Kalinga TV
ଭୁବନେଶ୍ୱର: ଆସନ୍ତା ଜାନୁଆରି ୧୫ ସୁଦ୍ଧା ବକେୟା ବିଦ୍ୟୁତ୍ ବିଲ୍ ପୈଠ ନ କଲେ ଲାଇନ ସଂଯୋଗ କାଟି ଦିଆଯିବ। ସେସୁ ସିଇଓ ଅରୁଣ ବୋଥ୍ରା ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସେସୁର ବର୍ତ୍ତମାନ ବିଭିନ୍ନ ଶ୍ରେଣୀର ଗ୍ରାହକଙ୍କ ଉପରେ ୧ ହଜାର ୯ ଶହ ୭୧ କୋଟି ଟଙ୍କା ବକେୟା ପଡ଼ିଛି । ଆସନ୍ତା ଜାନୁଆରି ୧୫ ସୁଦ୍ଧା ବକେୟା ବିଲ୍ ପୈଠ କରିବାକୁ ଗ୍ରାହକମାନଙ୍କୁ ମହଲତ ଦିଆଯାଇଛି। ଗ୍ରାହକମାନଙ୍କୁ ଦିଆଯାଇଥିବା ନିର୍ଦ୍ଧାରିତ ସମୟ ମଧ୍ୟରେ ବିଦ୍ୟୁତ ବିଲ ପୈଠ ନ ହେଲେ ଜାନୁଆରି ୧୬ ତାରିଖରୁ ଲାଇନ୍ କାଟି ଦିଆଯିବ।
ସେସୁ ସିଇଓ କହିଛନ୍ତି, ସାଧାରଣ ଖାଉଟିଙ୍କ ଉପରେ ୨ ହଜାର କୋଟି ଟଙ୍କାର ବିଲ୍ ବାକି ଅଛି। ଏହି ବକେୟା ରାଶିର ୯୨ ପ୍ରତିଶତ ଘରୋଇ ଉପଭୋକ୍ତାଙ୍କ ଉପରେ ରହିଛି । ପ୍ରାୟ ୧ ହଜାର ୨୩ କୋଟି ଟଙ୍କା ଘରୋଇ ଉପଭୋକ୍ତାଙ୍କ ଠାରୁ ସେସୁ ଆଦାୟ କରିବା ଲକ୍ଷ୍ୟ ରଖିଛି । ସେହିଭଳି ମୋଟ ବକେୟା ରାଶିରୁ ୨୦୯ କୋଟି ଟଙ୍କାକୁ ନେଇ ବିବାଦ ରହିଛି । ଏଥିରୁ ୧୦୮ କୋଟି ଟଙ୍କାର ବିଲ ଶିଳ୍ପସଂସ୍ଥା ଉପରେ ରହିଛି ବୋଲି କହିଛନ୍ତି ଅରୁଣ ବୋଥ୍ରା।
ଲୋକଙ୍କୁ ଗୁଣାତ୍ମକ ବିଦ୍ୟୁତ୍ ସେବା ଯୋଗାଇ ଦେବାକୁ ହେଲେ ଆବଶ୍ୟକ ଅର୍ଥ ଦରକାର ଅଛି ବୋଲି ସିଇଓ ଅରୁଣ ବୋଥ୍ରା ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବକେୟା ବିଦ୍ୟୁତ ବିଲ ନେଇ ଖାଉଟିଙ୍କ ପାଖକୁ ମେସେଜ୍ ଯିବ। ଉପଭୋକ୍ତା ବକେୟା ବିଲ୍କୁ ୬ଟି କିସ୍ତିରେ ଦେଇପାରିବେ।
Follow Us