ସ୍ନାନ ମଣ୍ଡପକୁ ବିଧାୟକ ଚଢ଼ିବା ଘଟଣା: ସେବାୟତ ନିଲମ୍ବିତ, ବିଧାୟକଙ୍କୁ ନୋଟିସ୍

Advertisment
ସ୍ନାନ ମଣ୍ଡପକୁ ବିଧାୟକ ଚଢ଼ିବା ଘଟଣା: ସେବାୟତ ନିଲମ୍ବିତ, ବିଧାୟକଙ୍କୁ ନୋଟିସ୍

ପୁରୀ : ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ବିଶୃଙ୍ଖଳା ପାଇଁ ଶ୍ରୀମନ୍ଦିର ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବା ବେଳେ ବିଶୃଙ୍ଖଳାକାରୀ ସେବାୟତ ଓ ଅନ୍ୟମାନଙ୍କ ବିରୋଧରେ ଗତକାଲି ନୋଟିସ ଜାରି କରାଯାଇଥିଲା । ଆଜି ଏହି ମାମଲାରେ ଖୁଣ୍ଟିଆ ସେବକ ସୋମନାଥ ଖୁଣ୍ଟିଆଙ୍କୁ ସେବାରୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କୁ ସ୍ନାନମଣ୍ଡପକୁ ନେଇଥିବା ଜଣାପଡ଼ିବା ପରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ସେହିପରି ବିଧାୟକଙ୍କୁ ମଧ୍ୟ ଏଥିଲାଗି ନୋଟିସ ଜାରି କରାଯାଇଛି।

ଏଥିରେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ନୋଟିସ୍ର ଜବାବ ଦେବାକୁ ଉଲ୍ଲେଖ ରହିଛି। ସବୁଠୁ ବଡ଼ କଥା ହେଲା, ବିଧାୟକଙ୍କୁ ସ୍ନାନମଣ୍ଡପକୁ ନେଇଥିବା ବହୁ ସେବାୟତଙ୍କୁ ବି ନୋଟିସ ଜାରି କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ଏମାନଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନେଉଛି ତାକୁ ଦେଖିବାକୁ ବାକି ରହିଛି।

publive-image

ପରିଚାଳନା କମିଟିରେ ଅନୁମୋଦନ ପରେ ଶ୍ରୀମନ୍ଦିର ପ୍ରଶାସନ ସ୍ନାନଯାତ୍ରା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥାବଳୀ ପ୍ରସ୍ତୁତ କରିଥିଲା। ଯେଉଁଥିରେ ୩୫ଟି ନିର୍ଦ୍ଦିଷ୍ଟ ସର୍ତାବଳୀ ରହିଥିଲା। ଏଥିରେ ସ୍ପଷ୍ଟ ଉଲ୍ଲେଖ ରହିଥିଲା କି ସ୍ନାନଯାତ୍ରା ସମୟରେ ନୀତି ସହ ସଂପୃକ୍ତ ସେବକମାନେ ହିଁ ମଣ୍ଡପକୁ ଯାଇପାରିବେ। କିନ୍ତୁ ଏହାକୁ ଉଲ୍ଲଙ୍ଘନ କରି ଅନେକ ଅଣସ୍ବୀକୃତ ସେବାୟତ ମଣ୍ଡପ ଉପରକୁ ଚଢ଼ିବା ସହ ଠାକୁରଙ୍କୁ ସ୍ପର୍ଶ କରିଥିଲେ। ଏପରିକି ନିଜେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ସେବା ନଥାଇ ସ୍ନାନମଣ୍ଡପ ଉପରକୁ ଏକାଧିକ ଥର ଚଢ଼ିଥିଲେ। ତାହା ପୁଣି ପାଇଜାମା ପିନ୍ଧି। ଯାହାକୁ ନେଇ ଏବେ ବି ଚର୍ଚ୍ଚା ଥମିନି। ଅନ୍ୟପଟେ ବିଧାୟକଙ୍କୁ ସ୍ନାନ ମଣ୍ଡପକୁ ନେବା ପଛରେ ବହୁ ସେବାୟତଙ୍କ ହାତ ରହିଥିବାରୁ ସିସିଟିଭି ଆଧାରରେ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନୋଟିସ୍ ଜାରି କରିଥିଲା ଶ୍ରୀମନ୍ଦିର ପ୍ରଶାସନ।

ଏହା ଛଡ଼ା କେତେକ ସେବାୟତ ସ୍ନାନମଣ୍ଡପ ଉପରୁ ସ୍ନାନଜଳ, ତୁଳସୀ ଆଦି ବାଣ୍ଟିବା ସହ ମଣ୍ଡପ ପାର୍ଶ୍ବ କାନ୍ଥରେ ବସି ଭକ୍ତି ଭାବନାକୁ ଆଘାତ ଦେଇଥିଲେ। ଏହାକୁ ବି ଗୁରୁତ୍ବର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଗତକାଲି ଏହି ବିଶୃଙ୍ଖଳାକାରୀ ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଚିଠି କରି ତ୍ବରିତ୍ ଜବାବ ରଖିବାକୁ ନିର୍ଦେଶ ଦେଇଛି। ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀମାନେ କାରଣ ଦର୍ଶାଅ ନୋଟିସ୍ କଥାକୁ ସ୍ବୀକାର କରିଥିଲେ ବି ନୋଟିସ୍ ହୋଇଥିବା ସେବାୟତଙ୍କ ନାମ ଗୋପନ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe