ଚଣ୍ଡିଖମଣ ମନ୍ଦିର ପରିଚାଳନା ବିବାଦ : ପୂଜକଙ୍କୁ ଘୋଷାଡ଼ି ଆଣି ପିଟିଲେ

Advertisment

ସାତ ଆହତ; ପୁଲିସ ବି ବର୍ତ୍ତିଲାନି

ସାତ ଆହତ; ପୁଲିସ ବି ବର୍ତ୍ତିଲାନି

ଚଣ୍ଡିଖମଣ ମନ୍ଦିର ପରିଚାଳନା ବିବାଦ : ପୂଜକଙ୍କୁ ଘୋଷାଡ଼ି ଆଣି ପିଟିଲେ

ଅନୁଗୁଳ : ଚଣ୍ଡିଖମଣ ଶିବ ମନ୍ଦିର ପରିଚାଳନାକୁ ନେଇ ଦୀର୍ଘ ଦିନରୁ ଲାଗି ରହିଥିବା ବିବାଦ ଆଜି ବିସ୍ଫୋରକ ରୂପ ନେଇଛି। ପୂଜକଙ୍କୁ ମନ୍ଦିର ଭିତରୁ ଘୋଷାଡ଼ି ଆଣି ଅମାନୁଷିକ ଭାବେ ମାଡ ମରାଯାଇଛି। ପୁଲିସ ବି ଆକ୍ରମଣରୁ ବାଦ୍‌ ପଡ଼ିନାହିଁ। ଉତ୍ତ୍ୟକ୍ତ ଲୋକଙ୍କ ସଂଘବଦ୍ଧ ଆକ୍ରମଣରେ ସାତ ଜଣ ପୂଜକଙ୍କ ସମେତ ୪ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଆହତ ପୂଜକଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣକର ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଅତିରିକ୍ତ ଏସ୍‌ପି ଯଦୁନାଥ ହାଁସଦା, ତହସିଲଦାର ସରିତା ପ୍ରଧାନ, ଅନୁଗୁଳ ଥାନା ଆଇଆଇସି ସୁକୁମାର ତ୍ରିପାଠୀଙ୍କ ସମେତ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି। ପୂଜକ ପର୍ଶୁ ମହାପାତ୍ର ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୂର୍ବ ବିବାଦକୁ ନେଇ ଏହି ଗଣ୍ଡଗୋଳ ଘଟିଥିବା ବେଳେ ପୁଲିସ ଏହି ଘଟଣାରେ ଅଙ୍ଗାରବନ୍ଧ ଗ୍ରାମର ୭ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।

publive-imageପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଅନୁଗୁଳ ବ୍ଲକ୍‌ ଅଙ୍ଗାରବନ୍ଧ ମୌଜାର ଚମ୍ପେଶ୍ୱର ମହାଦେବ ମନ୍ଦିର ପରିଚାଳନାକୁ ନେଇ ଦୀର୍ଘ ବର୍ଷ ଧରି ଅଙ୍ଗାରବନ୍ଧ ଗ୍ରାମବାସୀ ଓ କାଙ୍ଗୁଲା ଗ୍ରାମର ପୂଜକ ସଂପ୍ରଦାୟ ମଧ୍ୟରେ ବିବାଦ ଲାଗି ରହିଛି। ତିନି ମାସ ତଳେ ବିବାଦ ଉଗ୍ରରୂପ ନେବାରୁ ଉପଜିଲ୍ଲାପାଳଙ୍କ ମଧ୍ୟସ୍ଥତାରେ ଦୁଇ ଗୋଷ୍ଠୀ ମଧ୍ୟରେ ଆପୋଷ ସମାଧାନ ହୋଇଥିଲା। କିନ୍ତୁ ସମାଧାନକୁ ତିନି ମାସ ପୂରିନଥିବା ବେଳେ ବିବାଦ ପୁଣି ବିସ୍ଫୋରକ ରୂପ ନେଇଛି। ଆଜି ଦିନ ପ୍ରାୟ ସାଢ଼େ ୧୦ଟା ବେଳେ ଅଙ୍ଗାରବନ୍ଧରୁ ଶତାଧିକ ଲୋକ ହାତରେ ଠେଙ୍ଗାବାଡି ଧରି ମନ୍ଦିରରେ ପୂଜାର୍ଚ୍ଚନା କରୁଥିବା ସାତ ଜଣ ପୂଜକଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଠେଙ୍ଗାରେ ପିଟିଥିଲେ। ଏଥିରେ ନରେଶ ମହାପାତ୍ର (୪୫), ଗଦାଧର ମହାପାତ୍ର (୪୫), ପର୍ଶୁ ମହାପାତ୍ର (୩୫), ନରି ମହାପାତ୍ର (୪୭), ବିନୋଦ ଦାଶ (୨୨), ସିଦ୍ଧାନ୍ତ ମହାପାତ୍ର (୧୭) ଏବଂ ସାଗର ମହାପାତ୍ର (୨୫) ପ୍ରମୁଖ ଆହତ ହୋଇଛନ୍ତି।

ଏତିକିରେ ବି ଉତ୍ତ୍ୟକ୍ତ ଲୋକଙ୍କ ମନ ଶାନ୍ତ ପଡ଼ିନଥିଲା। ସେମାନେ ମନ୍ଦିରର ହାଣ୍ଡି, ଡେକ୍‌ଚି, ଭୋଗ ସମେତ ଟ୍ରଙ୍କ ଏବଂ ବିଭିନ୍ନ ଆସବାବପତ୍ରକୁ ଭିତରୁ ଘୋଷାଡ଼ି ଆଣି ବାହାରେ ଫିଙ୍ଗି ଦେଇଥିଲେ। ଗଣ୍ଡଗୋଳକୁ ରୋକିବାକୁ ଯାଇ ପୂର୍ବରୁ ସେଠାରେ ନିୟୋଜିତ ଥିବା ପୁଲିସ କର୍ମଚାରୀଙ୍କ ମଧ୍ୟରୁ ୪ ଜଣ ଆହତ ହୋଇଥିଲେ। ପୁଲିସ ଉପସ୍ଥିତିରେ ଦୀର୍ଘ ସମୟ ଧରି ମନ୍ଦିର ଭିତରେ ମାଡପିଟ୍‌ ଚାଲିଥିଲା। ଆହତଙ୍କ ମଧ୍ୟରୁ କାହାର ପିଠି ନୋଳା ଫାଟି ଯାଇଛି ତ କାହାର ହାତ, ମୁହଁରେ ଗଭୀର ଆଘାତ ଲାଗିଛି। ସମସ୍ତ ସାତ ଜଣଙ୍କୁ ଅନୁୁଗୁଳ ମେଡିକାଲ୍‌ରେ ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ଗଦାଧରଙ୍କ ଅବସ୍ଥା ଗୁରୁତର ଥିବାpublive-image ଜଣାପଡ଼ିଛି।

ଅନ୍ୟପକ୍ଷରେ ପୁଲିସ ଏହି ଘଟଣାରେ ଅଙ୍ଗାରବନ୍ଧ ଗ୍ରାମର ସାତ ଜଣଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖିଛି। ସେପଟେ ସଂଧ୍ୟାରେ ଉପଜିଲ୍ଲାପାଳଙ୍କ ମଧ୍ୟସ୍ଥତାରେ ଶାନ୍ତି କମିଟି ଜରିଆରେ ଦୁଇ ଗାଁର ଲୋକଙ୍କୁ ଡକାଯାଇ ଘଟଣାର ଆପୋଷ ସମାଧାନ ପାଇଁ ଉଦ୍ୟମ ହୋଇଥିଲା। କିନ୍ତୁ କାଙ୍ଗୁଲା ଗାଁର ପୂଜକ ସଂପ୍ରଦାୟ ନଆସିବାରୁ ବୈଠକ ହୋଇ ପାରିନାହିଁ। ଅତିରିକ୍ତ ଏସ୍‌ପି ଯଦୁନାଥ ହାଁସଦା କହିଛନ୍ତି, ଯେଉଁମାନେ ଆଇନକୁ ହାତକୁ ନେଇଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସଂଧ୍ୟା ସୁଦ୍ଧା ୭ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ଚଢ଼ଉ ଜାରି ରହିଛି। ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ପୁନଶ୍ଚ ଶାନ୍ତି କମିଟି ଡକାଯାଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଆପୋଷ ସମାଧାନ ପାଇଁ ଉଦ୍ୟମ କରାଯିବ ବୋଲି ଶ୍ରୀ ହାଁସଦା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe