ମହାପ୍ରଭୁଙ୍କ ଆଗରେ ସେବାୟତ ପିଟାପିଟି: ଗର୍ଭଗୃହରେ ରକ୍ତଛିଟା, ବଡ଼ ମହାସ୍ନାନ ସମ୍ପନ୍ନ

ପସରତିଆଙ୍କ ନାକ ଫାଟିଲା, ଯାଞ୍ଚ କରୁଛି ଶ୍ରୀମନ୍ଦିର ପ୍ରଶାସନ

ଶ୍ରୀମନ୍ଦିରରେ ଆଜି ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

the financial express

ପୁରୀ: ଶ୍ରୀମନ୍ଦିର ଗର୍ଭଗୃହରେ ପଡ଼ିଛି ରକ୍ତଛିଟା। ମହାପ୍ରଭୁଙ୍କ ଦ୍ବିପ୍ରହର ଧୂପ ପରେ ଜଣେ ତୁଳା ବଡ଼ୁ ସେବାୟତଙ୍କ ମୁଥ ମାଡ଼ରେ ପସରତିଆ ଅଣସେବାୟତଙ୍କ ନାକ ଫାଟି ଗଳଗଳ କରି ରକ୍ତ ଗର୍ଭଗୃହରେ ପଡ଼ିବା ପରେ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କର ଆଜି ବଡ଼ ମହାସ୍ନାନ କରାଯାଇଛି। ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀମନ୍ଦିର ଭିତରେ ସେବାୟତମାନେ ଉଭୟଙ୍କ ମଧ୍ୟରେ ଆପୋସ ବୁଝାମଣା କରିଥିବା ଜଣାପଡ଼ିଛି। ମହାପ୍ରଭୁଙ୍କ ମହାସ୍ନାନ ନୀତି ବଢ଼ିବା କାରଣରୁ ଅନ୍ୟାନ୍ୟ ନୀତି ବିଳମ୍ବ ହୋଇଛି। ଏ ସମ୍ପର୍କରେ ସିଂହଦ୍ବାର ଥାନାରେ କୌଣସି ଅଭିଯୋଗ ହୋଇନଥିବା ପୁଲିସ କହିଛି। ଅନ୍ୟପଟେ ଗର୍ଭଗୃହକୁ ଅଣସେବାୟତଙ୍କ ପ୍ରବେଶକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଜଣେ ସେବାୟତଙ୍କ ଦ୍ବାରା ନିଯୁକ୍ତି ପାଇଥିବା ଏହି ପସରତିଆ କର୍ମଚାରୀଙ୍କୁ ଗର୍ଭଗୃହକୁ ପ୍ରବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ କିପରି ଅନୁମତି ଦେଉଛି ବୋଲି ପ୍ରଶ୍ନ ଉଠିଛି। ସୂଚନାଯୋଗ୍ୟ ଯେ ଶ୍ରୀମନ୍ଦିର ଗର୍ଭଗୃହକୁ କେବଳ ପାଳି କରୁଥିବା ସେବାୟତଙ୍କ ବ୍ୟତୀତ ଗଜପତି ମହାରାଜା ଓ ରାଷ୍ଟ୍ରପତିଙ୍କ ବ୍ୟତୀତ ଅନ୍ୟ କାହାରିକୁ ପ୍ରବେଶ ଅନୁମତି ନାହିଁ।

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଭୋଗ ମଣ୍ଡପ ପୂଜା ୨ଟା ୫ ମିନିଟରେ ଆରମ୍ଭ କରାଯାଇ ୨ଟା ୧୫ ମିନିଟ୍‌ ସମୟରେ ଶେଷ ହୋଇଥିଲା। ମଧ୍ୟାହ୍ନ ଧୂପ ପୂଜା ପ୍ରାୟ ୨ଟା ୫୫ ମିନିଟ୍‌ ସମୟରେ ବଢ଼ିଥିଲା। ୩ଟା ୨୦ ମିନିଟ୍‌ ସମୟରେ ଟେରାପଡ଼ି ସାଢ଼େ ୩ଟା ବେଳକୁ ମଧ୍ୟାହ୍ନ ଧୂପ ଶେଷ ହୋଇଥିଲା। ଏହାପରେ ତୁଳା ବଡ଼ୁ ସେବାୟତ ମାଧବ ପତ୍ରୀ ଖେଇ ବାବଦରେ ତାଙ୍କ ପ୍ରାପ୍ୟ ନେବା ସହ ପୁଣି ଦୁଇଟି ଲଡ଼ୁ ନେଇଥିଲେ। ଏହା ଦେଖି ପସରତିଆ କର୍ମଚାରୀ ମାଟିମଣ୍ଡପସାହିର ବାବୁଲି ପ୍ରଧାନ ତାଙ୍କୁ ବାରଣ କରିଥିଲେ। ସବୁବେଳେ ଏହିଭଳି ଖେଇ ବାଦ କାହିଁକି ଅଧିକ ଭୋଗ ନେଉଛ ବୋଲି ବାବୁଲି କହିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ତାଙ୍କ ନାକକୁ ମାଧବ ଏକ ମୁଥା ମାରିଥିଲେ। ଫଳରେ ବ‌ାବୁଲିଙ୍କ ନାକରୁ ଗଳଗଳ କରି ରକ୍ତ ବାହାରି ଗର୍ଭଗୃହରେ ଛିଟା ପଡ଼ିଥିଲା। ଏହା ଦେଖିବା ପରେ ସେଠାରେ ଥିବା ଅନ୍ୟ ସେବାୟତମାନେ ଗାରଦରେ ଏନେଇ ସୂଚନା ଦେଇଥିଲେ। ଏହାପରେ ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ କରାଯିବା ପାଇଁ ଘୋଷଣା କରାଯାଇଥିଲା। ତେବେ ଏହି ସମୟରେ ଶ୍ରୀମନ୍ଦିରରେ ଥିବା ଅନ୍ୟ ସେବାୟତମାନେ ଉଭୟଙ୍କୁ ଡାକି ଆପୋସ ବୁଝାମଣା କରାଇଥିଲେ। ତେବେ ଏନେଇ ସିଂହଦ୍ବାର ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଶୀଲ ମିଶ୍ର କହିଛନ୍ତି। ତେବେ ଶ୍ରୀମନ୍ଦିର ପ୍ରଶାସନ ଏହି ଘଟଣାକୁ ଯାଞ୍ଚ କରୁଥିବା ସେ କହିଛନ୍ତି।

ସେପଟେ ଗର୍ଭଗୃହରେ ରକ୍ତ ଛିଟା ପଡ଼ିବାରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି ବଢ଼ିଥିଲା। ଗର୍ଭଗୃହରୁ ସମସ୍ତ ଭୋଗ ତୋଳା ହେବା ପରେ ପ୍ରାୟ ୫ଟା ବେଳକୁ ଗର୍ଭଗୃହକୁ ଧୁଆ ହୋଇ ଚୁନ ପାଣି ପଡ଼ିଥିଲା। ପ୍ରାୟ ୫ଟା ୧୦ ମିନିଟ୍‌ ସମୟରେ ଶ୍ରୀଜିଉମାନଙ୍କର ବେଶ ମଇଲମ କରାଯିବା ପରେ ସାଢ଼େ ୫ଟା ବେଳକୁ ରତ୍ନ ସିଂହାସନକୁ ମେକାପ ଧୋଇଥିଲେ। ସନ୍ଧ୍ୟା ପ୍ରାୟ ୫ଟା ୫୫ ମିନିଟ୍‌ ସମୟରେ ମହାସ୍ନାନ ପୂଜା ଠା’ ବସିବା ପରେ ୬ଟା ବେଳକୁ ମହାସ୍ନାନ ପୂଜା ଆରମ୍ଭ କରାଯାଇଥିଲା। ଏହାପରେ ମହାପ୍ରଭୁଙ୍କ ଗର୍ଭଗୃହରେ ଦ୍ବିତୀୟ ଭୋଗ ମଣ୍ଡପ ଉଠିବା ପରେ ୬ଟା ୧୫ ମିନିଟ୍‌ରେ ଶ୍ରୀଜିଉମାନଙ୍କର ମଇଲମ କରାଯାଇଥିଲା। ଏହାପରେ ଶ୍ରୀମନ୍ଦିରରେ ନୀତି ଆଗକୁ ବଢ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe