ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ୪ଥର ହେବ ସେବକଙ୍କ କୋଭିଡ୍‌ ପରୀକ୍ଷା, ନେଗେଟିଭ୍‌ ଥିଲେ ନୀତିକାନ୍ତିରେ ସାମିଲ୍‌ ହେବେ

Advertisment
ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ: ଦୁଇଘଣ୍ଟା ଦର୍ଶନ ବନ୍ଦ

atlasobscura.com

ପୁରୀ : ରଥଯାତ୍ରା ଓ ଦେବସ୍ନାନ ପୂର୍ଣ୍ଣିମାରେ କୋଭିଡ୍‌ ନିୟମର ଅନୁପାଳନ ପାଇଁ ଶ୍ରୀମନ୍ଦିର ପ୍ରଶାସନର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି ଭର୍ଚୁଆଲ୍‌ ମୋଡ୍‌ରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ରଥଯାତ୍ରା ଓ ଦେବସ୍ନାନ ପୂର୍ଣ୍ଣିମାରେ ସାମିଲ୍‌ ହେବାକୁ ଥିବା ସମସ୍ତ ସେବାୟତଙ୍କ ୪ଟି ପର୍ଯ୍ୟାୟରେ କୋଭିଡ୍‌ ଟେଷ୍ଟ କରିବାକୁ ନିଷ୍ପତ୍ତି ହୋଇଛି। କୋଭିଡ୍‌ ଟିକାକରଣ ସହ ଅନ୍ୟାନ୍ୟ ଦିଗ ଉପରେ ଦୃଷ୍ଟି ଦିଆଯାଇଛି।

ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, ରଥଯାତ୍ରା ନୀତିକାନ୍ତିରେ ସାମିଲ୍‌ ହେବାକୁ ଥିବା ସମସ୍ତ ସେବକଙ୍କ ୪୮ ଘଣ୍ଟା ପୂର୍ବରୁ ଆର୍‌ଟିପିସିଆର କୋଭିଡ୍‌ ଟେଷ୍ଟ କରାଯିବ। ଏହାସହ ରଥଯାତ୍ରା, ଦେବସ୍ନାନ ପୂର୍ଣ୍ଣିମା ପରିଚାଳନାରେ ସାମିଲ୍‌ ହେବାକୁ ଥିବା ସମସ୍ତ ପୁଲିସ, ପ୍ରଶାସନିକ ଅଧିକାରୀଙ୍କର ବି କୋଭିଡ୍‌ ଟେଷ୍ଟ କରାଯିବ। ଏହି କୋଭିଡ୍‌ ପରୀକ୍ଷା ସ୍ନାନଯାତ୍ରା, ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡ଼ାଯାତ୍ରାର ୪୮ ଘଣ୍ଟା ପୂର୍ବରୁ ଏବଂ ନୀଳାଦ୍ରି ବିଜେର ୧୫ ଦିନ ପରେ, ଏପରି ଚାରୋଟି ପର୍ଯ୍ୟାୟରେ କରାଯିବ। ନୀତିକାନ୍ତି ପୂର୍ବରୁ ସଂପୃକ୍ତ ସେବକ, ପୁଲିସ ଓ ଅଧିକାରୀଙ୍କ ସଂପୂର୍ଣ୍ଣ କୋଭିଡ୍‌ ଟିକାକରଣ (ଦୁଇଟିଯାକ ଡୋଜ୍‌) ଉପରେ ବି ଗୁରୁତ୍ବ ଦିଆଯାଇଛି। ଏହାଉପରେ ତୀକ୍ଷ୍ନ ନଜର ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ନୋଡାଲ୍‌ ଅଫିସର ନିଯୁକ୍ତ ହେବେ। ରଥଯାତ୍ରା ସମୟରେ ସ୍ବତନ୍ତ୍ର ମେଡିକାଲ୍‌ ପୋଷ୍ଟ ସହ ଅତିରିକ୍ତ ମେଡିକାଲ୍‌ କର୍ମଚାରୀ ନିଯୁକ୍ତି ପାଇଁ ଅଣୁଯୋଜନା ପ୍ରସ୍ତୁତ ହେବ। ରଥଟଣାରେ ସାମିଲ୍‌ ହେଉଥିବା ସେବକଙ୍କ ଚିକିତ୍ସା ସେବାକୁ ପ୍ରାଥମିକତା ଦିଆଯିବ। ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପୂର୍ବରୁ ପର୍ଯ୍ୟାପ୍ତ ପରିମାଣର ମାସ୍କ ସେବକଙ୍କୁ ବଣ୍ଟାଯିବ। ସେବକ ଓ ସେମାନଙ୍କ ପରିବାରକୁ ସାନିଟାଇଜର୍‌ ବଣ୍ଟନ ହେବ। ବିଭିନ୍ନ ନିଯୋଗ ସହ ବୈଠକ ଡାକି କୋଭିଡ୍‌ ନିୟମ ଉପରେ ସଚେତନ କରାଯିବ। ରଥଯାତ୍ରା ଓ ଦେବସ୍ନାନ ପୂର୍ଣ୍ଣିମା ସମୟରେ କେଉଁ ନିୟମ ସବୁ ପାଳନ କରିବାକୁ ହେବ ସେ ଉପରେ ଏକ ହାତ ଲେଖା ସମସ୍ତ ସେବକ ଓ ଅଧିକାରୀଙ୍କୁ ବଣ୍ଟନ କରାଯିବ। ଆଜିର ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe