ଉତ୍ପାତ କରୁଛନ୍ତି ଏଟିଏମ୍‌ ଲୁଟେରା : ପ୍ରତ୍ୟେକ ଏଟିଏମ୍‌ରେ ଲାଗିବ ସେନ୍‌ସର

Advertisment

ହରିୟାଣାର ସାହିଦ୍‌ ଓ ଜାହିଦ୍‌ ମୋଷ୍ଟ ଓ୍ଵାଣ୍ଟେଡ୍‌

ହରିୟାଣାର ସାହିଦ୍‌ ଓ ଜାହିଦ୍‌ ମୋଷ୍ଟ ଓ୍ଵାଣ୍ଟେଡ୍‌

ଏଟିଏମ୍‌ ନିକଟରେ ପାଟ୍ରୋଲିଂ କଡ଼ାକଡି ପାଇଁ ନିର୍ଦ୍ଦେଶ

photo by : Times of India

କଟକ : ରାଜ୍ୟର ସମସ୍ତ ବ୍ୟାଙ୍କ ଏଟିଏମ୍‌ ମେସିନ୍‌ରେ ଲାଗିବ ଉଚ୍ଚକ୍ଷମତା ସମ୍ପନ୍ନ ସେନ୍‌ସର। ଅପରାଧୀ ମେସିନ୍‌ ଭାଙ୍ଗିବା ମାତ୍ରକେ ନିକଟସ୍ଥ ଥାନା ପୁଲିସକୁ ଇଣ୍ଟର୍‌ନେଟ୍‌ ମାଧ୍ୟମରେ ଗୋଟିଏ ସେକେଣ୍ଡରେ ସୂଚନା ପହଞ୍ଚିଯିବ। ପୁଲିସ ଟିମ୍‌ କାଉଣ୍ଟରରେ ପହଞ୍ଚି ଅପରାଧୀଙ୍କୁ କାବୁ କରିବାରେ ସଫଳ ହୋଇପାରିବ । ରାଜ୍ୟରେ ବଢ଼ୁଥିବା ଏଟିଏମ୍‌ ଲୁଟ୍‌କୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ କ୍ରାଇମ୍‌ବ୍ରାଞ୍ଚ ପ୍ରଥମ ଥର ପାଇଁ ଏଭଳି ନିଷ୍ପତ୍ତି ନେଇଛି । ଏ ସଂକ୍ରାନ୍ତରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଅନ୍ୟପଟେ ରାଜ୍ୟରେ ଯେତେକ ଏଟିଏମ୍‌ ଭାଙ୍ଗି ଟଙ୍କା ଲୁଟ୍‌ ଘଟଣା ଘଟିଛି, ତା’ ପଛରେ ହରିୟାଣାର ନୁହୁ ଜିଲ୍ଲାର ଅପରାଧୀଙ୍କ ସମ୍ପୃକ୍ତି ରହିଥିବା କ୍ରାଇମ୍‌ବ୍ରାଞ୍ଚ ତଥ୍ୟ ପାଇଛି । ଗ୍ୟାଙ୍ଗର ଗଡଫାଦର୍‌ ମହମ୍ମଦ ସାହିଦ୍‌ ଏବଂ ମହମ୍ମଦ ଜାହିଦ୍‌ ଗତ ଜୁନ୍‌ରେ ହାଇକୋର୍ଟରୁ ଜାମିନ୍‌ ପାଇବା ପରେ ଆତଙ୍କ ସୃଷ୍ଟି କରିଛନ୍ତି । ଗତ ଏକ ମାସ ମଧ୍ୟରେ ଓଡ଼ିଶାରୁ ମୋଟ ୩ କୋଟି ୩ ଲକ୍ଷ ୮୫ ହଜାର ଟଙ୍କା ଲୁଟି ସାରିଲେଣି। କ୍ରାଇମ୍‌ବ୍ରାଞ୍ଚ ନୁହୁ ଜିଲ୍ଲା ଏସ୍‌ପିଙ୍କୁ ସମ୍ପୃକ୍ତ ଗ୍ୟାଙ୍ଗ ସମ୍ପର୍କରେ ତଥ୍ୟ ଯୋଗାଇବାକୁ ଚିଠି ଲେଖିଛି । ଉପରୋକ୍ତ ଦୁଇ ଅପରାଧୀଙ୍କ ଫଟୋ କ୍ରାଇମ୍‌ବ୍ରାଞ୍ଚ ପଠାଇଥିବା ବେଳେ ସେମାନଙ୍କ ବିରୋଧରେ ହରିୟାଣାରେ କେତେ ସଂଖ୍ୟାର ମାମଲା ରହିଛି, ସେ ନେଇ ଜାଣିବାକୁ ଚାହିଁଛି। ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କ ସମ୍ପର୍କରେ ମଧ୍ୟ ତଥ୍ୟ ଯୋଗାଇବାକୁ କୁହାଯାଇଛି। ଅନ୍ୟପଟେ ଓଡ଼ିଶାର ଜିଲ୍ଲା ଓ୍ଵାରି ଏସ୍‌ପିଙ୍କ ଉଦ୍ଦେଶ୍ୟରେ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ଆଉ ଏକ ଚିଠି ଲେଖି ଦୁଇ ଅପରାଧୀଙ୍କୁ ଓ୍ଵାଣ୍ଟେଡ୍‌ ବୋଲି ଦର୍ଶାଇଛି । ସେମାନଙ୍କୁ ଦେଖିବା ମାତ୍ରକେ ତୁରନ୍ତ ଗିରଫ କରିବାକୁ କ୍ରାଇମ୍‌ବ୍ରାଞ୍ଚ କଡ଼ା ନିର୍ଦ୍ଦେଶ ଦେଇଛି।

୨୦୧୬ ବର୍ଷରେ ସାହିଦ୍‌ ଏବଂ ଜାହିଦ୍‌ ଗ୍ୟାଙ୍ଗ୍‌ ଭଦ୍ରକ, ବାଲେଶ୍ୱର, ସୋର, ଢେଙ୍କାନାଳ, ବରଗଡ଼ ଏବଂ କଟକ ଜିଲ୍ଲାର ୩ କୋଟି ଟଙ୍କା ଲୁଟି ଥିଲେ। ୨୦୧୬ ଅକ୍ଟୋବର ୧୬ ତାରିଖରେ ଚାଉଳିଆଗଞ୍ଜ ଥାନା ଗଣ୍ଡରପୁର ଏସ୍‌ବିଆଇ ଏଟିଏମ୍‌କୁ ଗ୍ୟାସ୍‌ କଟର୍‌ରେ କାଟି ୧୭ ଲକ୍ଷ ଟଙ୍କା ଲୁଟ୍‌ ଘଟଣାରେ ୨୦୧୭ ମାର୍ଚ୍ଚ ୨୭ ତାରିଖରେ ଓଡ଼ିଶା ପୁଲିସ ହରିୟାଣାର ମେଓ୍ଵଟ୍‌ ଜିଲ୍ଲା ନେଓ୍ଵାଲି ଅଞ୍ଚଳରୁ ଉଭୟଙ୍କୁ ଗିରଫ କରିଥିଲା। ସେବେଠୁ ସେମାନେ ଗିରଫ ହୋଇ ଚୌଦ୍ୱାର ଜେଲ୍‌ରେ ଥିଲେ । ସେହି ସମୟରେ ଓଡ଼ିଶାରେ ଏଟିଏମ୍‌ ଭାଙ୍ଗି ଲୁଟ୍‌ କାରବାର ଏକ ପ୍ରକାର ବନ୍ଦ ହୋଇଯାଇଥିଲା । ଚଳିତ ବର୍ଷ ଜୁନ୍‌ରେ ଉଭୟଙ୍କୁ ହାଇକୋର୍ଟରୁ ଜାମିନ୍‌ ମିଳିବା ଫଳରେ ଏହି ହରିୟାଣା ଗ୍ୟାଙ୍ଗ ଅଧିକ ସକ୍ରିୟ ହୋଇ ଉଠିଛି। ଗତ ଜୁନ ୨୫ ତାରିଖ ରାତିରେ ଗଞ୍ଜାମ ବ୍ରହ୍ମପୁରରେ ୭ଟି ଏଟିଏମ୍‌ରୁ ୧୮ ଲକ୍ଷ ୮୫ ହଜାର ଟଙ୍କା, ସୁନ୍ଦରଗଡ଼ ବୀରମିତ୍ରପୁରରୁ ୮ ଲକ୍ଷ ଟଙ୍କା ଏବଂ ଜୁଲାଇ ୨୧ ତାରିଖରେ ମୟୁରଭଞ୍ଜରେ ଚାରିଟି ଏଟିଏମ୍‌ରୁ ୨୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।

କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ରାଜ୍ୟର ସମସ୍ତ ଜିଲ୍ଲା ଏସ୍‌ପିଙ୍କୁ ଥାନା ଓ୍ଵାରି ଛକ ବଜାରରେ ଖଞ୍ଜାଯାଇଥିବା ସିସି କ୍ୟାମେରାର ଡାଟା ବେସ୍‌ ମାଗିଛନ୍ତି। ଉଭୟ ସରକାରୀ ଏବଂ ଘରୋଇ ସଂସ୍ଥା ପକ୍ଷରୁ କେଉଁ ସ୍ଥାନରେ କେତୋଟି ସିସି କ୍ୟାମେରା ଖଞ୍ଜା ଯାଇଛି, ସେ ସମ୍ପର୍କରେ ରିପୋର୍ଟ ମାଗିଛନ୍ତି। ଅନ୍ୟପଟେ ବ୍ୟାଙ୍କ କର୍ତ୍ତୃପକ୍ଷ ଲୁଟ୍‌ ପରେ ବୀମା ମାଧ୍ୟମରେ ଲୁଟ୍‌ ଟଙ୍କା ଭରଣା କରିବାକୁ ସହଜ ବାଟ ପାଇଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରୁନଥିବା ଅଭିଯୋଗ ହୋଇଥିଲା। ଏଟିଏମ୍‌ ମେସିନ୍‌ରେ ଇଣ୍ଟରନେଟ୍‌ ସଂଯୁକ୍ତ ତାର ବିହୀନ ଉଚ୍ଚ କ୍ଷମତାସମ୍ପନ୍ନ ସେନ୍‌ସର ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନେକ ସମୟରେ ଏଟିଏମ୍‌ର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଉଥିବାରୁ ଉକ୍ତ ସେନ୍‌ସରକୁ ବ୍ୟାଟେରୀ ଦ୍ୱାରା ୨୪ ଘଣ୍ଟିଆ କରେଣ୍ଟ ଯୋଗାଇ ଦିଆଯିବାକୁ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ରାଜ୍ୟର ସମସ୍ତ ଜାତୀୟକରଣ ଓ ଘରୋଇ ବ୍ୟାଙ୍କକୁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe