ମହାବଳ ପାଇଁ ସାତକୋଶିଆ ପ୍ରସ୍ତୁତ: ସରକାରଙ୍କ ସବୁଜ ସଂକେତକୁ ଅପେକ୍ଷା, ୧୨ଟି ବାଘ ଏଠାରେ ଛାଡ଼ିବାକୁ ଯୋଜନା

ସାତକୋଶିଆରେ ପୁଣି ଶୁଭିବ ମହାବଳର ଗର୍ଜନ। ଘଞ୍ଚ ଜଙ୍ଗଲରେ ବୁଲିବେ ଏକାଧିକ ମହାବଳ ବାଘ। ଏଥିପାଇଁ କ୍ଷେତ୍ର ପ୍ରସ୍ତୁତ ‌ହୋଇଗଲାଣି। କେବଳ ସରକାରଙ୍କ ସବୁଜ ସଙ୍କେତକୁ ଅପେକ୍ଷା। ସରକାରଙ୍କ ଅନୁମତି ମିଳିଲେ ବାହାର ରାଜ୍ୟରୁ ବାଘ ଆଣି ଏଠାରେ ଛାଡ଼ିବାକୁ ବନ ବିଭାଗ ଯୋଜନା କରିଛି।

tiger

ଅନୁଗୁଳ: ସାତକୋଶିଆରେ ପୁଣି ଶୁଭିବ ମହାବଳର ଗର୍ଜନ। ଘଞ୍ଚ ଜଙ୍ଗଲରେ ବୁଲିବେ ଏକାଧିକ ମହାବଳ ବାଘ। ଏଥିପାଇଁ କ୍ଷେତ୍ର ପ୍ରସ୍ତୁତ ‌ହୋଇଗଲାଣି। କେବଳ ସରକାରଙ୍କ ସବୁଜ ସଙ୍କେତକୁ ଅପେକ୍ଷା। ସରକାରଙ୍କ ଅନୁମତି ମିଳିଲେ ବାହାର ରାଜ୍ୟରୁ ବାଘ ଆଣି ଏଠାରେ ଛାଡ଼ିବାକୁ ବନ ବିଭାଗ ଯୋଜନା କରିଛି। ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଏବେ ବାଘଶୂନ୍ୟ।  ଏଠାରେ ବାଘବଂଶ ବୃଦ୍ଧି କରିବା ପାଇଁ ବନ ବିଭାଗ କ୍ଷେତ୍ର ପ୍ରସ୍ତୁତ କରୁଛି। ଆଗରୁ ଏହି ପ୍ରକଳ୍ପ ବିଫଳ ହୋଇଥିବାରୁ ଏଥର ବିଭାଗ ଅଧିକ ଯତ୍ନବାନ ରହିଛି। ବିଶେଷକରି ଜଙ୍ଗଲର କୋର୍‌ ଅଞ୍ଚଳ ଭିତରେ ରହିଥିବା ଗାଁଗୁଡ଼ିକୁ ହଟାଇବାକୁ ନିଷ୍ପତ୍ତି ହୋଇଛି। ଏ ଭିତରେ ରାଇଗୁଡ଼ା, କଟରଙ୍ଗ, ଟୁଲୁକା, ଅସନବାହାଳ ଓ ଭୁରୁକୁଣ୍ଡି ଗାଁ ସମ୍ପୂର୍ଣ୍ଣ ବିସ୍ଥାପିତ ହୋଇଛି। ଏହି ଗାଁଗୁଡ଼ିକୁ ଜଙ୍ଗଲ‌ରେ ମିଶାଇ ଦିଆଯାଇଛି। ଟିକରପଡ଼ା, ପୁରୁଣାକୋଟ୍‌ ଓ ଗୋପାଳପୁର ଗାଁକୁ ବିସ୍ଥାପିତ କରିବା ନେଇ ପ୍ରକ୍ରିୟା ଚାଲିଛି। ଏପଟେ ସ୍ବେଚ୍ଛାକୃତ ବିସ୍ଥାପନ ପାଇଁ ଛୋଟକେଇ, ମଝିପଡ଼ା ଓ କରଡ଼ାପଡ଼ା ଗାଁରୁ ଆବେଦନ ଆସିଛି। ଏଣୁ ଆଉ କିଛି ମାସ ଭିତରେ ଏହି ଗାଁ ସବୁ ଜଙ୍ଗଲରେ ମିଶିଯିବାର ସମ୍ଭାବନା ସୃଷ୍ଟି ହେଉଛି। ଫଳରେ ଜଙ୍ଗଲ ଭିତରେ ଆଉ ହାତଗଣତି ଗାଁ ରହିଯିବ। ଗଇଁଦି, ବେହେରାସାହି, ବଡ଼କ୍ଷେତା, ସାଲୁର ଓ ତରଭା ଗାଁ କେବଳ ପ୍ରକଳ୍ପର ବଫର ଅଞ୍ଚଳ ଭିତରେ ରହିବ। ତେବେ ଏହା ବିଶେଷ ସମସ୍ୟା କରିବନି ବୋଲି ବନ ବିଭାଗ ଆଶା ରଖିଛି। 

ଏହା ସହ ବାଘ ଯେମିତି ଜଙ୍ଗଲ ଛାଡ଼ି ଜନବସତି ମୁହାଁ ନ ହେବ ତା’କୁ ଗୁରୁତ୍ବ ଦିଆଯାଉଛି। ଜଙ୍ଗଲରେ ଆବଶ୍ୟକ ଖାଦ୍ୟ ମିଳିଲେ, ବାଘ ଜଙ୍ଗଲ ଛାଡ଼ି ବାହାରକୁ ଯିବନି। ଏହାକୁ ଦୃଷ୍ଟିରେ ରଖି ଅଧିକ ଚାରଣ ଭୂମି ପ୍ରସ୍ତୁତ କରାଯାଇଛି। ଫଳରେ ତୃଣଭୋଜି ପ୍ରାଣୀମାନଙ୍କ ସଂଖ୍ୟା ବଢ଼ିଛି। ଜଙ୍ଗଲ ଭିତରେ ଜନବସତି ନ ଥିବାରୁ ଗୋଟିଏ ଅଞ୍ଚଳରୁ ଆଉ ଗୋଟିଏ ଅଞ୍ଚଳକୁ ବିନା ବାଧାରେ ଯାଇ ପାରିବ।
ମହାବଳ ପାଇଁ କ୍ଷେତ୍ର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାରୁ ଯେ କୌଣସି ସମୟରେ ଏଠାରେ ବାଘ ଛଡ଼ା ଯାଇପାରେ। ରାଜ୍ୟ ବାହାରୁ ପାଖାପାଖି ୧୨ଟି ବାଘ ଏଠାରେ ଛାଡ଼ିବାକୁ ଯୋଜନା ହୋଇଛି। ତେବେ ପର୍ଯ୍ୟାୟକ୍ରମେ ଏହି ବାଘ ଆସିବ। ଏନେଇ ଉଚ୍ଚ ଅଧିକାରୀ ସ୍ତରରେ ଆଲୋଚନା ଚାଲିଛି। ଏ ନେଇ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର କ୍ଷେତ୍ର ନିର୍ଦେଶକ ଡ. ସଂଜୟ କୁମାର ସ୍ବାଇଁ କହିଛନ୍ତି, ସାତକୋଶିଆ କୋର୍‌ ଅଞ୍ଚଳରୁ ଗାଁଗୁଡ଼ିକ ଉଠି ସାରିଲାଣି। ବଫର ଅଞ୍ଚଳରୁ ଆଉ କିଛି ଗାଁ ଉଠିବା ପାଇଁ ସହମତି ପ୍ରଦାନ କରିଛନ୍ତି। ସରକାରୀ ନିୟମ ଅନୁସାରେ ଏହି ବିସ୍ଥାପନ ପ୍ରକ୍ରିୟା ଚାଲିଛି। ଏବେ ମହାବଳ ଛାଡ଼ିବା ପାଇଁ ସାତକୋଶିଆ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି। ବାଘ ରହିବା ପାଇଁ ଯେମିତି କିଛି ଅସୁବିଧା ହେବନି ସେ‌ନେଇ ବ୍ୟବସ୍ଥା କରାଯାଇଛି। ସରକାର ଏ ନେଇ ନିଷ୍ପତ୍ତି ନେଲେ ଏଠାରେ ବାଘ ଛଡ଼ାଯିବ ବୋଲି ସେ କହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe