ପଙ୍କଳବାଡ଼ି ଡବଲ୍ ମର୍ଡ଼ର୍ ମାମଲା: ଗୋଟିଏ ପରିବାରର ୭ ଗିରଫ, ପିସ୍ତଲ ଓ ୭ ଗୁଳି ଜବତ

Advertisment
ପଙ୍କଳବାଡ଼ି ଡବଲ୍ ମର୍ଡ଼ର୍ ମାମଲା: ଗୋଟିଏ ପରିବାରର ୭ ଗିରଫ, ପିସ୍ତଲ ଓ ୭ ଗୁଳି ଜବତ
କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ସୁନାରିଝୋଳା ପଞ୍ଚାୟତ ପଙ୍କଳବାଡ଼ି ଗ୍ରାମରେ ଗତକାଲି ରାତିରେ ଦୁଇ ପରିବାର ମଧ୍ୟରେ ଲାଗିରହିଥିବା ପୁରୁଣା ବିବାଦ ରକ୍ତାକ୍ତ ସଂଘର୍ଷର ରୂପ ନେଇଥିଲା। ଉକ୍ତ ଗ୍ରାମର ମିଥୁନ୍ ଭୂୟାଁ ଓ ତାଙ୍କ ଶାଳକ ଲିପୁନ୍ ସ୍ବାଇଁଙ୍କୁ ପ୍ରତିପକ୍ଷ ପରିବାରର ୭ ଜଣ ସଦସ୍ୟ ମିଶି ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା କରିଥିଲେ। ମୃତକ ମିଥୁନ୍‌ଙ୍କ ମାଆ ସଞ୍ଜୁ ଭୂୟାଁଙ୍କ ଏତଲା କ୍ରମେ କବିସୂର୍ଯ୍ୟନଗର ଥାନାରେ କେସ୍ ନମ୍ବର ୫୪୦ ଅନୁସାରେ ମାମଲା ରୁଜୁ ସହ ଅଭିଯୁକ୍ତମାନଙ୍କୁ ତଥା ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କୁ ଆଜି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ପଙ୍କଳବାଡ଼ି ଗ୍ରାମର ଜାନକୀବଲ୍ଲଭ ଭୂୟାଁ, ତା’ର ପତ୍ନୀ ପ୍ରଭାସିନୀ ଭୂୟାଁ, ଦୁଇପୁଅ ବିଭୂପ୍ରସାଦ ଓ ସୋନୁ ଏବଂ ଜାନକୀର ଭାଇ ରୋହିତ୍ ଭୂ୍ୟାଁ ଓ ଦୁଇଜଣ ଭାଇବୋହୂ ରଶ୍ମିତା ଭୂୟାଁ ଏବଂ କୁନି ଭୂୟାଁ। ସେମାନଙ୍କଠୁ ପନିକି, ଖଣ୍ଡା ଓ ଲୁହାରଡ଼୍ ସମେତ ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଛି। ‌ସେହିପରି ମୃତକ ମିଥୁନ୍‌ର ଗୋଟିଏ ଦେଶୀ ପିସ୍ତଲ, ତିନିଟି ମାଗାଜିନ୍ ଓ ୭ଟି ଗୁଳି ଜବତ ହୋଇଥିବା ଥାନାଧିକାରୀ ପ୍ରଭାତ କୁମାର ସାହୁ ଓ ଏସ୍‌ଆଇ ବିକାଶ କୁମାର ସାମଲ ସୂଚନା ଦେଇଛନ୍ତି। ମୃତକ ମିଥୁନ୍ ନାଁରେ କବିସୂର୍ଯ୍ୟନଗର ଥାନାରେ ୭ଟି ଅପରାଧିକ ମାମଲା ଓ ଲିପୁନ୍ ନାଁରେ କବିସୂର୍ଯ୍ୟନଗର ଏବଂ ହିଞ୍ଜିଳିକାଟୁ ଥାନାରେ ୨ଟି ଅପରାଧିକ ମାମଲା ରହିଛି। ସୋମବାର ଦିନ ମିଥୁନ୍‌ର ଆତଙ୍କରାଜ ଓ ଧମକଚମକରେ ଅତିଷ୍ଠ ହୋଇ ତାକୁ ହତ୍ୟା ପାଇଁ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ ହୋଇଥିଲା ବୋଲି ତଦନ୍ତରୁ ଜଣାପଡ଼ିଛି।
ତିନିବର୍ଷ ତଳେ ମିଥୁନ୍ ଡିଜେ ରଖି ବ୍ୟବସାୟ ଆରମ୍ଭ କରିଥିଲା। ଏହାସହ ଠିକା କାମ ମଧ୍ୟ କରୁଥିଲା। କିନ୍ତୁ ଏହାମଧ୍ୟରେ ଗାଁରେ ପତିଆରା ଜାହିର୍ କରିବାକୁ ନେଇ ଜାନକୀ ଭୂୟାଁର ପୁଅ ମାନସ ସହ ମିଥୁନ୍‌ର ବିବାଦ ଆରମ୍ଭ ହୋଇଯାଇଥିଲା। ଏନେଇ ଥାନାରେ ଉଭୟ ପକ୍ଷ ଏତଲା ଦେବା ସହ ମାମଲା ରୁଜୁ ହୋଇଥିଲା। କିଛିମାସ ତଳେ ମିଥୁନ୍‌କୁ ଜାନକୀ ପ୍ରାଣାନ୍ତକ ଆକ୍ରମଣ ମାମଲାରେ ଗିରଫ ହୋଇଥିଲା। ଜେଲ୍‌ରୁ ଜାମିନ୍ ପାଇ ଫେରିଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe