ଆଉ ନାହାନ୍ତି ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରା

ଆଉ ନାହାନ୍ତି ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରା

ବଲାଙ୍ଗୀର: ବଲାଙ୍ଗୀରର ଜଣାଶୁଣା ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରା ଆଉ ନାହାନ୍ତି। ବଲାଙ୍ଗୀର ସାମ୍ବାଦିକ ଜଗତର ଭୀଷ୍ମ ପିତାମହ ଭାବରେ ପରିଚିତ ସତ୍ୟନାରାୟଣଙ୍କ ସୋମବାର ଅପରାହ୍ନ ୧ଟା ୪୫ ମିନିଟ ସମୟରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ୮୪ ବର୍ଷ ବୟସରେ ପରଲୋକ ଘଟିଛି। ନିକଟରେ ସେ ଭୁବନେଶ୍ୱରରେ ପ୍ରୋଷ୍ଟେଟ ଅପରେସନ ହେବା ପରେ ସେ ବଲାଙ୍ଗୀର ଫେରିଥିଲେ। ପୁଣି ଦେହ ଅସୁସ୍ଥ ହେବାରୁ ତାଙ୍କୁ ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ୪ପୁଅ ଓ ୩ ଝିଅଙ୍କୁ ଛାଡ଼ି ଚାଲିଯାଇଛନ୍ତି। ସ୍ୱର୍ଗତ ବେହେରା ସ୍ୱାଧୀନତା ପରେ ପରେ ସାମ୍ବାଦିକତା ଆରମ୍ଭ କରିଥିଲେ। ପ୍ରଥମେ ହିନ୍ଦୁସ୍ଥାନ ସମାଚର ଓ ପରେ ସେ ପ୍ରଜାତନ୍ତ୍ରରେ କାମ କରିଥିଲେ। ପ୍ରଜାତନ୍ତ୍ରରେ ୨୫ ବର୍ଷରୁ ଅଧିକ କାମ କରିଥିଲେ। ଏହାପରେ ସେ ପ୍ରତିଦିନ ଖବରକାଗଜର ଜିଲ୍ଲା ପ୍ରତିନିଧି ରହିଥିଲେ। ନିଯୁକ୍ତି ଖବରର ମଧ୍ୟ ସେ ପ୍ରତିନିଧି ଥିଲେ। ଜୀବନର ଶେଷ ପର୍ଯ୍ୟନ୍ତ ସାମ୍ବାଦିକତାରେ ହିଁ ସମୟ ଦେଇଥିଲେ। ଗତ ୨୬ ତାରିଖ ମଧ୍ୟ ସେ ନିଜ ଖବରକାଗଜ ସଂସ୍ଥାକୁ ଖବର ପଠାଇଥିବା ପରିବାରବର୍ଗଙ୍କ ସୂତ୍ରରୁ ଜଣାଯାଇଛି।

ଏମିତି ଜଣେ ବିରଳ ବ୍ୟକ୍ତିତ୍ୱଙ୍କୁ ହରାଇ ସାମ୍ବାଦିକ ଜଗତରେ ଶୋକର ଲହରି ଖେଳିଛି। ସ୍ୱର୍ଗତ ବେହେରା କେବଳ ଜଣେ ସାମ୍ବାଦିକ ନଥିଲେ, ଏକାଧାରରେ ସେ ମଂଚ ଓ ଚଳଚ୍ଚିତ୍ର ଅଭିନେତା ମଧ୍ୟ ଥିଲେ। ବହୁଚର୍ଚ୍ଚିତ ଫିଲ୍ମ ‘ଭୁଖାରେ ସେ ଅଭିନୟ କରିଥିଲେ। ଅନେକ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହେବା ସହ ବିଭିନ୍ନ ସଂଗଠନ ସହ ଜଡ଼ିତ ଥିଲେ। ସେ ଜାତୀୟ ଓ ରାଜ୍ୟ ସ୍ତରୀୟ ବିଭିନ୍ନ ସାମ୍ବାଦିକ ସଂଗଠନ ସହ ସଂପୃକ୍ତ ରହି ବହୁ ପଦପଦବିରେ ଥିଲେ। ଜିଲ୍ଲା ସାମ୍ବାଦିକ ସଂଘର ପ୍ରଥମ ସଭାପତି ଦାୟିତ୍ୱ ତୁଲାଇଥିଲେ। ତାଙ୍କ ଶେଷ ଦର୍ଶନ କରିବା ପାଇଁ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସମେତ ବହୁ ସରକାରୀ ଅଧିକାରୀ, ସାମ୍ବାଦିକ, ବିଶିଷ୍ଟ ବ୍ୟକ୍ତିବିଶେଷ ପହଞ୍ଚିଥିଲେ। ତାଙ୍କ ଶେଷକୃତ୍ୟରେ ମଧ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ଶତାଧିକ ଲୋକ ଯୋଗଦେଇଥିଲେ। ପ୍ରଥମେ ତାଙ୍କ ମର ଶରୀରରକୁ ଜିଲ୍ଲା ସାମ୍ବାଦିକ ସଂଘ କାର୍ଯ୍ୟାଳୟକୁ ନିଆଯାଇଥିଲା। ସେଠାରେ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ପରେ ବିଭୂତିପଡ଼ା ସ୍ୱର୍ଗଦାରକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ବଡ଼ପୁଅ ସୁଧାକର ବେହେରା ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe