ବରିଷ୍ଠ ସାମ୍ବାଦିକ ବୈଷ୍ଣବ ଜେନାଙ୍କ ପରଲୋକ

Advertisment
ବରିଷ୍ଠ ସାମ୍ବାଦିକ ବୈଷ୍ଣବ ଜେନାଙ୍କ ପରଲୋକ

ଭୁବନେଶ୍ବର : ବରିଷ୍ଠ ସାମ୍ବାଦିକ ବୈଷ୍ଣବ ଚରଣ ଜେନାଙ୍କର ଶନିବାର ଦିନ ହୃଦ୍‍ଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କ ୬୮ ବର୍ଷ ବୟସ ହୋଇଥିଲା। ଶ୍ରୀ ଜେନାଙ୍କର ଏଭଳି ଅକାଳ ବିୟୋଗ ସାମ୍ବାଦିକ ତଥା ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। ଚଳିତ ବିଧାନସଭାର ଶୀତ ଅଧିବେଶନରେ ବିଧାନସଭାକୁ ଆସି ରିପୋର୍ଟିଂ କରୁଥିବା ଶ୍ରୀ ଜେନା ଗତକାଲି ରାତିରେ ହଠାତ୍‍ ଅସୁସ୍ଥ ହୋଇ ପଡ଼ିଥିଲେ। ପରିବାର ଲୋକ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନେଇଥିବା ବେଳେ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ବେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇପାରି ନ ଥିଲା।

ସାମ୍ବାଦିକ ଜଗତରେ ଜଣେ ଅମାୟିକ, ପରୋପକାରୀ ବିଶେଷକରି ସବୁ ବର୍ଗର ସାମ୍ବାଦିକଙ୍କ ସହ ମିଶୁଥିବା ଶ୍ରୀ ଜେନାଙ୍କ ପରଲୋକ ଖବର ପାଇବା ପରେ ବହୁ ସଂଖ୍ୟାରେ ସାମ୍ବାଦିକ ଓ ରାଜନୈତିକ ବ୍ୟକ୍ତିବିଶେଷ ତାଙ୍କ ବାସଭବନରେ ପହଞ୍ଚିଥିଲେ। ବରୀର ମନ୍ଦାରପୁର ପଞ୍ଚାୟତ ଅର୍ନ୍ତଗତ ବେଞ୍ଜାରପୁର ଗାଁରେ ସଂଧ୍ୟାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିବା ସୂଚନା ମିଳିଛି। ବଡ଼ ପୁଅ ବଦ୍ରି ନାରାୟଣ ଜେନା ମୁଖାଗ୍ନି ଦେଇଥିଲେ।

ଉଲ୍ଲେଖ ଯେ ଶ୍ରୀ ଜେନା ପ୍ରାୟ ମାସକ ତଳେ ହୃଦ୍‌ରୋଗରେ ଆକ୍ରାନ୍ତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ। ଏହାପରେ କିନ୍ତୁ ସେ ବେଶ ଚଳଚଞ୍ଚଳ ଓ ସକ୍ରିୟ ରହିଥିଲେ। ଗତକାଲି ଦିନ ବେଳା କଟକରେ ଜଣେ ସମ୍ପର୍କୀୟଙ୍କ ନିର୍ବନ୍ଧ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିଥିଲେ। ବ୍ୟାଙ୍କ ଚାକିରି ଛାଡ଼ି ସାମ୍ବାଦିକତାକୁ ପେଶା କରିଥିବା ଶ୍ରୀ ଜେନାଙ୍କର ଗଣମାଧ୍ୟମରେ ଜଗତରେ ବେଶ୍‍ ପରିଚିତି ଥିଲା। ବିଭିନ୍ନ ଖବରକାଗଜ ସହିତ ସେ ଆକାଶବାଣୀ, ଦୂରଦର୍ଶନ ଓ ପିଆଇବି ଆଦି ପାଇଁ ମଧ୍ୟ କାର୍ଯ୍ୟ କରୁଥିଲେ। ତାଙ୍କ ବିୟୋଗରେ ସବୁ ମହଲରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe