ଯାଜପୁର/ରସୁଲପୁର : ଲଗାଣ ବର୍ଷା ପରେ ଯାଜପୁର ଜିଲ୍ଲାରେ ବନ୍ୟା ସଙ୍ଗିନ ପରିସ୍ଥିତି ସୃଷ୍ଟି କରିଛି। ବୈତରଣୀ, ଖରସ୍ରୋତାରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ବ୍ରାହ୍ମଣୀ ନଦୀ ଭୟଙ୍କର ରୂପ ଧାରଣ କରିଛି। ବ୍ରାହ୍ମଣୀରେ ୭ଟି ଘାଇ ହେବା ଫଳରେ ବରୀ ଓ ରସୁଲପୁର ବ୍ଲକ୍ର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ହଜାରହଜାର ଲୋକ ବନ୍ୟାପାଣି ଘେରରେ ରହିଛନ୍ତି।
ବରୀ ବ୍ଲକର ମାଟିଆପଡ଼ା ଓ ତିନିମୁହାଣି ମଧ୍ୟରେ ବ୍ରାହ୍ମଣୀ ନଦୀର ୧୫୦ମିଟର ବନ୍ଧ ବୁଡ଼ିଯାଇଛି। ଏଥିରେ ୪ଟି ଘାଇ ହୋଇଛି। ଫଳରେ ସାହୁପଡ଼ା, ବାଲିଆ, ଧାରପୁର, ଈଶାଣପୁର. ସ୍ବାଇଁଖଣ୍ଡ ଓ ଗୋଳକୁଣ୍ଡ ପଞ୍ଚାୟତ ପାଣିଘେରରେ ରହିଛି। ଗୋଳକୁଣ୍ଡ ଇନ୍ଦୁପୁର ମୁଖ୍ୟରାସ୍ତାର ହଳଦୀବସନ୍ତଠାରୁ ବାଲିଆ ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଉପରେ ୨ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି।
ରସୁଲପୁର ବ୍ଲକ ବ୍ରାହ୍ମଣୀ ନଦୀର ବନ୍ଧଡିହରେ ହୋଇଥିବା ଘାଇ ବ୍ୟାପକ କ୍ଷୟକ୍ଷତି ସୃଷ୍ଟି କରିଛି। ଅତଲାପୁର ପଞ୍ଚାୟତ ଗଣେଶ ପାଟଣାଠାରେ ଘାଇ ହେବାରୁ ୫ଶହ ଲୋକ ପାଣି ଘେରରେ ରହିଛନ୍ତି। ସେହିପରି ଦଶରଥପୁର ବ୍ଲକ୍ରେ ବୈତରଣୀ ନଦୀ ଶାଖା କାଣୀ ନଦୀର ବନ୍ୟାଜଳ କଣ୍ଟାପଡ଼ାଠାରେ ଖୋଲାଥିବା ଘାଇ ମୁହଁରେ ବ୍ୟାପକ ବନ୍ୟା ଜଳ ପ୍ରବାହିତ ହୋଇ ହଜାରହଜାର ଏକର ଚାଷ ଜମି ବୁଡ଼ାଇ ଦେଇଛି। କାଣୀ ନଦୀବନ୍ଧ-ମଲ୍ଲିକାପୁର ରାସ୍ତାରେ ୩ଫୁଟ ବନ୍ୟାଜଳ ପ୍ରବାହିତ ହେଉଛି।
ବ୍ରାହ୍ମଣୀ ନଦୀରେ ବରୀ ବ୍ଲକର ସାହୁପଡ଼ା, ମାଟିଆପଡ଼ା, ରସୁଲପୁର ବ୍ଲକର ବନ୍ଧଡିହ ଘେରିବନ୍ଧରେ ଘାଇ ସୃଷ୍ଟି ହୋଇଛି। ହଜାରହଜାର ଲୋକ ପାଣି ଘେରରେ ଅଛନ୍ତି। ଅନେକ ଧାନ ଜମି ଓ ପନିପରିବା ଚାଷରେ ବନ୍ୟା ଜଳ ପଶି ଯିବାରୁ ଚାଷ କ୍ଷତିଗ୍ରସ୍ତ ହୋଇଛି ବୋଲି ସରକାରୀସ୍ତରରେ ଆକଳନ କରାଯାଇଛି।
Follow Us