ପେଟ୍ରୋଲ ପମ୍ପ ସୁରକ୍ଷାକୁ ଅଣଦେଖା: ଦେଢ଼ ବର୍ଷ ହେଲା ହୋଇନି ଅଗ୍ନି ନିରାପତ୍ତା ଯାଞ୍ଚ, ଖାଲି ପଡିଛି ୭ ଫାୟାରମ୍ୟାନ୍, ୨ ଅଧିକାରୀ ପଦବି

Advertisment

ଅଧିକାଂଶ ପେଟ୍ରୋଲ୍ ପମ୍ପରେ ନାହିଁ ଅଗ୍ନି ନିର୍ବାପକ ଯନ୍ତ୍ର, ଶହେ ମିଟର ଭିତରେ ରହିବ କଥା ନୁହଁ ଜନବସିତ, ସ୍କୁଲ୍

ଅଧିକାଂଶ ପେଟ୍ରୋଲ୍ ପମ୍ପରେ ନାହିଁ ଅଗ୍ନି ନିର୍ବାପକ ଯନ୍ତ୍ର, ଶହେ ମିଟର ଭିତରେ ରହିବ କଥା ନୁହଁ ଜନବସିତ, ସ୍କୁଲ୍

ପେଟ୍ରୋଲ ପମ୍ପ ସୁରକ୍ଷାକୁ ଅଣଦେଖା: ଦେଢ଼ ବର୍ଷ ହେଲା ହୋଇନି ଅଗ୍ନି ନିରାପତ୍ତା ଯାଞ୍ଚ, ଖାଲି ପଡିଛି ୭ ଫାୟାରମ୍ୟାନ୍, ୨ ଅଧିକାରୀ ପଦବି

ରାୟଗଡ଼ା: ଦେଢ଼ ବର୍ଷ ହେଲା ହୋଇନି ଅଗ୍ନି ନିରାପତ୍ତା ସୁରକ୍ଷା ଯାଞ୍ଚ। ଜନଗହଳିପୂର୍ଣ୍ଣ ରାସ୍ତା,  ଜନବସତି ପାର୍ଶ୍ବରେ ଚାଲିଛି ପେଟ୍ରୋଲ୍ ପମ୍ପ। କେଉଁଠି ଆବଶ୍ୟକୀୟ ଅଗ୍ନି ନିର୍ବାପକ ଯନ୍ତ୍ର ନାହିଁ ତ, କେଉଁଠି ନିୟମାବଳୀର ଖୁଲମଖୁଲା ଉଲ୍ଲଂଘନ ହୋଇଛି। ଏହା ସତ୍ତ୍ବେ ଜିଲ୍ଲା ପ୍ରଶାସନ-ଅଗ୍ନିଶମ ବିଭାଗ ବିଭାଗ ପକ୍ଷରୁ ଗୋଟିଏ ବି ପେଟ୍ରୋଲ୍ ପମ୍ପକୁ ନୋଟିସ୍ ଜାରି କରାଯାଇନି। ଯାହା ସହରବାସୀଙ୍କ ସୁରକ୍ଷାକୁ ନେଇ ସୃଷ୍ଟି କରିଛି ପ୍ରଶ୍ନବାଚୀ।

ରାୟଗଡ଼ା ସହରାଞ୍ଚଳ ପରଧି ମଧ୍ୟରେ ରହିଛି ୧୬ଟି ପେଟ୍ରୋଲ୍ ପମ୍ପ। ତୁମ୍ବିଗୁଡାରୁ ଜଗନ୍ନାଥ ମନ୍ଦିର ମଧ୍ୟରେ ୬ଟି, ସିରିଗୁଡାରେ ୩ଟି, ଜେକେପୁରରେ ୫ଟି ଏବଂ କେରେଡାରେ ୨ଟି ଫିଲିଙ୍ଗ୍ ଷ୍ଟେସନ୍ ରହିଛି। ୨୦୧୯ ଏପ୍ରିଲ୍ ମାସରେ ଅଗ୍ନିଶମ ବିଭାଗ ପକ୍ଷରୁ ଏହି ସବୁ ପେଟ୍ରୋଲ୍ ପମ୍ପର ଅଗ୍ନି ନିରାପତ୍ତା ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ହୋଇଥିଲା। ଏହା ପରଠାରୁ ଆଉ ଯାଞ୍ଚ ହୋଇନି। ପ୍ରତି ଦୁଇ ବର୍ଷରେ ପେଟ୍ରୋଲ୍ ପମ୍ପର ଅଗ୍ନି ନିରାପତ୍ତା ଲାଇସେନସ୍ ନବୀକରଣ ହେଉଛି। ନବୀକରଣକୁ ଛାଡ଼ିଲେ ଅନ୍ୟ ସମୟରେ ପେଟ୍ରୋଲ୍ ପମ୍ପ କର୍ତ୍ତୃପକ୍ଷ ସୁରକ୍ଷା ନିୟମାବଳୀ ଠିକ୍ ଭା‌ବେ ପାଳନ କରୁଛନ୍ତି ନା ନାହିଁ ତାହାର ଯାଞ୍ଚ ହେଉନି।

ନିୟମନୁଯାୟୀ, ପ୍ରତି ପେଟ୍ରୋଲ୍ ପମ୍ପରେ ଗୋଟିଏ ରିଫିଲିଙ୍ଗ୍ ୟୁନିଟ୍ ପାଇଁ ୨ଟି ଅଗ୍ନି ନିର୍ବାପକ ଯନ୍ତ୍ର ରହିବା କଥା। ରାୟଗଡ଼ା ସହରର ସମସ୍ତ ପେଟ୍ରୋଲ୍ ଅତି କମରେ ୪ଟି ରିଫିଲିଙ୍ଗ୍ ୟୁନିଟ୍ ରହିଥିବା ବେଳେ ଧର୍ମକୁ ଆଖିଠାର ସଦୃଶ୍ୟ କେବଳ ଗୋଟିଏ କିମ୍ବା ଦୁଇଟି ଅଗ୍ନି ନିର୍ବାପକ ଯନ୍ତ୍ର ରଖାଯାଇଛି। ସବୁଠୁ ବଡ଼ କଥା ହେଲା ପମ୍ପରେ କାର୍ଯ୍ୟରତ ଥିବା କର୍ମଚାରୀ ଅଘଟଣ ସମୟରେ ଅଗ୍ନି ନିର୍ବାପକ ଯନ୍ତ୍ରର କେମିତି ବ୍ୟବହାର କରାଯିବ ସେ ସଂପର୍କରେ ଜାଣି ନାହାନ୍ତି। ଅନଭିଜ୍ଞ କର୍ମଚାରୀଙ୍କୁ ନେଇ ପେଟ୍ରୋଲ୍ ପମ୍ପ ଚାଲିଥିବା ବେଳେ ସୁରକ୍ଷା ଦିଗ ପ୍ରତି ପମ୍ପ ମାଲିକ କିମ୍ବା ଜିଲ୍ଲା ପ୍ରଶାସନ କେହି ଦୃଷ୍ଟି ଦେଉନାହାନ୍ତି।

ସେହିପରି ପେଟ୍ରୋଲ୍ ପମ୍ପ ଥିବା ଶହେ ମିଟର ଭିତରେ ଜନବସତି, ସ୍କୁଲ୍, ମନ୍ଦିର, ଦୋକାନ ବଜାର ରହିବା କଥା ନୁହଁ। ହେଲେ ସହରର ସମସ୍ତ ପେଟ୍ରୋଲ୍ ପମ୍ପକୁ ଘେରି ରହିଛି ଜନବସତି। ହାଇ ରିସ୍କ୍ ଜୋନରେ ସହରରେ ତିନୋଟି ପେଟ୍ରୋଲ୍ ପମ୍ପ ରହିଛି। କପିଳାସ ଛକ, ଜଗନ୍ନାଥ ମନ୍ଦିର ନିକଟ, ଆୟକର ବିଭାଗ କାର୍ଯ୍ୟାଳୟ ନିକଟରେ ଏହି ତିନି ପେଟ୍ରୋଲ୍ ପମ୍ପ ରହିଛି। ଯଦି କୌଣସି ଅଘଟଣ ଘଟେ ତାହାହେଲେ ରାୟଗଡ଼ାରେ ମଧ୍ୟ ଭୁବନେଶ୍ବର ଭଳି ଲୋକଙ୍କ ଧନ ଜୀବନ ବାଜି ଲାଗିପାରେ। ଅଗ୍ନିଶମ ବିଭାଗ ଅଧିକାରୀଙ୍କ କହିବା କଥା, ପେଟ୍ରୋଲ୍ ପମ୍ପ ପ୍ରତିଷ୍ଠା ପୂର୍ବରୁ ସରକାରଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥାର କଡାକଡି ଯାଞ୍ଚ କରାଯାଉଛି।

ପମ୍ପ ପ୍ରତିଷ୍ଠା ସମୟରେ ଆଖାପାଖରେ କୌଣସି ଘର ନଥିବା ବେଳେ କିଛି ବର୍ଷ ମଧ୍ୟରେ ଏହା ଚର୍ତୁପାର୍ଶ୍ବରେ ଜନବସତି ସହ ସ୍କୁଲ୍, କଲେଜ ଓ ଦୋକାନ ବଜାର ଗଢ଼ି ଉଠୁଛି। ଟାଉନ୍ ପ୍ଲାନିଂ ଅଥରିଟ୍ ଓ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଉନଥିବା ବେଳେ ଅଗ୍ନିଶମ ବିଭାଗ ମଧ୍ୟ ଚୁପ୍ ବସିଛି। ଅନ୍ୟପକ୍ଷରେ ରାୟଗଡ଼ା ଅଗ୍ନିଶମ ବିଭାଗ କର୍ମଚାରୀ ସଙ୍କଟ ମଧ୍ୟରେ ଚାଲିଥିବାରୁ ଅଘଟଣର ମୁକାବିଲାକୁ ନେଇ ଉଠିଛି ପ୍ରଶ୍ନ। ଜିଲ୍ଲା ସଦର ମହକୁମାରେ ୨ ଅଗ୍ନିଶମ ଅଧିକାରୀଙ୍କ ସମେତ ୭ ଫାୟାରମ୍ୟାନ୍ ପଦବି ଖାଲି ପଡିଛି।  ଅତ୍ୟାଧୁନିକ ଟେକ୍ନୋଲୋଜିର ଯାନ ଥିବାରୁ କୌଣସି ଅଘଟଣ ଘଟିଲେ ମୁକାବିଲା ପାଇଁ ରାୟଗଡ଼ା ଅଗ୍ନିଶମ ବିଭାଗ ପ୍ରସ୍ତୁତ ଥିବା କହିଛନ୍ତି ସହକାରୀ ଅଗ୍ନିଶମ ଅଧିକାରୀ ସଂଗ୍ରାମ ହାଁସଦା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe