ସୁନ୍ଦରଗଡ଼ : ବର୍ଷା-ଅନୁଭବ ଛାଡ଼ପତ୍ର ବିବାଦ ପଦାକୁ ଆସିବାର ଦିନକ ପରେ ଆଜି ଛାଡ଼ପତ୍ରକୁ ନେଇ ସୁନ୍ଦରଗଡ଼ର ଏକ ହାଇ ପ୍ରୋଫାଇଲ ପରିବାର ଚର୍ଚ୍ଚାକୁ ଆସିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ତଥା ଗତ ନିର୍ବାଚନରେ ସୁନ୍ଦରଗଡ଼ ଆସନରୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ହୋଇଥିବା ଅମିତା ବିଶ୍ବାଳଙ୍କ ନାମରେ ପରକୀୟା ପ୍ରୀତି ଭଳି ସଂଗିନ ଅଭିଯୋଗ ଆଣିଛନ୍ତି ତାଙ୍କର ସ୍ବାମୀ ବାବୁଲା ଧମେଲ। ଏ ନେଇ ସେ ଭୁବନେଶ୍ବର ପାରିବାରିକ ଅଦାଲତରେ ୨୦୨୦ ଫେବ୍ରୁଆରିରେ ଛାଡ଼ପତ୍ର ମାମଲା ଦାଏର କରିଥିବା ଜଣାପଡ଼ିଛି।
ଶ୍ରୀ ଧମେଲ ଛାଡ଼ପତ୍ର ଆବେଦନରେ ସିଧାସଳଖ ଜିଲ୍ଲାର ଜଣେ ବିଧାୟକଙ୍କ ସହିତ ତାଙ୍କ ପତ୍ନୀ ଅମିତାଙ୍କର ପରକୀୟା ପ୍ରୀତି ଥିବା ଅଭିଯୋଗ କରିଛନ୍ତି। ଏ ସମ୍ପର୍କିତ ଫଟୋ, ସମସ୍ତ କଲ୍ ରେକର୍ଡ ପ୍ରମାଣ ତାଙ୍କ ପାଖରେ ରହିଥିବା ସେ ଦର୍ଶାଇଛନ୍ତି। ଏ ସମ୍ପର୍କରେ ଜାଣିବା ପରେ ସେ ଅମିତାଙ୍କୁ ବହୁବାର ତାଗିଦ୍ କରିବା ସହ ବୁଝାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ଏବଂ ଗତ ୨୦୧୯ ଜାନୁଆରି ୧୩ରୁ ତାଙ୍କୁ ଛାଡ଼ି ଝିଅ ସହ ପତ୍ନୀ ଅଲଗା ରହୁଥିବା ଆବେଦନପତ୍ରରେ ଉଲ୍ଲେଖ କରିଛନ୍ତି। ଅନ୍ୟପଟେ ଶ୍ବଶୁର ହେମାନନ୍ଦଙ୍କୁ ଅମିତାଙ୍କ ପରକୀୟା ପ୍ରୀତି ସମ୍ପର୍କରେ ଜଣାଇଥିଲେ ମଧ୍ୟ ଶ୍ବଶୁର କି ତାଙ୍କ ପରିବାର ପକ୍ଷରୁ ବୁଝାମଣା ପାଇଁ ଚେଷ୍ଟା କରାଯାଇ ନ ଥିବା, ଏପରିକି ଦେଢ଼ବର୍ଷ ଧରି ପତ୍ନୀ ଅଲଗା ରହୁଥିଲେ ମଧ୍ୟ କୌଣସି ପଦକ୍ଷେପ ନ ନେବାରୁ ସେ ବାଧ୍ୟ ହୋଇ ଛାଡ଼ପତ୍ର ଆବେଦନ କରିଥିବା ଅଦାଲତକୁ ଜଣାଇଛନ୍ତି।
ସୂଚନାଯୋଗ୍ୟ, ସୁନ୍ଦରଗଡ଼ ବିଜୟା ଟକିଜ ରୋଡ୍ରେ ରହୁଥିବା ଅମିତାଙ୍କ ସ୍ବାମୀ ବାବୁଲା ଧମେଲ ସୁନାବେଡ଼ା ମିଗ୍ ବିମାାନ କାରଖାନାରେ ଚାକିରି କରନ୍ତି। ଏ ସମ୍ପର୍କରେ ଅମିତା ବିଶ୍ବାଳଙ୍କୁ ଫୋନ୍ ଯୋଗେ ପଚାରିବାରୁ ସେ ସ୍ବାମୀଙ୍କ ଛାଡ଼ପତ୍ର ଆବେଦନ ସମ୍ପର୍କରେ ଅବଗତ ଥିବା ପ୍ରକାଶ କରିଥିଲେ। କିନ୍ତୁ ପରକୀୟା ପ୍ରୀତି ଅଭିଯୋଗ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବାରୁ ‘କୋର୍ଟରେ ମାମଲା ଥିବାରୁ ଏ ସମ୍ପର୍କରେ ସେ କିଛି କହିପାରିବେ ନାହିଁ, ଖୁବ୍ ଶୀଘ୍ର ସତମିଛ ସାମ୍ନାକୁ ଆସିବ’ ବୋଲି କହିଥିଲେ।
Follow Us