ବରିଷ୍ଠ ସାମ୍ବାଦିକ ଭଜଗୋବିନ୍ଦ ଜେନାଙ୍କ ପରଲୋକ

Advertisment
ବରିଷ୍ଠ ସାମ୍ବାଦିକ ଭଜଗୋବିନ୍ଦ ଜେନାଙ୍କ ପରଲୋକ

ଭଦ୍ରକ : ବରିଷ୍ଠ ସାମ୍ବାଦିକ ଭଜଗୋବିନ୍ଦ ଜେନା (୭୮)ଙ୍କର ସୋମବାର ଦିନ ଭଦ୍ରକ ଅପର୍ତ୍ତିବିନ୍ଧାସ୍ଥିତ ବାସଭବନରେ ପରଲୋକ ଘଟିଛି। ଗତ କିଛି ଦିନ ଧରି ସେ ଅସୁସ୍ଥ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ୫ ଦିନ ତଳେ ଘରକୁ ଫେରିଥିବା ବେଳେ ଆଜି ଦିନ ପ୍ରାୟ ୧୧ଟା ବେଳେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ, ପୁଅବୋହୂ, ୨ ଝିଅଜ୍ବାଇଁ ଉପସ୍ଥିତ ଥିଲେ। ଶ୍ରୀ ଜେନା ପୂର୍ବରୁ ‘ସମ୍ବାଦ’ର ଭଦ୍ରକ ଜିଲ୍ଲା ପ୍ରତିନିଧି ଭାବେ ଦୀର୍ଘ ବର୍ଷ କାର୍ଯ୍ୟ କରି ଅବସର ନେଇଥିଲେ। ଜଣେ ଆଗଧାଡିର ସାମ୍ବାଦିକ ଭାବେ ତାଙ୍କର ବେଶ୍ ସୁନାମ ଥିଲା। ଶେଷ ସମୟ ଯାଏ ସେ ‘ନିର୍ଭୟ’ର ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ। ସେ ଭଦ୍ରକ ଜିଲ୍ଲା ପ୍ରେସ କ୍ଲବ୍‌ର ସଭାପତି ଦାୟିତ୍ବ ସମ୍ଭାଳିବା ସହ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ଉପଦେଷ୍ଟା ମଧ୍ୟ ଥିଲେ। ଭଦ୍ରକର ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସହ ଜଡ଼ିତ ଥିଲେ। ତାଙ୍କ ଦେହାନ୍ତ ଖବର ପାଇ ଭଦ୍ରକ ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧି ତାଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି।

ଶ୍ରୀ ଜେନାଙ୍କ ବିୟୋଗରେ ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ ପୌରାଧ୍ୟକ୍ଷା ଗୁଲମୁକ୍କୀ ହବିବ୍‌, ‘ସମ୍ବାଦ’ର ଫିଚର ସମ୍ପାଦକ ଗୌରହରି ଦାସ, ‘ସମ୍ବାଦ’ର ପ୍ରକାଶକ ତଥା ମୁଖ୍ୟ ପରିଚାଳନା ଅଧିକାରୀ କମଳାକାନ୍ତ ମହାପାତ୍ର, ବାର୍ତ୍ତା ବିଭାଗର ମୁଖ୍ୟ ମହାପ୍ରବନ୍ଧକ ଅରବିନ୍ଦ ଦାସ, ମାନବ ସମ୍ବଳ ବିଭାଗର ମହାପ୍ରବନ୍ଧକ ବୈଜୟନ୍ତୀ କର, ଗଣେଶ ପ୍ରସାଦ ନାୟକ ପ୍ରମୁଖ ଶୋକ ପ୍ରକାଶ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe