଦେବାକୁ ପଡ଼ିବ। ଉଦାହରଣ ସ୍ବରୂପ ଏମ୍‌ବିଏ ପାଠ୍ୟକ୍ରମକୁ ବିଚାରକୁ ନିଆଯାଇପାରେ। ସରକାରୀ ବିଶ୍ବବିଦ୍ୟାଳୟରେ ପଢ଼ିବା ଦ୍ବାରା ଛାତ୍ରଛାତ୍ରୀଙ୍କୁ ଏହି ପାଠ୍ୟକ୍ରମ ଫି’ ବାବଦରେ ୯୦ ହଜାରରୁ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ୁଛି। ମାତ୍ର ଘରୋଇ ବିଶ୍ବବିଦ୍ୟାଳୟରେ ଏହାର ଫି’ ୬ରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଭୁବନେଶ୍ବରରେ ଥିବା ଏକ ନାମକରା ଘରୋଇ ବିଶ୍ବବିଦ୍ୟାଳୟରେ ଏହା ଫି’ ୧୪.୫ ଲକ୍ଷ ଟଙ୍କା ରହିଛି। ଏହାଦ୍ବାରା ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାମାନେ ବହୁ ପରିମାଣରେ ପ୍ରଭାବିତ ହେବେ।

ରାଜ୍ୟପାଳଙ୍କ ସଚିବ ତଥା ଉଚ୍ଚଶିକ୍ଷା ବିଭାଗ ସଚିବ ଶ୍ରୀ ମିଶ୍ରଙ୍କ ବିଜ୍ଞପ୍ତି ପରେ ବିବାଦ ସୃଷ୍ଟି ହେବାରୁ ନିଷ୍ପତ୍ତି ପ୍ରତ୍ୟାହାର ହେବା ନେଇ ଚର୍ଚ୍ଚା ଚାଲିଥିଲା। ବିଶ୍ବବିଦ୍ୟାଳୟଗୁଡ଼ିକ ମଧ୍ୟ ଚୁପ୍‌ ବସିଥିଲେ ଏବଂ ବିଜ୍ଞପ୍ତି କାର୍ଯ୍ୟକାରୀ ଦିଗରେ ପଦକ୍ଷେପ ନେଇ ନ ଥିଲେ। ଯେଉଁଥିପାଇଁ ଗତ ସୋମବାର ସଚିବ ଶ୍ରୀ ମିଶ୍ର ଉତ୍କଳ ବିଶ୍ବବିଦ୍ୟାଳୟରେ ପହଞ୍ଚି ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଉପରେ କଟକଣା ଲଗାଇବା ନିଷ୍ପତ୍ତି କାର୍ଯ୍ୟକାରୀ କରିବା ଦିଗରେ କ’ଣ ପଦକ୍ଷେପ ନେଇଛ ଜାଣିବାକୁ ଚାହିଥିଲେ। କାହିଁକି କାର୍ଯ୍ୟକରୀ କରାଯାଇନାହିଁ, ସେନେଇ କର୍ତୃପକ୍ଷଙ୍କ ମତ ନେବା ସହ ତୁରନ୍ତ ପଦକ୍ଷେପ ନେବାକୁ କହିଥିଲେ। ଯେଉଁଥିପାଇଁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ୮ଟି ପାଠ୍ୟକ୍ରମକୁ ବନ୍ଦ କରିବା ସହ ୫୦% ସିଟ୍‌ କମାଇବାକୁ ନିଷ୍ପତ୍ତି ନେଇଛନ୍ତି। ସେଲ୍ଫ ଫାଇନାନ୍ସ ପାଠ୍ୟକ୍ରମରେ କଟକଣା ଲଗାଯିବା ସମ୍ପର୍କରେ କୌଣସି ବି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ମୁହଁ ଖୋଲୁ ନାହାନ୍ତି। ଫୋନ୍‌ କଲେ ଉଠାଉନାହାନ୍ତି କି ଭେଟିବାକୁ ଗଲେ ‌ଧରାଛୁଆଁ ଦେଉନାହାନ୍ତି। ଯେଉଁମାନେ ବି ମୁହଁ ଖୋଲୁଛନ୍ତି, ସେମାନଙ୍କ ଗୋଟିଏ ଉତ୍ତର, କୁଳା‌ଧିପତିଙ୍କ କାର୍ଯ୍ୟାଳୟରୁ ଆସିଥିବା ବିଜ୍ଞପ୍ତି ଆଧାରରେ ଆମେ ପଦକ୍ଷେପ ନେଇଛୁ।

ରାଜ୍ୟପାଳଙ୍କ ସଚିବ ଶ୍ରୀ ମିଶ୍ର କାହିଁକି ଏଭଳି ପଦକ୍ଷେପ ନେଲେ, ସେନେଇ ପ୍ରଶ୍ନ ଉଠିଛି। ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ଉପରେ ଏହାର କ’ଣ ପ୍ରଭାବ ପଡ଼ିବ? ଘରୋଇ ବିଶ୍ବବିଦ୍ୟାଳୟରେ ଖର୍ଚ୍ଚ କରିବାକୁ ଅଭିଭାବକ ଲକ୍ଷଲକ୍ଷ ଟଙ୍କା ପାଇବେ କେଉଁଠୁ? ସଚିବ କହୁଛନ୍ତି ଯେ ସେଲ୍ଫ ଫାଇନାନ୍ସିଂ କୋର୍ସ ଦ୍ବାରା ରେଗୁଲାର ପାଠ୍ୟକ୍ରମ ବାଧାପ୍ରାପ୍ତ ହେଉଛି। ମାତ୍ର ଯଦି ସରକାରୀ ବିଶ୍ବବିଦ୍ୟାଳୟରେ ଏହି ପାଠ୍ୟକ୍ରମ ପଢ଼ାଯିବ ନାହିଁ, ତାହାର ଫାଇଦା ଘରୋଇ ବିଶ୍ବବିଦ୍ୟାଳୟ ନେବେ। ଫି’ ବୃଦ୍ଧି କରିବା ସହ ଛାତ୍ରଛାତ୍ରୀଙ୍କଠାରୁ ପ୍ରଚୁର ଅର୍ଥ ଗ୍ରହଣ କରିବେ। ସ୍ଥାନୀୟ ଅଞ୍ଚଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେଲ୍ଫ ଫାଇନାନ୍ସିଂ କୋର୍ସ ଖୋଲିଥାଏ। ହଠାତ୍‌ ଏଭଳି ନିଷ୍ପତ୍ତି ନେଇ ବିଶ୍ବବିଦ୍ୟାଳୟ ଆଇନର ଉଲ୍ଲଂଘନ କରାଯାଇଥିବା ଶିକ୍ଷାବିତ୍‌ମାନେ ମତପ୍ରକାଶ କରିଛନ୍ତି।

ପାଠ୍ୟକ୍ରମ ସରକାରୀ ଫି’ ଘରୋଇ ଫି’
ବିବିଏ ୪୫ରୁ ୭୫ ହଜାର ୨ରୁ ୮ ଲକ୍ଷ
ବିସିଏ ୪୦ରୁ ୭୦ ହଜାର ୩ରୁ ୫ ଲକ୍ଷ
ବିଏସ୍‌ସି ୩୫ରୁ ୬୦ ହଜାର ୨ରୁ ୪ ଲକ୍ଷ
ଏମ୍‌ବିଏ ୯୦ ହଜାରରୁ ୧.୫ ଲକ୍ଷ ୬ରୁ ୧୫ ଲକ୍ଷ
ଏମ୍‌ସିଏ ୪୦ରୁ ୭୦ ହଜାର ୧.୫ ଲକ୍ଷରୁ ୪ ଲକ୍ଷ
ପିଜି କୋର୍ସ ୪୦ରୁ ୭୦ ହଜାର ୨ରୁ ୪ ଲକ୍ଷ
ଫାର୍ମାସୀ ୧.୫ ଲକ୍ଷ ୬ରୁ ୮ ଲକ୍ଷ
ନର୍ସିଂ ୧ ଲକ୍ଷ ୩ରୁ ୫ ଲକ୍ଷ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe