ନାଗରିକ ସମାଜ ସଂକୁଚିତ ହୋଇଯାଉଛି: ସୌମ୍ୟ

Advertisment

ସିଟିଜେନ୍ ହ୍ୟୁମାନ୍ ରାଇଟ୍‌ସ କ୍ଲିନିକ୍‌ର ଆଲୋଚନାଚକ୍ର

ସିଟିଜେନ୍ ହ୍ୟୁମାନ୍ ରାଇଟ୍‌ସ କ୍ଲିନିକ୍‌ର ଆଲୋଚନାଚକ୍ର

ନାଗରିକ ସମାଜ ସଂକୁଚିତ ହୋଇଯାଉଛି: ସୌମ୍ୟ

କଟକ : ନାଗରିକ ସମାଜର ସଭ୍ୟ, ସଭ୍ୟାମାନେ ମାନବାଧିକାର ଉଲ୍ଲଂଘନକୁ ବିଶେଷ ଭାବେ ଦୃଷ୍ଟି ଦେବା କଥା। ହେଲେ, ସେମାନେ ଆଜି କୌଣସି ନା କୌଣସି କାରଣରୁ ସଂକୁଚିତ ହୋଇଯାଇଛନ୍ତି। ଓଡ଼ିଶା ବହୁତ ଦିନ ପଛୁଆ ରହିବା ଫଳରେ ମଧ୍ୟବିତ୍ତ, ଶିକ୍ଷିତ, ବୁଦ୍ଧିଜୀବୀ ଏବଂ ନାଗରିକ ସମାଜର ଆଗଧାଡ଼ିର ସଭ୍ୟମାନେ ମୁହଁ ଖୋଲୁ ନାହାନ୍ତି ବୋଲି ‘ସମ୍ବାଦର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି। ସିଟିଜେନ୍ ହ୍ୟୁମାନ୍ ରାଇଟ୍‌ସ କ୍ଲିନିକ୍, ଓଡ଼ିଶା ପକ୍ଷରୁ ଶ୍ରୀରାମଚନ୍ଦ୍ର ଭବନରେ ‘ଷ୍ଟାଣ୍ଡ ଅପ୍ ଫର୍‌ ସମ୍‌ୱାନ୍‌ସ ରାଇଟ୍‌ସ ଟୁଡେ ପ୍ରସଙ୍ଗରେ ଆୟୋଜିତ ଜାତୀୟସ୍ତର ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି ମତ ରଖିଛନ୍ତି ଶ୍ରୀ ପଟ୍ଟନାୟକ।

ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ ଯେ, ଯାହା ରାଷ୍ଟ୍ରର ସୁରକ୍ଷା, ବ୍ୟକ୍ତିର ଅଧିକାର, ସାମଗ୍ରୀକ ଭାବରେ ସାମ୍ପ୍ରଦାୟିକ ସଦ୍‌ଭାବ ପାଇଁ ଉଦ୍ଦିଷ୍ଟ, ସେହି ପ୍ରସଂଗଗୁଡ଼ିକ ଉପରେ କେହି ସ୍ବଚ୍ଛ ଭାବେ ମତ ଦେବା ଅବସ୍ଥାରେ ନାହାନ୍ତି। ଗଣମାଧ୍ୟମ ମଧ୍ୟ ସେଥିରେ ଅନ୍ତର୍ଭୁକ୍ତ। ଏଭଳି ଏକ ଅବସ୍ଥାରେ ଛୋଟ ଛୋଟ ଅନୁଷ୍ଠାନଗୁଡ଼ିକ ନିଜକୁ ଛୋଟ ଭାବନ୍ତୁ ନାହିଁ। ଅଳ୍ପସଂଖ୍ୟକ ଭାବନ୍ତୁ ନାହିଁ। ଯେଉଁଠି ଛୁଞ୍ଚି କାମ ଦେବ, ସେଠି ଖଣ୍ଡା ତରୱାଲ୍‌ କାମ ଦେବ ନାହିଁ। ତେଣୁ ଆପଣମାନେ ଛୁଞ୍ଚି ହେଲେ ମଧ୍ୟ ଛୋଟ ଛୋଟ ଫାଟ ସାମାଜିକ ଜୀବନ ଓ ଆମ ବ୍ୟବସ୍ଥାରେ ଦେଖାଦେଲାଣି, ତାକୁ ରଫୁ କରିବା ପାଇଁ ଛୁଞ୍ଚି ଛଡ଼ା ଅନ୍ୟ ବାଟ ନାହିଁ। ଖବରକାଗଜକୁ ନେଇ ସୂତାକୁ ଭାବେ ବ୍ୟବହାର କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ।

କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ତଥା ଜାତୀୟ ସବୁଜ ପ୍ରାଧିକରଣର ପୂର୍ବତନ ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ଅନନ୍ତ ସୂର୍ଯ୍ୟନାରାୟଣ ନାଇଡୁ ଯୋଗଦେଇ କହିଥିଲେ ଯେ ଆମକୁ ସମ୍ବିଧାନ ବିଭିନ୍ନ ଅଧିକାର ଦେଇଛି। କିନ୍ତୁ ପ୍ରତ୍ୟେକ ଅଧିକାର ସହିତ ଆଙ୍କୁଶ ଥାଏ। କହିବାର ଅଧିକାର ମାନେ ନୁହେଁ ଯାହା ଇଚ୍ଛା ତାହା କହିପାରିବେ। ପ୍ରତ୍ୟେକ ଜିନିଷ କରିବା, କିନ୍ତୁ ନିୟମର ପରିଧି ଭିତରେ। ଆମ କାମ ଦ୍ବାରା ଯେମିତି ଅନ୍ୟକୁ ଅସୁବିଧାରେ ପକାଇବା ନାହିଁ ବୋଲି ଜଷ୍ଟିସ୍ ନାଇଡ଼ୁ କହିଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଗୋପବନ୍ଧୁ ମଲ୍ଲିକ ଅଧ୍ୟକ୍ଷତା କରିଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବରେ ବିଶିଷ୍ଟ ଆୟୁର୍ବେଦିକ ଡାକ୍ତର ଅନନ୍ତ କୁମାର ଆଚାର୍ଯ୍ୟଙ୍କ ସମେତ ଅନୁଷ୍ଠାନର ସମ୍ପାଦକ ପ୍ରଫେସର ଜୟକୃଷ୍ଣ ମହାନ୍ତ, ଅନୁଷ୍ଠାନର ଉପସଭାପତି ଡକ୍ଟର ପରେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଫକିର ମୋହନ ବିଶ୍ୱ ବିଦ୍ୟାଳୟ ଅଧୀନ ବାଲେଶ୍ୱର ଆଇନ ମହାବିଦ୍ୟାଳୟର ପାଞ୍ଚଜଣ କୃତୀ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ନସିପ୍ ପ୍ରଶିକ୍ଷଣର ମାନପତ୍ର ପ୍ରଦାନ କରାଯାଇଥିଲା। ଏହି ଛାତ୍ରଛାତ୍ରୀମାନେ ହେଲେ କୁମାରୀ ଦିବ୍ୟାର୍ଚନା ଦାସ, ସୁଶ୍ରୀ ସ୍ୱପ୍ନା ମିଶ୍ର, କନୱାର୍‌ କିସ୍କୁ, ଦିବ୍ୟଦର୍ଶନ ପାଣିଗ୍ରାହୀ, ଶୁଭେନ୍ଦୁ ଗୁରୁ ତଥା ଆଜୀବନ ସଦସ୍ୟ ଭାବରେ ଆଇନଜୀବୀ ପ୍ରତାପ କେଶରୀ ଦାସ, ଲଳିତ ନାରାୟଣ ରଥ, ବନଶ୍ରୀ ମହାପାତ୍ର, ସଂଗୀତା ପ୍ରଧାନ, ପ୍ରଶାନ୍ତ ଦାସ, ବଟକୃଷ୍ଣ ବାରିକ, ରଂଜିତା ମହାପାତ୍ର।

ଉଲ୍ଲେଖନୀୟ ଅବଦାନ ପାଇଁ ଝାଡ଼ଖଣ୍ଡର କେଦାର ପ୍ରସାଦ ମହାନ୍ତ, କେନ୍ଦୁଝରର ଗଙ୍ଗାଧର ରାଉତ ଏବଂ ସୁଦାମ ଚନ୍ଦ୍ର ପଣ୍ଡାଙ୍କୁ ମାନପତ୍ର ପ୍ରଦନା କରାଯାଇଥିଲା। ସଭା କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଆଜୀବନ ସଦସ୍ୟ ତଥା ମୟୂରଭଞ୍ଜ ଜିଲ୍ଲା ସମ୍ପାଦକ ଡକ୍ଟର ରମାକାନ୍ତ ମହାନ୍ତ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ଯୁବ ବିଭାଗର ସଂଯୋଜକ କାଳୀଚରଣ ସିଂହ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe