ଏକାଠି ହେଲେ ୭ଦଳ, ୨୭ରେ ‘ଭାରତ ବନ୍ଦ’ ଡାକରାକୁ ସମର୍ଥନ

Advertisment
ଏକାଠି ହେଲେ ୭ଦଳ, ୨୭ରେ ‘ଭାରତ ବନ୍ଦ’ ଡାକରାକୁ ସମର୍ଥନ

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ କୃଷକ ଓ ଶ୍ରମିକ ବିରୋଧ ଆର୍ଥିକ ନୀତି ସାଙ୍ଗକୁ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଗୁରୁବାର ୭ଟି ଦଳ ମିଳିତ ଭାବେ ଗଣଧାରଣା ଦେଇଥିଲେ। ଦୁଇ ସରକାରଙ୍କ ଏଭଳି ନୀତିକୁ ସେମାନେ ନିନ୍ଦା କରିବା ସହ ଆସନ୍ତା ୨୭ ତାରିଖରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରାକୁ ସମର୍ଥନ ଦେଇଛନ୍ତି। ଏହି ବନ୍ଦକୁ ସଫଳ କରିବା ଲାଗି ରାଜ୍ୟବାସୀଙ୍କୁ ନିବେଦନ କରାଯାଇଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସିପିଆଇ(ଏମ୍‌)ର ରାଜ୍ୟ ସଂପାଦକ ଅଳିକିଶୋର ପଟ୍ଟନାୟକ, ସିପିଆଇର ରାଜ୍ୟ ସଂପାଦକ ଆଶିଷ କାନୁନ୍‌ଗୋ, ସମାଜବାଦୀ ପାର୍ଟି ସାଧାରଣ ସଂପାଦକ ସୁଦର୍ଶନ ପ୍ରଧାନ, ସିପିଆଇଏମ୍‌ଏଲ (ରେଡଫ୍ଲାଗ୍‌) ନେତ୍ରୀ ପ୍ରମିଳା ବେହେରା ଓ ଏନ୍‌ସିପି ରାଜ୍ୟ ସାଧାରଣ ସଂପାଦକ ବିକ୍ରମ ସ୍ବାଇଁ ପ୍ରମୁଖଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ଉପସ୍ଥିତ ଥିଲେ। କଂଗ୍ରେସ ନେତା ଯଜ୍ଞେଶ୍ବର ବାବୁ ଧାରଣା ସଂପର୍କରେ ସୂଚନା ଦେବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୋଦୀ ସରକାରଙ୍କ ବିନାଶକାରୀ ନୀତିର କଠୋର ସମାଲୋଚନା କରିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଗତ ୭୦ ବର୍ଷରେ ଦେଶରେ ନିର୍ମିତ ହୋଇଥିବା ସରକାରୀ ସଂପତ୍ତି ଓ ସଂସ୍ଥାଗୁଡ଼ିକୁ ଘରୋଇ ବ୍ୟବସାୟୀଙ୍କ ହାତରେ ଶାଗମାଛ ମୂଲ୍ୟରେ ବିକ୍ରି ଦେବା ପାଇଁ ଚକ୍ରାନ୍ତ ଚାଲିଛି। ଏହା ବିରୋଧରେ ସମସ୍ତ ଗଣତନ୍ତ୍ର ଓ ଦେଶପ୍ରେମୀ ରାଜନୈତିକ ଦଳ ଏକାଠି ହେବା ଜରୁରୀ। ରାଜ୍ୟ ସରକାର ମଧ୍ୟ ମୋଦୀ ସରକାରର ସଖି କଣ୍ଢେଇ ସାଜି କେନ୍ଦ୍ରର ସମସ୍ତ ଜନବିରୋଧୀ ନୀତିଗୁଡ଼ିକୁ ନିଃସର୍ତ୍ତ ସମର୍ଥନ ଦେଉଛନ୍ତି। ଏପରିକି ରାଜ୍ୟ ସରକାରରେ ବିଭିନ୍ନ ଜନବିରୋଧୀ ନୀତି ପ୍ରଚଳନ କରୁଥିବାରୁ ଏହା ବିରୋଧରେ ଗଣଆନ୍ଦୋଳନ ଗଢ଼ି ଉଠିବା ଉଚିତ ବୋଲି ସେ କହିଥିଲେ। ଏଆଇସିସି ସଂପାଦକ ରୁଦ୍ର ରାଜୁ ମଧ୍ୟ ଦେଶର ସମ୍ବିଧାନ ପ୍ରତି ବିପଦ ସୃଷ୍ଟି କରୁଥିବା ସାଂପ୍ରଦାୟିକ ଦଳଗୁଡ଼ିକର ଗୁପ୍ତ ଏଜେଣ୍ଡା ପ୍ରତି ସତର୍କ ରହିବା ଓ ଏକାଠି ଆନ୍ଦୋଳନର ଆବଶ୍ୟକତା ରହିଥିବା କହିଥିଲେ। ସିପିଆଇଏମ୍‌ ଜେନା ଜନାର୍ଦ୍ଦନ ପତି, ସୁରେଶ ପାଣିଗ୍ରାହୀ, ସିପିଆଇ ନେତା ରାମକୃଷ୍ଣ ପଣ୍ଡା, ଅଭୟ ସାହୁ, ସିପିଆଇଏମ୍‌ଏଲ(ରେଡ୍‌ଷ୍ଟାର୍‌) ହେନା ବାରିକ ଓ ରାଜ୍ୟ କଂଗ୍ରେସର ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଗଣେଶ୍ବର ‌ବେହେରା ପ୍ରମୁଖ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତିକୁ ସମାଲୋଚନା କରିଥିଲେ।

ଧାରଣାରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ, ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ବରିଷ୍ଠ ନେତା ଶିବାନନ୍ଦ ରାୟ, ମନୋରଂଜନ ଦାଶ, ଅମିୟ ପାଣ୍ଡବ, ସୁଦର୍ଶନ ଦାସ, ଜାନକୀ ବଲ୍ଲଭ ପଟ୍ଟନାୟକ, ଜ୍ଞାନଦେବ ବେଉରା, ପଦ୍ମାକର ଗୁରୁ, ଶମ୍ଭୁନାଥ ପାଣିଗ୍ରାହୀ, ଚିନ୍ମୟ ସୁନ୍ଦର ଦାସ, ସୁବ୍ରତ ମହାପାତ୍ର, ରତ୍ନମଣୀ ଉଲ୍ଲାକା, ସ୍ବାଧୀନବାଳା ଦାସ, କୁସୁମ ପ୍ରଧାନ, ଦେବରାଜ ମିଶ୍ର, ଶ୍ରିୟାସ୍ମିତା ପଣ୍ଡା, ଏସ୍‌କେ ଅଫତାବ ଅଲ୍ଲୀ, ମିହିର ଆଚାର୍ଯ୍ୟ, ସୁବ୍ରତ ସେନାପତି, ବ୍ରହ୍ମାନନ୍ଦ ସାହୁ, ଇନ୍ଦ୍ରଜିତ ପରିଡ଼ା, ମୋହନ ଜେନା, ଜୟକୃଷ୍ଣ ସୁବୁଦ୍ଧି, ମନୋଜ ସାହୁ, ମଣ୍ଟୁ ମଲ୍ଲିକ, ଶୁଭ୍ରଜ୍ୟୋତି ଲେଙ୍କା, ସମରେନ୍ଦ୍ର ମହାନ୍ତି, ମାନସ ସେଠୀ, ସନ୍ତୋଷ ଦାସ, ଅମିୟ ମହାନ୍ତି ଓ ପ୍ରଶାନ୍ତ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe