ବରିଷ୍ଠ ସାମ୍ବାଦିକ ଗଜେନ୍ଦ୍ର ମହାରଣାଙ୍କ ପରଲୋକ

ବରିଷ୍ଠ ସାମ୍ବାଦିକ ଗଜେନ୍ଦ୍ର ମହାରଣାଙ୍କ ପରଲୋକ

ପୁରୀ : ବରିଷ୍ଠ ସାମ୍ବାଦିକ ଗ‌ଜେନ୍ଦ୍ର ମହାରଣାଙ୍କର ରବିବାର ଦିନ ପରଲୋକ ଘଟିଛି। କିଛି ଦିନ ଧରି ସେ ଅସୁସ୍ଥ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବରସ୍ଥିତ ଆମ୍ରି ହସ୍ପିଟାଲରେ ଆଜି ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କୁ ୬୫ ବର୍ଷ ହୋଇଥିଲା।

ଗତ ସପ୍ତାହରେ ସେ ସୁସ୍ଥ ହୋଇ ଘରକୁ ଫେରିବା ପରେ ରବିବାର ଅପରାହ୍ନରେ ପୁଣି ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ଆମ୍ରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ରାତିରେ ଆଇସିୟୁରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁଶଯ୍ୟା ନିକଟରେ ପୁତୁରା ଗୋପାଳ ମହାରଣା, ଏକମାତ୍ର ପୁତ୍ର ଅଭି‌ଳାଷ ମହାରଣା ଓ ପତ୍ନୀ ସୁଶୀଳା ଆଚାର୍ଯ୍ୟ ଉପସ୍ଥିତ ଥିଲେ। ତାଙ୍କ ମରଶରୀରକୁ ପୁରୀକୁ ଅଣାଯିବା ପରେ ଏଠାରେ ବିଭିନ୍ନ ବର୍ଗର ଲୋକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆସନ୍ତାକାଲି ସ୍ବର୍ଗଦ୍ବାରଠାରେ ତାଙ୍କର ଅନ୍ତିମସଂସ୍କାର କରାଯିବ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ‘ସମ୍ବାଦ’ ପ୍ରତିନିଧି ଭାବେ କାମ କରିବା ପରେ ୨୦୦୦ ମସିହାରେ ପୁରୀ ଜିଲ୍ଲା ପ୍ରତିନିଧି ଭାବେ ଦାୟିତ୍ବ ନିର୍ବାହ କରିଥି‌ଲେ। ‘ସମ୍ବାଦ’ ଏଜିଏମ୍‌ ନ୍ୟୁଜ୍‌ ଭାବେ ୨୦୧୬‌ ମସିହାରେ ଅବସର ଗ୍ରହଣ କରିଥିଲେ। ପରେ ସେ ପ୍ରମେୟର ଜିଲ୍ଲା ଦାୟିତ୍ବ ତୁଲାଉଥିଲେ। ଗଞ୍ଜାମ ଜିଲ୍ଲା ଆସିକାର ମୂଳ ବାସିନ୍ଦା ଶ୍ରୀ ମହାରଣା ରାଜ୍ୟର ବିଭିନ୍ନ ଜିଲ୍ଲ‌ାରେ ସାମ୍ବାଦିକତା କରି ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ସେ ଜଣାଶୁଣା ଚିତ୍ରଶିଳ୍ପୀ ମଧ୍ୟ ଥିଲେ। ତାଙ୍କର ବିୟୋଗ ଖବର ପ୍ରଚାର ହେବା ପରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe