Image Courtesy of Times of India
ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଧୀନ ଚିକିଲି ପଞ୍ଚାୟତ କଲେଞ୍ଜିପଲ୍ଲୀ ଗ୍ରାମର ସହଦେବ ପ୍ରଧାନ (୫୭) ନାମକ ଜଣେ ବ୍ୟକ୍ତିଙ୍କୁ ଆଜି ସକାଳେ ଗୁଣିଆ ସନ୍ଦେହରେ ଗ୍ରାମର କିଛି ଲୋକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ଦେଇଥିଲେ। ତେବେ ଠିକ୍ ସମୟରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସହଦେବଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଛି। ଏହାସହ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାରୁ ଏକ ବଡ଼ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇପାରିଛି।
ସୂଚନାନୁସାରେ, ମାସେ ତଳେ ଉକ୍ତ ଗ୍ରାମର ବିଦେଶୀ ପ୍ରଧାନଙ୍କ ପୁଅ ଶୁକମୁନି ପ୍ରଧାନ(୭) ଜ୍ୱରରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲା। ତେବେ ସହଦେବ ଗୁଣିଗାରେଡ଼ି କରିଥିବାରୁ ଶୁକମୁନିର ମୃତ୍ୟୁ ହୋଇଥିବା ନେଇ ଗ୍ରାମର କିଛି ଲୋକ ସନ୍ଦେହ କରିଥିଲେ। ଏଥିପାଇଁ ସେମାନେ ବିଦେଶୀଙ୍କୁ ମଧ୍ୟ ଉସ୍କାଉଥିଲେ। କେବଳ ଏତିକି ନୁହେଁ, ଗ୍ରାମରେ ଥିବା ବୀର ରାଘବ ଦାଶଜୀଙ୍କ ମଠକୁ ସହଦେବ ସବୁବେଳେ ଯିବାଆସିବା କରୁଥିବାରୁ ଗ୍ରାମବାସୀ ତାଙ୍କୁ ଗୁଣିଆ ବୋଲି ସନ୍ଦେହ କରି ଆସୁଥିଲେ।
ଆଉ ଆଜି ସହଦେବ ନିତ୍ୟକର୍ମ ପାଇଁ ଘରୁ ବାହାରୁଥିବା ବେଳେ ତାଙ୍କୁ ଗ୍ରାମର ମଦନ ପ୍ରଧାନ, ନନ୍ଦି ପ୍ରଧାନ, ଅମିନ ପ୍ରଧାନ, ମୋହନ ପ୍ରଧାନ, ବିଦେଶୀ ପ୍ରଧାନ, ନାରାୟଣ ପ୍ରଧାନ ଓ ଟୁକୁନା ପ୍ରଧାନ ଜୋର ଜବରଦସ୍ତ ଟେକି ଆଣି ଗାଁ ମଝିରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ଦେଇଥିଲେ। ପରିବାର ଲୋକଙ୍କ ଠାରୁ ଖବର ପାଇ ଖଲ୍ଲିକୋଟ ପୁଲିସ ଠିକ୍ ସମୟରେ ଘଟଣାସ୍ଥଳରେ ପହଞ୍ଚି ସହଦେବଙ୍କୁ ଉଦ୍ଧାର କରିବା ସହ ଉପରୋକ୍ତ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏପରି ଏକ ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି। ସ୍ଥିତି ଉପରେ ପୁଲିସ କଡ଼ା ନଜର ରଖିଛି।
ସୂଚନା ଥାଉକି, କିଛି ବର୍ଷ ତେଳେ ସ୍ଥାନୀୟ ଗୋପପୁର ଦଳିତସାହିରେ ଗୁଣିଗାରେଡ଼ି ଘଟଣାକୁ ନେଇ ଅନେକ ଧନଜୀବନ ନଷ୍ଟ ହୋଇଥିବା ବେଳେ ଗ୍ରାମର ୧୨ ଜଣ ଲୋକଙ୍କୁ ପୁଲିସ ଗିରଫ କରିଥିଲା। ତେବେ ଦେଶ ୭୬ ତମ ସ୍ବାଧୀନତା ଦିବସ ପାଳିବାକୁ ଯାଉଥିବା ବେଳେ ସମାଜରୁ ଏବେ ବି ଗୁଣିଗାରେଡ଼ି ଭଳି କୁସଂସ୍କାର ଦୂର ହୋଇପାରୁନି।
Follow Us